ସ୍କିଲ୍ ମାଧ୍ୟମରେ ଯୁବକଙ୍କୁ ଆତ୍ମନିର୍ଭର କରିବା ଆଗାମୀ ୨୫ ବର୍ଷର ସଂକଳ୍ପ -ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର, – ଆଗାମୀ ଦିନ ମାନଙ୍କରେ ଦେଶରେ ଉତ୍ପାଦନ ଏବଂ ଅର୍ଥନୀତିକୁ ବଢ଼ାଇବା ପାଇଁ ଦେଶର ଯୁବକଯୁବତୀଙ୍କୁ ସ୍କିଲ୍ ମାଧ୍ୟମରେ ସ୍ୱାବଲମ୍ବୀ ଏବଂ ଆତ୍ମବିଶ୍ୱାସୀ କରିବା ସହ ଏହି ପୃଷ୍ଠଭୂମିରେ ସେମାନଙ୍କୁ ଆତ୍ମନିର୍ଭର କରିବା ହେଉଛି ଅମୃତ ମହୋତ୍ସବର ଅମୃତ ବିନ୍ଦୁ । ତେଣୁ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବା ତଥା ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଏହାକୁ ସଂକଳ୍ପରେ ପରିଣତ କରି ଯୁବକମାନଙ୍କୁ ସଶକ୍ତ କରିବାକୁ ଏହି ସୁଯୋଗକୁ ଉପଯୋଗ କରିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶୁକ୍ରବାର ପବିତ୍ର ବିଶ୍ୱକର୍ମା ଜୟନ୍ତୀ ଅବସରରେ ଭାରତବର୍ଷର ବିଭିନ୍ନ ରାଜ୍ୟରୁ ଦକ୍ଷ ପ୍ରଶିକ୍ଷକ ମାନଙ୍କୁ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଉଦ୍ୟମିତା ପ୍ରଶିକ୍ଷକ ସମେତ ବିଭିନ୍ନ ବିଭାଗରେ ୩୬ ଜଣ ପ୍ରଶିକ୍ଷକଙ୍କୁ କୌଶଲାଚାର୍ଯ୍ୟ ପୁରସ୍କାର-୨୦୨୧ରେ ସମ୍ମାନିତ କରିଛନ୍ତି । ଓଡ଼ିଶାରୁ ଜନ ଶିକ୍ଷଣ ସଂସ୍ଥାନର ହସ୍ତକଳା ପ୍ରଶିକ୍ଷକ ଚନ୍ଦ୍ରାବଳୀ ଖଟୁଆ, ଜନ ଶିକ୍ଷଣ ସଂସ୍ଥାର ବୈଷୟିକ ପ୍ରଶିକ୍ଷକ ଅଜୟ କୁମାର ସ୍ୱାଇଁ, ଆଇଟିଆଇରେ ମାଷ୍ଟର ଟ୍ରେନର ବିପିନ ବିହାରୀ ଗୌଡ଼ ଏବଂ ଆଇଟିଆଇରେ ଡ଼ିଜିଟି ମାଷ୍ଟର ଟ୍ରେନର ନିବେଦିତା ମୋହନପାତ୍ରଙ୍କୁ କୌଶଲାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଛି ।
ଏହି ଉପଲକ୍ଷେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଥିବା ବେଳେ ମୋଦି ସରକାର ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ଉପରେ ଗୁରୁତ୍ୱ ଦେଇଛନ୍ତି । ନୂତନ ବ୍ୟବସାୟ ଏବଂ ସ୍କିଲିଂ ମଡେଲଗୁଡିକ ବିକଶିତ ହେଉଛି, ଯାହା ମହାମାରୀ ପରବର୍ତୀ ଦୁନିଆରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏ ଦୃଷ୍ଟିରୁ ଆଗାମୀ ୨୫ ବର୍ଷ ଆମ ପାଇଁ ମହତ୍ୱପୂର୍ଣ୍ଣ । ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରରେ ଅଣାଯାଇଥିବା ଜାତୀୟ ଶିକ୍ଷା ନୀତି ବିଦ୍ୟାର୍ଥୀଙ୍କୁ କୌଶଳ ସହ ରୋଜଗାର ଆଧାରିତ ଶିକ୍ଷା ପ୍ରଦାନ କରିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେକ୍ ଅନ୍ ଇଣ୍ଡିଆ ଏବଂ ଭାରତକୁ ବିଶ୍ୱର ଦକ୍ଷତା ରାଜଧାନୀ କରିବା ବାସ୍ତବରେ ଦୂରଦୃଷ୍ଟିରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଦକ୍ଷତାକୁ ଅଧିକ କ୍ରିୟାଶୀଳ କରିବା ଦିଗରେ କାର୍ଯ୍ୟ କରିବା ଦରକାର । ଭବିଷ୍ୟତରେ ଥିବା ଚାକିରି ଏବଂ କୌଶଳ ଚାହିଦାକୁ ଆମେ ଗଭୀର ଭାବରେ ବୁଝିବା ଆବଶ୍ୟକ । ଆମର ପ୍ରଶିକ୍ଷକମାନଙ୍କୁ ଉନ୍ନତ କରିବା ପାଇଁ ଅଭିନବ ଉପାୟ ଉପରେ ଧ୍ୟାନ ଦେବାକୁ ପଡ଼ିବ ଏବଂ ଏଥିପାଇଁ ତୃଣମୂଳ ସ୍ତରରେ ଦକ୍ଷତା ବିକାଶ ଯୋଜନା କରିବାକୁ ପଡିବ ।
ବିଦ୍ୟାର୍ଥୀ ଜୀବନର ପ୍ରାରମ୍ଭରୁ ସମାଜ ଜୀବନରେ ନୂଆ ଜିନିଷ ଶିଖିବା ଏବଂ ଶିଖାଇବା ସର୍ବଦା ଆମର ପରମ୍ପରା ରହିଛି । ମନୁଷ୍ୟ ଚେତନା ଜାଗୃତ ହେବା ଦିନ ଠାରୁ କିଛି ନା କିଛି ଜିନିଷ ଶିଖିଥାଏ । ବର୍ତମାନ ବୈଜ୍ଞାନିକ ଯୁଗରେ ଆମପ ଦକ୍ଷତା ପ୍ରଶିକ୍ଷଣ ବ୍ୟବସ୍ଥା ଅତ୍ୟାଧୁନିକ, ବିଜ୍ଞାନ ଆଧାରିତ, ପ୍ରାସଙ୍ଗିକ ଓ ବିଶ୍ୱ ଆବଶ୍ୟକତାକୁ ପୂରଣ କରିବା ଭଳି ହେବା ଦରକାର । ଆଗାମୀ ଦିନରେ ଦେଶର ଆବଶ୍ୟକତା ବଢ଼ୁଥିବା ବେଳେ ଦକ୍ଷତା ଏବଂ ଉଦ୍ୟମିତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯୁବକ ଯୁବତୀଙ୍କୁ ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।


Share It

Comments are closed.