କୌଣସି ପ୍ରକୃତ ହିନ୍ଦୁ ବିବାଦୀୟ ସ୍ଥାନରେ ରାମ ମନ୍ଦିର ପ୍ରତିଷ୍ଠା କରିବାକୁ ଚାହିଁବେ ନାହିଁ : ଶଶୀ ଥରୁର


ରାମ ମନ୍ଦିରକୁ ନେଇ କଂଗ୍ରେସ ନେତା ଶଶୀ ଥରୁର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ ଚେନ୍ନାଇ ଠାରେ ଆୟୋଜିତ ହେଉଥିବା ଏକ ସଭା ‘ଦ ହିନ୍ଦୁ ଲିଟ ଫର ଲାଇଫ ଡାଇଲଗ ୨୦୧୮’ରେ କହିଛନ୍ତି ଯେ, କୌଣସି ବି ପ୍ରକୃତ ହିନ୍ଦୁ ସେହିଭଳି ବିବାଦୀୟ ସ୍ଥାନରେ ରାମ ମନ୍ଦିର କରିବାକୁ ଚାହିଁବେନି ।
ଶଶୀଙ୍କ କହିବା ମୁତାବକ, ହିନ୍ଦୁଧର୍ମାଲମ୍ବୀ ଅଯୋଧ୍ୟାକୁ ଭଗବାନ ରାମଙ୍କର ଜନ୍ମସ୍ଥଳୀ ବୋଲି ବିଶ୍ୱାସ କରନ୍ତି, ସେଥିପାଇଁ କୌଣସି ବି ପ୍ରକୃତ ହିନ୍ଦୁ ବ୍ୟକ୍ତି ଚାହିଁବେନି ଯେ, ଅନ୍ୟ ଧର୍ମାଲମ୍ବୀଙ୍କ ବିଶ୍ୱାସରେ ଆଘାତ ପହଞ୍ଚାଇ ସେଠାରେ ରାମ ମନ୍ଦିର ପ୍ରତିଷ୍ଠା କରାଯାଉ ବୋଲି ।
ଶଶୀଙ୍କ ଏହି ବୟାନ ପରେ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନଥିବା ବେଳେ ଏହାକୁ ନେଇ ଆରୋପ ପ୍ରତ୍ୟାରୋପର ରାଜନୀତି ସରଗରମ ହେବାରେ ଲାଗିଲାଣି । ସେପଟେ ଶଶୀଙ୍କ ଏହି ବୟାନକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ବରିଷ୍ଠ କର୍ମକର୍ତ୍ତା ସୁରେନ୍ଦ୍ର ଜୈନ କହିଛନ୍ତି ଯେ, “ଶଶୀଙ୍କ ଏହି ବୟାନ ମୁସଲିମ ବ୍ୟକ୍ତିଗତ ଆଇନ ସପକ୍ଷରେ ଅଟେ ।”

ସେପଟେ ବିଜେପି ନେତା ଶହନୱାଜ ହୁସେନ କହିଛନ୍ତି ଯେ, କଂଗ୍ରେସ ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ଶଶୀ ଥରୁରଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ନାହିଁ କ’ଣ ଦଳ ଶଶୀ ଦେଇଥିବା ଟିପ୍ପଣୀ ଉପରେ ସହମତି ପ୍ରକାଶ କରୁଛି ? ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି ।
ପ୍ରକାଶ ଥାଉକି ବିଜେପି ୨୦୧୯ ସୁଧା ଆଯୋଧ୍ୟରେ ରାମ ମନ୍ଦିର ପ୍ରତିଷ୍ଠା ସମ୍ପୂର୍ଣ୍ଣ କରିବ ବୋଲି ପ୍ରତିଶ୍ରୃତି ଦେଇଥିଲା କିନ୍ତୁ ବର୍ତ୍ତମାନ ସୁଧା ରାମ ମନ୍ଦିର ପ୍ରତିଷ୍ଠା କ’ଣ ବା ହେବ ଏଥିରେ ଲାଗି ରହିଥିବା ବିବାଦ ସମାଧାନ ହେବାର ନା ନେଉ ନାହିଁ ।
ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରଧିନ ଅବସ୍ଥାରେ ରହିଥିବାବେଳେ ଏହାର ସମାଧାନ ବାଟ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଫିଟି ପାରି ନାହିଁ ।


Share It

Comments are closed.