‘ପାଣି ପଞ୍ଚାୟତରେ ଅନ୍ତର୍ଭୁକ୍ତିକରଣ ଓ ସମାନତା ସୁନିଶ୍ଚିତ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ



ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ‘ପାଣିପଞ୍ଚାୟତରେ ଅନ୍ତର୍ଭୁକ୍ତିକରଣ ଓ ସମାନତା ସୁନିଶ୍ଚିତ’ କରିବା ଶୀର୍ଷକ ଏକ ଆଲୋଚନା ଚକ୍ର ଗତକାଲି ମଙ୍ଗଳବାର ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୪ର ପାଳନ ପରିପ୍ରେକ୍ଷୀରେ ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ , ଜଳସମ୍ପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠଙ୍କ ସମେତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ,ରାଜ୍ୟ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ, ଅଧ୍ୟାପକ, ଶିକ୍ଷାବିତ୍, ସିଜିଆଇଏଆର, ଆଇସିଏଆର ଅନୁଷ୍ଠାନର ଗବେଷକ, ମିଳିତ ଜାତିସଂଘର ସହଯୋଗୀ ସଂସ୍ଥା, ରାଜ୍ୟର ବିଭିନ୍ନ ପାଣିପଞ୍ଚାୟତର କର୍ମକର୍ତ୍ତାଙ୍କ ମଧ୍ୟରେ କୃଷକ ଓ ମହିଳା କୃଷକମାନେ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉପସ୍ଥିତ ସମସ୍ତ ଅଂଶଗ୍ରହଣ କାରୀମାନେ ଶହୀଦ ଦିବସ ଅବସରରେ ୨ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଆୟୋଜିତ ପ୍ରସଙ୍ଗ ସଂପର୍କିତ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଥିଲେ ଯେ, ମହିଳା ଓ ମତ୍ସ୍ୟଜୀବୀଙ୍କୁ ପାଣି ପଞ୍ଚାୟତର ସଦସ୍ୟ ଭାବେ ଅନ୍ତର୍ଭୁକ୍ତ କରିବା ଏବଂ ମେଗା ଉଠା ଜଳସେଚନ ପ୍ରକଳ୍ପ ଅଧୀନରେ ପାଣିପଞ୍ଚାୟତ ଗଠନ ପାଇଁ ପାଣିପଞ୍ଚାୟତ ଆଇନ ୨୦୦୨କୁ ଏକାଧିକ ଥର ସଂଶୋଧନ କରାଯାଇଛି । ପାଣିକୁ ଦକ୍ଷତା ପୂର୍ବକ ଉପଯୁକ୍ତ ଭାବେ ବ୍ୟବହାର କରିବା, ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରିବା, ଫସଲ ବିବିଧିକରଣ ଅଭ୍ୟାସ କରିବା ଏବଂ ଜଳ ବଣ୍ଟନରେ ରହୁଥିବା ବିବାଦର ସମାଧାନ ପାରସ୍ପରିକ ଆଲୋଚନା ମାଧ୍ୟମରେ କରିବାକୁ ସେ ପାଣିପଞ୍ଚାୟତ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ ।
ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ, ମତ୍ସ୍ୟ ଚାଷ ଏବଂ ବାଜରା ଓ ଡାଲି ଜାତୀୟ ଜଳବାୟୁ ସହନଶୀଳ ଫସଲ କିପରି କମ୍ ପାଣି ବ୍ୟବହାର କରି ଜୀବିକା ସୁଯୋଗ ସୃଷ୍ଟି ପୂର୍ବକ ଅଧିକ ଲାଭଦାୟକ ହୋଇପାରୁଛି, ସେ ସଂପର୍କରେ ଆଲୋକପାତ କରିଥିଲେ।
ପାଣି ପଞ୍ଚାୟତମାନେ ସେମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କାର୍ଯ୍ୟକଳାପ ଏବଂ ସ୍ୱେଚ୍ଛାକୃତ ଭାବେ ଏହି ଅନୁଷ୍ଠାନଗୁଡିକୁ ସକ୍ରିୟ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଜଳ ପରିଚାଳନା ସଂପର୍କିତ ଉତ୍ତମ ଅଭ୍ୟାସ ଏବଂ ଅଭିନବ ଚିନ୍ତାଧାରାର ଉଦାହରଣ ଦେଇଥିଲେ । ଭାଗିଦାରୀ ଜଳସେଚନ ପରିଚାଳନାରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନ ଏବଂ ପ୍ରତ୍ୟେକର ସମ୍ଭାବ୍ୟ ସମାଧାନ, ଜଳ କ୍ଷେତ୍ରରେ ନିଜ ନିଜର ଆକାଂକ୍ଷା ସମ୍ପର୍କରେ ପ୍ରକାଶ କରିଥିଲେ । ଅନ୍ୟ ବିଭିନ୍ନ ଅନୁଷ୍ଠାନରୁ ପ୍ରତିନିଧିତ୍ୱ କରିଥିବା ଅଂଶ ଗ୍ରହଣକାରୀମାନେ, ନିଜ ନିଜର ଅଭିନବ ଚିନ୍ତାଧାରା ଏବଂ ପୋଷଣୀୟ ଅଭ୍ୟାସଗୁଡ଼ିକୁ ଉପସ୍ଥାପନ କରିଥିଲେ, ଯାହା ଆଗାମୀ ଦିନରେ ଜଳପରିଚାଳନା କ୍ଷେତ୍ରରେ ରୂପାନ୍ତରଣରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିବ ।
ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଅନୁଷ୍ଠିତ ରାଜ୍ୟସ୍ତରୀୟ ପାଣିପଞ୍ଚାୟତ ପକ୍ଷ -୨୦୨୪ ପାଳନ ରାଜ୍ୟସ୍ତରୀୟ ଉଦଯାପନୀ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିବା ସହ ଶ୍ରେଷ୍ଠ ପାଣିପଞ୍ଚାୟତ, ଶ୍ରେଷ୍ଠ କୃଷକ, ଶ୍ରେଷ୍ଠ ପ୍ରକଳ୍ପ ଓ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।


Share It

Comments are closed.