କାଲିଠାରୁ ଆରମ୍ଭ ହେବ ଆଇପିଏଲର ବାକି ମ୍ୟାଚ, ୟୁଏଇରେ ପ୍ରସ୍ତୁତି ଶେଷ


ଦିନକ ପରେ ଅର୍ଥାତ୍ ଆସନ୍ତାକାଲିଠାରୁ ଜମିବ ଫଟାଫଟ କ୍ରିକେଟ୍ । ଆରମ୍ଭ ହେବ ଆଇପିଏଲ୍‌-୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ସଂସ୍କରଣ । ୟୁଏଇରେ ସମସ୍ତ ଦଳର ପ୍ରସ୍ତୁତି ବେଶ୍‌ ଜୋରଦାର । ନେଟ୍ସ ପ୍ରାକ୍ଟିସରେ ଜୋରଦାର ପରିଶ୍ରମ ଜାରି ରଖିଛନ୍ତି ସବୁ ଦଳର ଖଳାଳି । ବେଶ କିଛି ଦିନର ବିଶ୍ରାମ ପରେ ପୁଣି ଏକ ଭିନ୍ନ ପରିବେଶ ଓ ଭିନ୍ନ ଭେନ୍ୟୁରେ କିଏ ଜିତିବ ଟାଇଟଲ ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।

କିନ୍ତୁ ସମସ୍ତେ ନିଜ ନିଜର ସମର୍ଥିତ ଦଳକୁ ନେଇ ବେଶ୍‌ ଆଶାବାଦୀ ରହିଛନ୍ତି । ଆସନ୍ତାକାଲି ୟୁଏଇରେ ଆଇପିଏଲ୍‌-୧୪ର ଦ୍ୱିତୀୟ ଭାଗ ମ୍ୟାଚ୍‌ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ । ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ସଦସ୍ୟ ଥିବା ଦକ୍ଷିଣ ଆଫ୍ରିକା ପେସ୍‌ ବୋଲର ଆନରିଜ୍‌ ନର୍ଜ ଆଇପିଏଲ୍‌-୧୪ର ଦ୍ୱିତୀୟ ଭାଗରେ ଗତ ସିଜନର ପ୍ରଦର୍ଶନ ଦୋହରାଇବାକୁ ଲକ୍ଷ୍ୟ ରଖିଛନ୍ତି ।

ୟୁଏଇରେ ଆୟୋଜିତ ହୋଇଥିବା ଆଇପିଏଲ୍‌-୧୩ରେ କ୍ୟାପିଟାଲ୍ସ ଦଳ ପ୍ରଥମଥର ଫାଇନାଲ୍‌ରେ ପ୍ରବେଶ କରିଥିଲା । କିନ୍ତୁ ଫାଇନାଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସଠୁ ହାରି ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇଥିଲା । ନର୍ଜ ଏହି ସଂସ୍କରଣରେ ୧୬ଟି ମ୍ୟାଚ୍‌ ଖେଳି ୨୨ଟି ୱିକେଟ୍‌ ଅକ୍ତିଆର କରିଥିଲେ । ନର୍ଜ କହିଛନ୍ତି, ଆଇପିଏଲ୍‌-୧୪ର ଦ୍ୱିତୀୟ ଭାଗ ୟୁଏଇରେ ଖେଳାଯିବ । ପୂର୍ବରୁ ଏଠାରେ ଆମେ ଭଲ ପ୍ରଦର୍ଶନ କରିଥିଲୁ ।

ପ୍ରଥମ ଭାଗରେ ଆମ ଦଳ ୮ଟି ମ୍ୟାଚ୍‌ରୁ ୬ଟି ଜିତି ମୋଟ ୧୨ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛି । ଦ୍ୱିତୀୟ ଭାଗରେ ଆମକୁ ପୂର୍ବଭଳି ସଫଳ ପ୍ରଦର୍ଶନ କରିବାକୁ ପଡ଼ିବ । ଦଳରେ କିଛିଟା ପରିବର୍ତ୍ତନ କରାଯାଇଥିଲେ ମଧ୍ୟ ଏହା ଆମ ପ୍ରଦର୍ଶନରେ କୌଣସି ପ୍ରଭାବ ପକାଇବନି ବୋଲି ଆଶା କରୁଛି ।

ଅଭ୍ୟାସ ଶିବିରରେ ପ୍ରତ୍ୟେକ ଖେଳାଳି କଠିନ ପରିଶ୍ରମ କରୁଛନ୍ତି । ବ୍ୟକ୍ତିଗତ ଭାବେ ମୁଁ ୨୦୨୦ ସଂସ୍କରଣର ପ୍ରଦର୍ଶନ ଦୋହରାଇବାକୁ ଲକ୍ଷ୍ୟ ରଖିଛି । ଆଗକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ରହିଛି । ଆଇପିଏଲ୍‌ ଜରିଆରେ ମୁଁ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି କରିବି ।’ କ୍ୟାପିଟାଲ୍ସ ଦଳ ଆସନ୍ତା ୨୨ ତାରିଖରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଭେଟିବେ ।


Share It

Comments are closed.