ସଞ୍ଜୟ ନାୟର୍ ଆସୋଚାମ୍‌ର ଅଧ୍ୟକ୍ଷ ନିଯୁକ୍ତ


ଭୁବନେଶ୍ୱର: ଆନ୍ତର୍ଜାତୀୟ ଆର୍ଥିକ ବଜାରରେ ଏକ ସୁପରିଚିତ ନାମ ଏବଂ ସୋରିନ୍ ଇନ୍‌ଭେଷ୍ଟମେଂଟ୍ ଫଣ୍ଡର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ସଞ୍ଜୟ ନାୟର ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ ଆସୋଚାମ୍ (ଆସୋସିଏଟେଡ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଅଫ୍ ଇଣ୍ଡିଆ)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀଯୁକ୍ତ ନାୟର, ଶ୍ରୀଯୁକ୍ତ ଅଜୟ ସିଂହଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ପଦଭାର ସମ୍ଭାଳିଛନ୍ତି । ଏହି ନିଯୁକ୍ତି ସହ ନାୟର୍ ସିଟିଗ୍ରୁପ୍‌ରେ ୨୫ ବର୍ଷର ଅଭିଜ୍ଞତା ଓ କେକେଆର୍‌ରେ ୧୪ ବର୍ଷର ଅଭିଜ୍ଞତା ସମେତ ଆନ୍ତର୍ଜାତୀୟ ଆର୍ଥିକ ଓ ପୁଞ୍ଜି ବଜାରରେ ୪ ଦଶନ୍ଧିର ଅନୁଭୂତି ଆଣିଛନ୍ତି । ସିଟିଗ୍ରୁପ ଛାଡିବା ପରେ ସେ ୨୦୦୯ରେ କେକେଆର ଇଣ୍ଡିଆ ଅପରେଶନ୍ସର ସ୍ଥାପନା କରିଥିଲେ । କେକେଆର୍‌ରେ ସଞ୍ଜୟ ପ୍ରାଇଭେଟ ଇକ୍ୱିଟି, ରିଅଲ ଇଷ୍ଟେଟ, ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ରେ ୧୪ ବିଲିୟନ ଡଲାରର ନିବେଶର ନେତୃତ୍ୱ ନେଇଥିଲେ । ସେ ଭାରତ, ୟୁଏସ୍‌ଏ ଓ ୟୁକେରେ ୨୫ ବର୍ଷ ପର୍ଯ୍ୟନ୍ତ ସିଟିଗ୍ରୁପ୍‌ରେ ବରିଷ୍ଠ ନେତୃତ୍ୱ ଭାବେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଛନ୍ତି । ସେ ସିଟିଗ୍ରୁପ୍‌ର ଭାରତୀୟ ଓ ଦକ୍ଷିଣ ଏସୀୟ ପରିଚାଳନାର ସିଇଓ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ସିଟିଗ୍ରୁପ୍‌ର ଗ୍ଲୋବାଲ ମ୍ୟାନେଜମେଂଟ୍ କମିଟି ଓ ଏସିଆ ଏକ୍‌ଜିକ୍ୟୁଟିଭ ଅପରେଟିଂ କମିଟିର ସଦସ୍ୟ ଥିଲେ ।
ସେ ଓ ତାଙ୍କ ପତ୍ନୀ ଫାଲ୍‌ଗୁନୀ ନାୟରଙ୍କ ଦ୍ୱାରା ସ୍ଥାପିତ ନୂତନ ଯୁଗର ଇକମର୍ସ କମ୍ପାନୀ ନାଇକାରେ ସଞ୍ଜୟ ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ନିକଟରେ ସଞ୍ଜୟ ଭାରତ ସରକାରଙ୍କ ବୋର୍ଡ ଅଫ୍ ଟ୍ରେଡ୍‌ର ଅଣଔପଚାରିକ ସଦସ୍ୟ ଭାବେ ନିଯୁକ୍ତ ହୋଇଥିଲେ ଏବଂ ସେ ନ୍ୟାଶନାଲ ଷ୍ଟାର୍ଟଅପ୍ ଆଡ୍‌ଭାଇଜରୀ କାଉନ୍ସିଲର ଜଣେ ସଦସ୍ୟ ଅଟନ୍ତି । ଏହି ପଦବୀରେ ନିଯୁକ୍ତ ହେବା ପରେ ସଞ୍ଜୟ କହିଛନ୍ତି, “ଦେଶର ସେବାରେ ୧୦୦ ବର୍ଷରୁ ଅଧିକ ଯୋଗଦାନ ଦେଇଥିବା ଏକ କେନ୍ଦ୍ରୀୟ ସଂସ୍ଥା ଆସୋଚାମର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବା ମୋ ପାଇଁ ଏକ ସମ୍ମାନର ବିଷୟ । ଅଧ୍ୟକ୍ଷତା ସମୟରେ ମୋର ଅସୋଚାମ୍‌ର ସହକର୍ମୀ ଓ ମୁଁ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଲକ୍ଷ୍ୟକୁ ପୂରଣ କରିବା ଦିଗରେ ସରକାରଙ୍କ ସହ ମିଶି କାର୍ଯ୍ୟ କରିବୁ । ଦେଶର ସ୍ଥାୟିତ୍ୱ ଲକ୍ଷ୍ୟଗୁଡିକୁ ହାସଲ କରିବା ପାଇଁ ଶିଳ୍ପ ଦ୍ୱାରା କରାଯାଉଥିବା ପ୍ରୟାସଗୁଡିକରେ ସହଯୋଗ କରିବା ପାଇଁ ମୁଁ ଅପେକ୍ଷା କରିଛି । ଆସୋଚାମ ନେତୃତ୍ୱାଧୀନ ଷ୍ଟାର୍ଟଅପ୍ ମହାକୁମ୍ଭର ସଫଳତାକୁ ଦୃଷ୍ଟିରେ ରଖି ଘରୋଇ ଓ ସାର୍ବଜନିନ ସଂଚୟ ଦ୍ୱାରା ସମର୍ଥିତ ଷ୍ଟାର୍ଟଅପ୍ ସଂସ୍କୃତିକୁ ଅନୁକରଣ କରିବା ପାଇଁ ମୁଁ ଅପେକ୍ଷା କରିଛି । ଦେଶର ନିର୍ମାଣର ପ୍ରୟାସରେ ଆସୋଚାମ ଏକ ସକ୍ରିୟ ଭୂମିକା ଗ୍ରହଣ କରିବା ଜାରି ରଖିବ ।”
ସେହିପରି ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ ଜଣାଇ ଆସୋଚାମର ସାଧାରଣ ସଚିବ ଦୀପକ ସୁଦ୍ କହିଛନ୍ତି, “ସଞ୍ଜୟଙ୍କ ନେତୃତ୍ୱ ସଂଘକୁ ନିଜର ଅଭିବୃଦ୍ଧିର ୪ଟି ସ୍ତମ୍ଭକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିବ । ଆମାଗୀ ବର୍ଷଗୁଡିକରେ ଆସୋଚାମ୍ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ବିକାଶ ଏବଂ ବିଶେଷ କରି ଏଆଇ ଭଳି ଉଦୀୟମାନ ଟେକ୍ନୋଲୋଜିଗୁଡିକର ବ୍ୟବହାର ସୁଗମ କରିବା ପାଇଁ ସଞ୍ଜୟଙ୍କ ଅଭିଜ୍ଞତା ଓ ନେଟ୍‌ୱର୍କ ଉପରେ ନିର୍ଭର କରିବ । ଆସୋଚାମ ସ୍ଥାୟିତ୍ୱ, ଉଦ୍ୟୋଗିକତା, ସଶକ୍ତିକରଣ ଓ ଡିଜିଟାଲୀକରଣର ୪ଟି ସ୍ତମ୍ଭ ଉପରେ କାର୍ଯ୍ୟ କରୁଛି ।”

 


Share It

Comments are closed.