ମଦ ଦୋକାନୀଙ୍କୁ ପୁରସ୍କାର ପ୍ରସ୍ତାବ ସମ୍ପୂର୍ଣ ଅସମ୍ବେଦନଶୀଳ – ମୋନା


ଅବକାରୀ ବିଭାଗର ଷ୍ଟାଣ୍ଡିଂ କମିଟି ଦ୍ୱାରା ଯେଉଁ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀମାନେ ଅଧିକ ମଦ ବିକ୍ରି କରୁଛନ୍ତି, ସେମାନଙ୍କୁ ପୁରସ୍କୃତ କରିବା ପାଇଁ ଓଡ଼ିଶା ବିଧାନସଭାର ବିଭାଗୀୟ ଗୃହ କମିଟି ସୁପାରିସ୍‌ କରିବା ପରେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କମିଟି ପକ୍ଷରୁ ଏହାର ସୁପାରିଶରେ ଦୋକାନୀ ମାନେ ଧାର୍ଯ୍ୟ ମିନିମମ୍ ଗ୍ୟାରେଣ୍ଟି କୋଟା ବିକ୍ରି ସମ୍ପୂର୍ଣ କଲେ କିମ୍ବା ଧାର୍ଯ୍ୟ ଲକ୍ଷ ଠାରୁ ଅଧିକ ବିକ୍ରି କଲେ ପୁରସ୍କାର କରାଯିବା କଥା କୁହାଯାଇଛି । ତେବେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ(ମୋନା) ପକ୍ଷରୁ ଏଭଳି ବିଚାରକୁ ନିନ୍ଦା କରାଯିବା ସହ, ଏହି ସୁପାରିଶକୁ ଶତାବ୍ଦୀର ସର୍ବ ଶ୍ରେଷ୍ଠ ଲଜ୍ଜା ଅଭିହିତ କରାଯାଇଛି ।

ମୋନାର ସମ୍ପାଦକ ଶ୍ରୀଯୁକ୍ତ ରମାକାନ୍ତ ମଣ୍ଡଳ, ବର୍ତମାନର ସରକାରଙ୍କ ମଦନୀତି ଓ ବିଧାନସଭା ଅବକାରୀ କମିଟୀର ସୁପାରିଶ ସ୍ପଷ୍ଟ କରୁଛି ମଦ ଉପଦ୍ରବରେ ଉତ୍ପିଡୀତ ଜନସାଧାରଣଙ୍କ ପ୍ରତି ସରକାରଙ୍କର ଅବିଚାର କେତେ ।୨୦୨୦ ସୁଦ୍ଧା ଦୁର୍ଘଟଣା ଜନିତ ମୃତ୍ୟ ୫୦% କମିବ ବୋଲି ମନ୍ତ୍ରୀ ଘୋଷଣା କରୁଥିବାବେଳେ ଦୁର୍ଘଟଣାର ମୁଖ୍ୟକାରଣ ମଦ ପ୍ରସାରଣ ବ୍ୟାପକ କରିବାପାଇଁ ପୁରସ୍କାର ରାଶି ବିତରଣ ଯୋଜନା ତିଆରି କରୁଛନ୍ତି ।

ରାଜ୍ୟରେ ସରକାରଙ୍କ ତରଫରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୧୮ ମସିହାରେ ଦେଶରେ ରାସ୍ତା ଦୁର୍ଘଟଣାରେ ପ୍ରାୟ ୧,୪୮,୯୫୦ ପ୍ରାଣ ହରାଇଥିଲାବେଳେ ରାଜ୍ୟରେ ୫,୩୧୫ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୧୦୦୦ ରୁ ଉଦ୍ଧ୍ୱର୍ ଲୋକ ଆହତ ହେବା ଏବଂ ଏଥିରୁ ଅଧିକାଂଶ ମଦଜନିତ ଘଟଣା ହୋଇ ରାଜ୍ୟର ସାମାଜିକ ଅବସ୍ଥାକୁ ଅତ୍ୟନ୍ତ ଉଦ୍ବେଗଜନକ କରିଛି । ଏହାକୁ ବିଚାର ନ କରି ମଦ ମାଫିଆଙ୍କ କବଳରେ ସରକାର ପଡି ଗଣତାନ୍ତ୍ରିକ ବ୍ୟବସ୍ଥାରେ ସର୍ବୋଚ୍ଚ କ୍ଷମତାର ଉତ୍ସ ଜନସାଧାରଣଙ୍କ ଆଶିର୍ବାଦରୁ ନିର୍ବାଚନ ବୈତରଣୀ ପାର ହେଉ ହେଉ ସେହି ସାଧାରଣ ଜନତାଙ୍କୁ ଉପେକ୍ଷା କଲେ ତାର ପରିଣାମ ଅତ୍ୟନ୍ତ ଭୟାବହ ହେବ ବୋଲି ପ୍ରକାଶ କରି ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ଏଭଳି ବିଚାରକୁ ନିନ୍ଦା କରିବା ସହ ତୁରନ୍ତ ରାଜ୍ୟରେ ୧୯୫୬ ନିଶାନିବାରଣ ଆଇନକୁ କାର୍ଯ୍ୟକାରୀ କରିବାକୁ ଦାବି ଜଣାଉଛି ।


Share It

Comments are closed.