ଗୁଜୁରାଟରେ ବିଶ୍ୱର ସବୁଠାରୁ ବଡ ପ୍ରାଣୀଉଦ୍ୟାନ ନିର୍ମାଣ କରିବ ରିଲାଏନ୍ସ, ରହିବେ ୧୦୦ ପ୍ରଜାତିର ପ୍ରାଣୀ


ଗୁଜୁରାଟର ଜାମନଗରରେ ବିଶ୍ୱର ସର୍ବବୃହତ ପ୍ରାଣୀ ଉଦ୍ୟାନ ନିର୍ମାଣ କରିବ ବୋଲି ଶନିବାର ଦିନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ନିଶ୍ଚିତ କରିଛନ୍ତି। ଏହି ପ୍ରାଣୀ ଉଦ୍ୟାନରେ ଭାରତ ତଥା ବିଶ୍ବର ପ୍ରାୟ ୧୦୦ ରୁ ଅଧିକ ପ୍ରଜାତିର ପ୍ରାଣୀ, ପକ୍ଷୀ ଏବଂ ସରୀସୃପ ରହିବେ।

ଏହା ହେଉଛି ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରକଳ୍ପ । ନିର୍ମାଣ ହେବାକୁ ଥିବା ଏହି ପ୍ରାଣୀଉଦ୍ୟାନ ୨୮୦ ଏକର ଜମିରେ ପରିବେଷ୍ଟିତ ହେବ । ଜାମନଗରରେ ଥିବା କମ୍ପାନୀର ତୈଳ ବିଶୋଧନ ପ୍ରକଳ୍ପ ନିକଟରେ ଏହାକୁ ନିର୍ମାଣ କରାଯିବ ।

ରିଲାଏନ୍ସ ଅଧିକାରୀଙ୍କ କହିବାନୁସାରେ, ଯଦି କୌଣସି ପ୍ରତିବନ୍ଧକ ନ ରୁହେ ତେବେ ଆଶନ୍ତା ୨ ବର୍ଷ ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ ଏହି ଚିଡିଆଖାନା ଖୋଲିବ । ଏଥିପାଇଁ ସରକାରୀ ପ୍ରକ୍ରିୟା ଶେଷ ହୋଇଯାଇଛି । ସମସ୍ତ ଅନୁମତି ମଧ୍ୟ ମିଳିଛି । ଚିଡିଆଖାନାରେ ଫ୍ରଗ୍ ହାଉସ୍, ଇନସେକ୍ଟ ଲାଇଫ୍, ଡ୍ରାଗନ୍ସ ଲ୍ୟାଣ୍ଡ୍, ଏକଜୋଟିକ୍ ଆଇସଲ୍ୟାଣ୍ଡ ଆଦି ରହିବ । ସମସ୍ତ ଯୋଜନା ସେଣ୍ଟ୍ରାଲ୍ ଜୁ ଅଥରିଟୀର ଓ୍ୱେବସାଇଟରେ ସେୟାର କରାଯାଇଛି ।

ଚିଡିଆଖାନାରେ ବାର୍କିଂ ଡିଅର, ବାଘ, ଭାଲୁ, ହାତୀ, ସିଂହ, ଆଫ୍ରିକାନ ଲାୟନ, ଜାଗୁଆର, ଜିରାଫ, ମାଙ୍କଡ, ଚିତା ଆଦିଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି । ଏହା ଦ୍ୱାରା ଦେଶରେ ବେସରକାରୀ ଚିଡିଆଖାନାରେ ଏକ ନୂଆ ଅଧ୍ୟାୟ ଯୋଡି ହେବ ବୋଲି କହିଛନ୍ତି ରିଲାଏନ୍ସର କର୍ପୋରେଟ୍ ଆଫାୟାର୍ସ ଡାଇରେକ୍ଟର ପରିମଳ ନାଥଓ୍ୱାନୀ ।


Share It

Comments are closed.