ଓୟୋ ପକ୍ଷରୁ ଓଡିଶାରେ ପ୍ରଥମ ହୋମ୍‌ଷ୍ଟେ’ ଉନ୍ମୋଚିତ


ଭୁବନେଶ୍ୱର: ଗ୍ଲୋବାଲ ହସ୍ପିଟାଲିଟି ଟେକ୍ନୋଲୋଜି କମ୍ପାନୀ ଓୟୋ ଓଡିଶାର ତୀର୍ଥଯାତ୍ରା ସହର ପୁରୀରେ ନିଜର ପ୍ରଥମ ହୋମ୍‌ଷ୍ଟେ’ର ଶୁଭାରମ୍ଭ କରିବା ପାଇଁ ଓଡିଶା ଦକ୍ଷତା ବିକାଶ ନିଗମ (ଓଏସ୍‌ଡିଏ) ସହ ହାତ ମିଳାଇଛି । ଏହି ହୋମ୍‌ଷ୍ଟେକୁ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଉଦ୍‌ଘାଟନ କରିଛନ୍ତି । ଉଦ୍‌ଘାଟନ ଅବସରରେ କ୍ରୀଡା ମନ୍ତ୍ରୀଙ୍କ ସହ ଓଏସ୍‌ଡିଏର ଅଧ୍ୟକ୍ଷ ଶ୍ରୀମତି ଅଳକା ମିଶ୍ର ଉପସ୍ଥିତ ଥିଲେ । ଏହି ସହଭାଗିତା ହୋମ୍‌ଷ୍ଟେକୁ ସଫଳ ଭାବେ ପରିଚାଳନା କରିବା, ଉଦ୍ୟୋଗିକତା ବିକଶିତ କରିବା ଏବଂ ଏକ ଅତିରିକ୍ତ ଆୟ ଉତ୍ସ ସୃଷ୍ଟି କରିବା ପାଇଁ ସ୍ଥାନୀୟ ଲୋକମାନଙ୍କୁ ଆବଶ୍ୟକୀୟ ଦକ୍ଷତା ଓ ତାଲିମ ସହ ସୁସଜ୍ଜିତ କରିବା ଉପରେ ଗୁରୁତ୍ୱ ଦେବ । ଗତ ଫେବୃଆରୀ ୧୯ ତାରିଖରେ ଭୁବନେଶ୍ୱରରେ ‘ଦ ଗ୍ଲୋବାଲ ସମିଟ୍ ଅନ୍ ଗ୍ରୋଥ୍ ଆଣ୍ଡ ଏମ୍ପେ୍ଲାୟମେଂଟ୍ ୨୦୨୪’ରେ ଓୟୋ ଏବଂ ଓଏସ୍‌ଡିଏ ମଧ୍ୟରେ ହୋମ୍‌ଷ୍ଟେଗୁଡିକୁ ସ୍ଥାପନ କରିବା ପାଇଁ ଏକ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓୟୋର ପ୍ରତିଷ୍ଠାତା ଓ ଗ୍ରୁପ୍ ସିଇଓ ରିତେଶ ଅଗ୍ରୱାଲ ଏବଂ ଓଏସ୍‌ଡିଏର ସିଇଓ, ଆଇଏଏସ୍ ରଘୁ ଜି.ଙ୍କ ମଧ୍ୟରେ ଏହି ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଥିଲା ।
ଭବିଷ୍ୟତକୁ ଦୃଷ୍ଟିରେ ରଖି ଓୟୋ ଓଡିଶାର କୋଣାର୍କ, ପୁରୀ, ରଘୁରାଜପୁର ଓ ଅନ୍ୟାନ୍ୟ ଲୋକପ୍ରିୟ ଗନ୍ତବ୍ୟସ୍ଥଳୀଗୁଡିକରେ ଆସନ୍ତା କିଛି ବର୍ଷ ମଧ୍ୟରେ ଅତିରିକ୍ତ ୫୦ଟି ହୋମ୍‌ଷ୍ଟେର ଶୁଭାରମ୍ଭ କରି ରାଜ୍ୟରେ ନିଜର ଉପସ୍ଥିତି ବିସ୍ତାର କରିବାକୁ ଯୋଜନା ରଖିଛି, ଯାହା ପର୍ଯ୍ୟଟକଙ୍କୁ ଏକ ବିସ୍ତୃତ ଶୃଙ୍ଖଳାର ରହଣୀ ବିକଳ୍ପ ପ୍ରଦାନ କରିବ । କମ୍ପାନୀ ପକ୍ଷରୁ ଅଯୋଦ୍ଧା, ଜମ୍ମୁକଶ୍ମୀର ଓ ଏକ୍‌ତା ନଗରଠାରେ ସ୍ଥାନୀୟ କର୍ତୃପକ୍ଷଙ୍କ ସହ ସହଭାଗିତାରେ ସମାନ ହୋମ୍‌ଷ୍ଟେ କାର୍ଯ୍ୟକ୍ରମଗୁଡିକୁ ସଫଳତାର ସହ ଶୁଭାରମ୍ଭ କରାଯାଇଛି । ଏହି ସହଭାଗିତା ସମ୍ପକୟରେ ଓୟୋର ପ୍ରତିଷ୍ଠାତା ଓ ଗ୍ରୁପ ସିଇଓ ରିତେଶ ଅଗ୍ରୱାଲ କହିଛନ୍ତି, ‘ଓଡିଶାର ପୁଅ ଓ ପ୍ରଭୁ ଜଗନ୍ନାଥଙ୍କର ଜଣେ ଭକ୍ତ ଭାବେ ପୁରୀରେ ଆମର ପ୍ରଥମ ହୋମ୍‌ଷ୍ଟେର ଶୁଭାରମ୍ଭ କରିବା ମୋ ପାଇଁ ବ୍ୟକ୍ତିଗତ ଭାବେ ଏକ ଗର୍ବର ମୁହୂର୍ତ । ମୋ ନିଜ ରାଜ୍ୟର ଆତିଥ୍ୟ କ୍ଷେତ୍ରରେ ଯୋଗଦାନ ଦେବା ମୋ ପାଇଁ ସମ୍ମାନର ବିଷୟ ଅଟେ । ପୁରୀରେ ଆମର ପ୍ରଥମ ହୋମ୍‌ଷ୍ଟେ କେବଳ ଏକ ବ୍ୟବସାୟିକ ପ୍ରୟାସ ନୁହେଁ ବରଂ ସ୍ଥାନୀୟ ଲୋକମାନଙ୍କୁ ସେମାନଙ୍କର ରୋଜଗାର ବୃଦ୍ଧି କରିବା ପାଇଁ ସୁଯୋଗ ପ୍ରଦାନ କରି ତୀର୍ଥଯାତ୍ରୀ ଓ ପରିଦର୍ଶକମାନେ ଯେପରି ସର୍ବୋତମ ମାନର ରହଣୀ ସୁବିଧା ପାଇପାରିବେ ତାହା ସୁନିଶ୍ଚିତ କରିବା ପାଇଁ ଏକ ବ୍ୟକ୍ତିଗତ ପ୍ରତିବଦ୍ଧତା ଅଟେ ।’
ଏସମ୍ପର୍କରେ ଓୟୋର ଷ୍ଟ୍ରାଟେଜିକ ଆଲିଆନ୍ସ ବିଭାଗର ମୁଖ୍ୟ ନିତିନ ଠାକୁର, ‘ଓଡିଶା ଦକ୍ଷତା ବିକାଶ ନିଗମ ସହ ଆମର ସହଭାଗିତା , ଓଡିଶାରେ ଉଦ୍ୟୋଗିକତାକୁ ବିକଶିତ କରିବା ଓ ସ୍ଥାୟୀ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ସୂଚିତ କରୁଛି । ମିଳିତ ଭାବେ ଆମେ ଏହି ଅଂଚଳର ଆତିଥ୍ୟ କ୍ଷେତ୍ରର ସମ୍ପୂର୍ଣ୍ଣ କ୍ଷମତାକୁ ଉନ୍ମୋଚନ କରିବା ପାଇଁ ପ୍ରତିବଦ୍ଧୁ ରହିଛୁ ।’ ସେହିପରି ଓଡିଶାର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ‘ଓଡିଶା ସରକାର ରାଜ୍ୟରେ ହୋମ୍‌ଷ୍ଟେଗୁଡିକର ଶୁଭାରମ୍ଭ କରିବା ପାଇଁ ଓୟୋର ପଦକ୍ଷେପକୁ ସ୍ୱାଗତ କରୁଛନ୍ତି । ଏହି ପ୍ରକଳ୍ପ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଏବଂ ଆମର ଯୁବପିଢି ପାଇଁ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବା ନେଇ ଆମର ଲକ୍ଷ୍ୟ ସହ ଉପଯୁକ୍ତ ଭାବେ ଜଡିତ ରହିଛି ।’ ଓଡିଶା ଦକ୍ଷତା ବିକାଶ ନିଗମର ଅଧ୍ୟକ୍ଷ ଅଳକା ମିଶ୍ର କହିଛନ୍ତି, ‘ଆମେ ଏହି ପ୍ରଭାବଶାଳୀ ପ୍ରକଳ୍ପରେ ଓୟୋ ସହ ସହଭାଗିତା କରି ଆନନ୍ଦିତ । ଏହି ପଦକ୍ଷେପ ସ୍ଥାନୀୟ ଲୋକମାନଙ୍କୁ ଆୟର ଏକ ଅତିରିକ୍ତ ଉତ୍ସ ପ୍ରଦାନ କରି ଓ ଉଦ୍ୟୋଗିକତା ବିକଶିତ କରି ସେମାନଙ୍କୁ ସଶକ୍ତ କରିବ ।’

 


Share It

Comments are closed.