୧୪ ବର୍ଷିୟ ବାଳକଙ୍କୁ ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ମୟୂରଭଞ୍ଜ: ଜଣେ ଥାଲାସେମିଆ ରୋଗୀଙ୍କୁ ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସର ଦୁଇଜଣ କର୍ମଚାରୀ । ଘଟଣାନୁଯାୟୀ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଅନ୍ତର୍ଗତ ନାହାଡ଼ସୋଲି ଅଂଚଳର ଦେବରାଜ ମହାନ୍ତ(୧୪ବର୍ଷ) ନାମକ ଜଣେ ବାଳକ ଥାଲାସେମିଆ ରୋଗରେ ପୀଡ଼ିତ ହୋଇ ବାରିପଦା ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ସେଠାରେ ହଠାତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଡାକ୍ତର ତୁରନ୍ତ ରୋଗୀଙ୍କ ସମ୍ପର୍କୀୟଙ୍କୁ ଏ’ପଜିଟିଭ ବ୍ଲଡ ଗ୍ରୁପର ରକ୍ତ ଯୋଗାଡ଼ କରିବା ଲାଗି ପରାମର୍ଶ ଦେଲେ । ମାତ୍ର ଦୁର୍ଭାଗ୍ୟବଶତଃ ଡାକ୍ତରଖାନା ବ୍ଲଡବ୍ୟାଙ୍କରେ ଉକ୍ତ ବ୍ଲଡ ଗ୍ରୁପର ରକ୍ତ ଉପଲବ୍ଧ ନଥିଲା । ସମାନ ସମୟରେ ଅନ୍ୟ ଜଣେ ରୋଗୀଙ୍କୁ ନେଇ ସେହି ଡାକ୍ତରଖାନାକୁ ଆସିଥିବା ୧୦୮ ଆମ୍ବୁଲାନ୍ସର ଇଏମଟି ଦୀପକ ଭାନୁ ମହାପାତ୍ର ଏବଂ ସହାୟକ ସତ୍ୟ ନାରାୟଣ ଦାସ ଏହି ରୋଗୀଙ୍କ ସମ୍ପର୍କରେ ଜାଣିବାକୁ ପାଇଲେ । ଭାଗ୍ୟକୁ ଉଭୟ କର୍ମଚାରୀଙ୍କ ବ୍ଲଡଗ୍ରୁପ ମଧ୍ୟ ଏ’ପଜିଟିଭ ଥିଲା । ତେଣୁ ଆଉ ବିଳମ୍ବ ନକରି ଉଭୟ କର୍ମଚାରୀ ତୁରନ୍ତ ରକ୍ତଦାନ କରିବାକୁ ଆଗେଇ ଆସି ଗୋଟିଏ ୟୁନିଟ ଲେଖାଏଁ ଏ’ପଜିଟିଭ ବ୍ଲଡଗ୍ରୁପର ରକ୍ତ ଦାନ କଲେ । ତାଙ୍କର ଏହି ମହାନତା ସେହି ୧୪ବର୍ଷୀୟ ବାଳକଙ୍କ ପାଇଁ ଏକ ନୂଆ ବରଦାନ ପାଲଟିଛି । ଏଥିପାଇଁ ଉଭୟ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଖୁବ ପ୍ରଶଂସିତ ମଧ୍ୟ ହୋଇଛନ୍ତି ।


Share It

Comments are closed.