ବିଶ୍ୱ ଆଇପି ଦିବସରେ ଓଡ଼ିଶାର ପ୍ରଥମ ଷ୍ଟାର୍ଟଅପ୨୦ଏକ୍ସ କାର୍ଯ୍ୟକ୍ରମ ଆୟୋଜିତ


ଭୁବନେଶ୍ୱର: ଭାରତ ସରକାରଙ୍କ ନୀତି ଆୟୋଗ, ଏଆଇଏମ ଦ୍ୱାରା ସମର୍ଥିତ ଅଟଳ ଇନକ୍ୟୁବେସନ ସେଂଟର ନାଳନ୍ଦା ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଫାଉଣ୍ଡେସନ(ଏଆଇସି-ନାଳନ୍ଦା) ପକ୍ଷରୁ ଚଳିତ ଏପ୍ରିଲ ୨୬ ତାରିଖରେ ୱାର୍ଲଡ ଇଟେଂଲେକ୍‌ଚୁଆଲ ପ୍ରପର୍ଟି ଡେ ପାଳନ କରାଯାଇଛି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର, ଆଇକ୍ୟୁଏସି ଏବଂ ଆଇପିଆର ସେଲ ସହଭାଗୀତାରେ ପାଳିତ ହୋଇଥିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ବୌଦ୍ଧିକ ଗୁଣଧର୍ମ ଅଧିକାର ଏବଂ ଅନୁସନ୍ଧାନ ଓ ନବସୃଜନ କ୍ଷେତ୍ରରେ ଏହାର ମହତ୍ୱ ସମ୍ପର୍କରେ ଅବଗତ କରାଇବା ଏବଂ ସଚେତନତା ସୃଷ୍ଟି କରିବା । ଏହି କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଏଆଇସି ନାଳନ୍ଦା ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପକ୍ଷରୁ ମିଳିତ ଭାବେ ଓଡ଼ିଶାର ପ୍ରଥମ ଷ୍ଟାର୍ଟଅପ୨୦ଏକ୍ସ ଇଭେଂଟର ଆୟୋଜନ କରାଯାଇଥିଲା, ଯାହାକି ଜି୨୦ର ଷ୍ଟାର୍ଟଅପ୨୦ ଏନଗେଜମେଂଟ ଗ୍ରୁପ ଅଧିନସ୍ଥ ଏକ ପଦକ୍ଷେପ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ସିପିଜିସି, ପ୍ରଫେସର ଚାନ୍ଦୀ ଚରଣ ରଥ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ସସ୍ମିତା ମହାନ୍ତି ଏବଂ ଏଆଇସି-ଏନଆଇଟିଏଫ ସିଇଓ ଶ୍ରୀ ଦେବଜ୍ୟୋତି ମହାନ୍ତି ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ଏବଂ ଏହି ଦିବସର ମହତ୍ୱ ଉପରେ ନିଜ ନିଜର ବିଚାର ରଖିଛନ୍ତି ।

ବିଶ୍ୱବ୍ୟାପୀ ଥିମ ‘ଓମେନ ଏବଂ ଆଇପି : ଆକ୍‌ସେଲରେଟିଙ୍ଗ ଇନୋଭେସନ ଆଣ୍ଡ କ୍ରିଏଟିଭିଟି’ କୁ ଦୃଷ୍ଟିରେ ରଖି ଲୁମିନସ ଇନଫୋୱେଜ ଅଧ୍ୟକ୍ଷା ଜୟଶ୍ରୀ ମହାନ୍ତି ଉଦ୍ୟୋଗିକ ଗବେଷଣା ଏବଂ ନବସୃଜନ କ୍ଷେତ୍ରରେ ମହିଳାଙ୍କ ଭୂମିକା ଉପରେ ବିଚାରବିମର୍ଶ କରିଥିଲେ । ସେହିଭଳି ୟୁଏନଡିପି(ଓଡ଼ିଶା) ରାଜ୍ୟ ମୁଖ୍ୟ ଆଭା ମିଶ୍ର ତୃଣମୂଳ ସ୍ତରୀୟ ନବସୃଜନ କ୍ଷେତ୍ରରେ ମହିଳାଙ୍କ ଭୂମିକା ବିଷୟରେ ବର୍ଣ୍ଣନା କରିଥିଲେ ।

ଏହି ଅବସରରେ ଆୟୋଜିତ ହୋଇଥିବା ବୈଷୟିକ ଅଧିବେସନ ଦର୍ଶକଙ୍କୁ ଗଭୀର ଭାବେ ଲାଭାନ୍ୱିତ କରିଛି । ନୂଆଦିଲ୍ଲୀ, ଏସଏସ ରାଣା ଓ ଆସୋସିଏଟ, ଆସୋସିଏଟ ପାର୍ଟନର ରେଣୁ ବାଳା ଏହାର ପ୍ରଥମ ଅଧିବେସନର ନେତୃତ୍ୱ ନେଇଥିଲେ ଏବଂ ମୌଳିକ ଉପାୟ ସହିତ ବୌଦ୍ଧିକ ଗୁଣଧର୍ମ ଅଧିକାରକୁ ବୁଝିବାରେ ସମାବେଶକୁ ସାହାଯ୍ୟ କରିଥିଲେ । ସେହିପରି ଏହାର ଦ୍ୱିତୀୟ ଅଧିବେସନର ନେତୃତ୍ୱ ନେଇଥିଲେ ସିଏସଆଇର ଆଇଏମଏମଟି ବରିଷ୍ଠ ବୈଜ୍ଞାନିକ ଡା.ଟି.ପବନ କୁମାର, ଯେକି ଅନୁସନ୍ଧାନ ଏବଂ ନବସୃଜନ କ୍ଷେତ୍ରରେ ଆଇପିର ମହତ୍ୱ ସମ୍ପର୍କରେ କହିଛନ୍ତି । ସହରର ବିଭିନ୍ନ ସ୍କୁଲ ଏବଂ କଲେଜରୁ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଏଆଇସି-ନାଳନ୍ଦା ଉଦ୍ଭାବକମାନଙ୍କର ଏକ ନେଟୱର୍କ ନିର୍ମାଣ କରିବାକୁ ଇଚ୍ଛା ରଖିଛି, ଯେଉଁମାନଙ୍କୁ ଅନୁସନ୍ଧାନ ଏବଂ ନବସୃଜନକୁ ଗ୍ରହଣ କରିବା ଲାଗି ପ୍ରୋତ୍ସାହିତ କରାଯିବ ।


Share It

Comments are closed.