ରକ୍ତହୀନତା ପୀଡ଼ିତାଙ୍କୁ ରକ୍ତଦାନ କରି ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ଢେଙ୍କାନାଳ: ରକ୍ତହୀନତାରେ ପୀଡ଼ିତ ଜଣେ ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ଗୀତା ଗୋଚ୍ଛାୟତ ନାମକ ଜଣେ ମହିଳା ରକ୍ତହୀନତାରେ ପୀଡ଼ିତ ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ଗୀତାଙ୍କ ସମ୍ପର୍କୀୟଙ୍କୁ ତୁରନ୍ତ ରକ୍ତ ଯୋଗାଡ଼ କରିବାକୁ ପରାମର୍ଶ ଦେଇଥିଲେ । ମାତ୍ର ସେହି ସମୟରେ ଗୀତାଙ୍କ ବ୍ଲଡଗ୍ରୁପର ରକ୍ତ ଡାକ୍ତରଖାନାରେ ଉପଲବ୍ଧ ନଥିଲା । ଏଭଳି ପରିସ୍ଥିତିରେ ରୋଗୀଙ୍କ ସମ୍ପର୍କୀୟ ଅସହାୟ ହୋଇପଡ଼ିଥିଲେ । କିନ୍ତୁ ସୌଭାଗ୍ୟବସତଃ ଏହି ସମୟରେ ସେହି ଡାକ୍ତରଖାନାରେ ଉପସ୍ଥିତ ଥିବା ୧୦୮ ଆମ୍ବୁଲାନ୍ସର କାର୍ଯ୍ୟରତ ଇ.ଏମ.ଟି ବିନୟ ସାହୁ ଉକ୍ତ ରୋଗୀଙ୍କ ସମ୍ପର୍କରେ ଜାଣିବାକୁ ପାଇଲେ ଏବଂ ତାଙ୍କର ବ୍ଲଡଗ୍ରୁପ ମଧ୍ୟ ରୋଗୀଙ୍କ ବ୍ଲଡଗ୍ରୁପ ଅନୁଯାୟୀ ସମାନ ଥିଲା । ତେଣୁ ସେ ଆଉ କୌଣସି ପ୍ରକାର ବିଳମ୍ବ ନକରି ତୁରନ୍ତ ଯାଇ ରକ୍ତହୀନତାରେ ପୀଡ଼ିତ ସେହି ରୋଗୀଙ୍କୁ ରକ୍ତ ଦାନ କଲେ । ଏଭଳି ଜଟିଳ ପରିସ୍ଥିତିରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା ପାଇଁ ତାଙ୍କୁ ସଭିଏଁ ସାଧୁବାଦ ଜଣାଇଛନ୍ତି ।


Share It

Comments are closed.