ରାଜ୍ୟକୁ ଏକ ଆନ୍ତର୍ଜାତୀୟ ଦକ୍ଷତା କେନ୍ଦ୍ର କରିବା ପାଇଁ ସଙ୍କଳ୍ପ ନେଇଛି ଓଡିଶା


ଭୁବନେଶ୍ୱର, ୨୨ ଏପ୍ରିଲ ୨୦୨୩:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱରା ଗତ ଗୁରୁବାର ଉଦ୍‌ଘାଟିତ ହୋଇଥିବା ତିନିଦିନିଆ ଓଡିଶା ସ୍କିଲ କନ୍‌କ୍ଲେଭ୍ ୨୦୨୩ ଆଜି ସଫଳତାର ସହ ଶେଷ ହୋଇଛି । ନିଜ ଉଦ୍‌ଘାଟନୀ ସମ୍ବୋଧନରେ ମୁଖ୍ୟମନ୍ତ୍ରୀ ଦେଶରେ ନୂତନ ଯୁଗର ବୈଷୟିକ ଦକ୍ଷତା କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟଗୁଡିକ ମଧ୍ୟରେ ଉନ୍ନତ ସହଯୋଗିତା ପାଇଁ ଆହ୍ୱାନ ଦେଇଥିଲେ । ସେ କହିଥିଲେ ‘କ୍ଲାଉଡ୍ କମ୍ପ୍ୟୁଟିଂ, ଆର୍ଟିଫିସିଆଲ ଟେକ୍ନୋଲୋଜି, ଡାଟା ସାଇନ୍ସ ସମେତ ଭବିଷ୍ୟତର ଟେକ୍ନୋଲୋଜିଗୁଡିକ କ୍ଷେତ୍ରରେ ଯୁବପିଢିଙ୍କୁ ପ୍ରଶିକ୍ଷିତ କରିବା ପାଇଁ ଓଡିଶା ଏକ ନୂଆ ଯୋଜନା ‘ନୂଆ ଓଡିଶା’ ପାଇଁ ଚଳିତ ବର୍ଷ ବଜେଟ୍‌ରେ ୧୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛି ।’

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ‘ଓଡିଶା ଦକ୍ଷତା ପ୍ରତି ଉତ୍ସର୍ଗୀକୃତ ରହିଛି ଏବଂ ରାଜ୍ୟ ସରକାର ୭୦ ଲକ୍ଷ ମହିଳାଙ୍କ ଜୀବନକୁ ପରିବର୍ତନ କରିବା ଏବଂ ସେମାନଙ୍କୁ ଉଦ୍ୟୋଗୀରେ ପରିଣତ ହେବା ପାଇଁ ସହଯୋଗ କରିବା ଲାଗି ମିଶନ ଶକ୍ତି ଭଳି ଅଭିଯାନଗୁଡିକର ଶୁଭାରମ୍ଭ କରିଛନ୍ତି ।’

ସେହିପରି ସମ୍ପ୍ରତି ଦେଶ ଗୁରୁତ୍ୱପୂର୍ଣ୍ଣ ରୂପାନ୍ତରଣର ସମ୍ମୁଖୀନ ହେଉଛି, ଦ୍ରୁତ ବୈଷୟିକ ଉନ୍ନତିକରଣ ଓ ପରିବର୍ତିତ ନିଯୁକ୍ତି ବଜାର ଆମ ପାଇଁ ଆମର ମାନବ ସମ୍ବଳରେ ନିବେଶ କରିବା ଏବଂ ଯୁବପିଢିଙ୍କୁ ଏକବିଂଶ ଶତାବ୍ଦୀରେ ସଫଳ ହେବା ପାଇଁ ଆବଶ୍ୟକ ଦକ୍ଷତାଗୁଡିକ ସହ ସୁସଜ୍ଜିତ କରିବା ଲାଗି ଗୁରୁତ୍ୱପୂର୍ଣ୍ଣ କରିଛି ବୋଲି ସମ୍ମିଳନୀର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ।

ଏହି ଅବସରରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ (ସ୍ୱାଧୀନ), ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡାଇ କହିଛନ୍ତିଯେ, ‘ଓଡିଶା ସରକାର  ସବୁବେଳେ ଆଧୁନିକ ଓ ଭବିଷ୍ୟତର ଟେକ୍ନୋଲୋଜି ଥିବା ଶିଳ୍ପଗୁଡିକ ସହ ସହଭାଗିତା କରିବା ଏବଂ ସେମାନଙ୍କୁ ଏହି ପ୍ରକ୍ରିୟାରେ ନିଶ୍ଚିତ କରିବାକୁ ଚାହିଁଁଥାନ୍ତି । ସରକାରଙ୍କ ଦ୍ୱାରା ବିଭିନ୍ନ ଦକ୍ଷ ଓ ସକ୍ରିୟ ପଦକ୍ଷେପଗୁଡିକ କାରଣରୁ ଦକ୍ଷତା କ୍ଷେତ୍ରରେ ଓଡିଶା ଅନେକ ବଡ ସଫଳତା ହାସଲ କରିପାରିଛି ।’

ଏହି କାର୍ଯ୍ୟକ୍ରମରେ  ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ, ସୁବ୍ରତ୍ ବାଗ୍‌ଚି, ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସର୍ବସାଧାରଣ ଅଭିଯୋଗ ବିଭାଗର ମୁଖ୍ୟ ବିକାଶ ଆୟୁକ୍ତ ଏବଂ ମୁଖ୍ୟ ସଚିବ ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନା, ଓଡିଶା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମୁଖ୍ୟ ସଚିବ ଶ୍ରୀମତି ଉଷା ପାଢୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

ଏହି ତିନିଦିନିଆ ସମ୍ମିଳନୀ ସମୟରେ ଓଡିଶା ସରକାର ଏବଂ ଆଇଟିଇ ଏଜୁକେଶନ ସର୍ଭିସେସ୍‌-ସିଙ୍ଗାପୁର, ସ୍ନାଇଡର ଇଲେକ୍‌ଟ୍ରିକ୍ ଫାଉଣ୍ଡେଶନ, ଫିଲିପ୍ସ ମେଶିନ୍ ଟୁଲ୍‌ସ, ମିଟୁଟୋୟୋ ସାଉଥ୍ ଏସିଆ, ଡ୍ରୋନ୍ ଫାଉଣ୍ଡେଶନ ଅଫ୍ ଇଣ୍ଡିଆ, ଫେଷ୍ଟୋ, କୋରସେରା, ଆଇଏସ୍‌ବି ଆଦି ପ୍ରତିଷ୍ଠିତ ସଂସ୍ଥାଗୁଡିକ ମଧ୍ୟରେ ମୋଟ ୨୪ଟି ଏମ୍‌ଓୟୁ ସ୍ୱାକ୍ଷର ହୋଇଥିଲା ।

ଏହି ତିନିଦିନିଆ ସମ୍ମିଳନୀରେ ଅଲୋଚନା କରାଯାଇଥିବା କିଛି ପ୍ରମୁଖ ବିଷୟବସ୍ତୁଗୁଡିକ ମଧ୍ୟରେ ବିବିଧତା ଓ ଅନ୍ତର୍ଭୁକ୍ତୀକରଣ, କ୍ଷେତ୍ର ନିର୍ଦ୍ଧିଷ୍ଟ ଦକ୍ଷତା, ପ୍ରଶିକ୍ଷଣ ଓ ମୂଲ୍ୟାୟନର ଗୁରୁତ୍ୱ, ଏଆଇ ଓ ରୋବୋଟିକ୍ ଭଳି ନୂତନ ଟେକ୍ନୋଲୋଜିଗୁଡିକର ଭୂମିକା ଆଦି ସାମିଲ ଥିଲା । ଏହି ଆଲୋଚନା ଦକ୍ଷତା କ୍ଷେତ୍ରରେ ଲିଙ୍ଗଗତ ସଶକ୍ତିକରଣ ଓ ସମାନତାର ବର୍ଦ୍ଧିତ ମହତ୍ୱ ଏବଂ ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣ (ଟିଭିଇଟି)ର ଭୂମିକା ଉପରେ ମଧ୍ୟ ପର୍ଯ୍ୟବେସିତ ଥିଲା ।

ଶକ୍ତି, ଶିକ୍ଷା, ଭିତିଭୂମି,  ତୈଳ ଓ ପ୍ରାକୃତିକ ଗ୍ୟାସ୍ ଭଳି ବିଭିନ୍ନ କ୍ଷେତ୍ରରେ ବିଶେଷଜ୍ଞମାନେ  ନିଯୁକ୍ତିର ମାର୍ଗ ପ୍ରଦର୍ଶନ କରିଥିଲେ । ଏହାବ୍ୟତୀତ ଟାଟା, ଲାର୍ସନ୍ ଆଣ୍ଡ ଟ୍ୟୁବ୍ରୋ, ଭାରତ ପେଟ୍ରୋଲିୟମ, ସ୍କିଣ୍ଡ୍‌ଲର, ମାରୁତି ସୁଜୁକି ଭଳି କର୍ପୋରେଟ୍ ସଂସ୍ଥାଗୁଡିକର ପ୍ରତିନିଧିମାନେ କୁଶଳୀ କର୍ମଚାରୀମାନଙ୍କ ପାଇଁ ନିଯୁକ୍ତି ସୁନିଶ୍ଚିତ କରୁଥିବା ପ୍ରମୁଖ କ୍ଷେତ୍ରଗୁଡିକ ଉପରେ ଆଲୋକପାତ କରିଥିଲେ ।

ସିଙ୍ଗାପୁରର ଛାତ୍ରଛାତ୍ରୀ ଓ ବିଶେଷଜ୍ଞମାନେ ରାଜ୍ୟ ସହ ସମ୍ବନ୍ଧକୁ ସୁଦୃଢ କରିବା ଏବଂ ଦ୍ୱିପାକ୍ଷିକ ନିଯୁକ୍ତି ସୁଯୋଗ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ମୋଟାମୋଟି ଭାବେ ଏହି ତିନିଦିନିଆ କାର୍ଯ୍ୟକ୍ରମ ପ୍ରାୟ ୨୦୦୦ ଛାତ୍ରଛାତ୍ରୀ, ୩୬୦ ଜଣ ଶିକ୍ଷକ, ୬୦ ଜଣ ରୋଲ୍ ମଡେଲ୍‌, ସିଙ୍ଗାପୁରରୁ ୨୫ ଜଣ ଛାତ୍ରୀଙ୍କ ଏବଂ ବିଭିନ୍ନ କ୍ଷେତ୍ରର ବକ୍ତାଙ୍କ ସମେତ ୧୦୦ ଜଣ ଉଚ୍ଚସ୍ତରୀୟ ପ୍ରତିନିଧିଙ୍କ ଅଂଶଗ୍ରହଣ ପରିଲକ୍ଷିତ ହୋଇଥିଲା । ସମ୍ମିଳନୀର ୨ୟ ଦିନରେ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆ ନିକଟରେ ପଥ ପ୍ରାନ୍ତ ଉତ୍ସବର ଆୟୋଜନ କରାଯାଇଥିଲା ।

ଏହି ସମ୍ମିଳନୀକୁ ଓଡିଶା ସରକାର, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍‌ଡିଏ) ଏବଂ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଫିକି) ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଥିଲା ।


Share It

Comments are closed.