ଲିଙ୍ଗଗତ ସମାନତା ଓ ଭିନ୍ନକ୍ଷମତା ଉପରେ ସି୨୦ କାର୍ଯ୍ୟକାରୀ ଗୋଷ୍ଠୀ ସମ୍ମିଳନୀ ଉଦ୍‌ଘାଟିତ


ଭୁବନେଶ୍ୱର, ୨୨ ଅପ୍ରେଲ ୨୦୨୩: ଜି୨୦ର ଅନ୍ୟତମ ଆନୁଷ୍ଠାନିକ ନିୟୋଜନକାରୀ ଗୋଷ୍ଠୀ ସିଭିଲ୍ ୨୦ (ସି୨୦)ର ଲିଙ୍ଗଗତ ସମାନତା ଏବଂ ଭିନ୍ନକ୍ଷମତା ଉପରେ ଶୀର୍ଷ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ ହୋଇଯାଇଛି ଏବଂ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍‌ନୋଲୋଜି (କିଟ୍‌) ଏହାକୁ ଆୟୋଜନ କରୁଛି ।
ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଡଃ.ଅଚ୍ୟୁତ ସାମନ୍ତ, ପ୍ରତିଷ୍ଠାତା, କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍‌ନୋଲୋଜି (କିଟ୍‌), ସ୍ୱାମୀ ଅମ୍ରିତାସ୍ୱରୂପାନନ୍ଦ ପୁରୀ, ଟ୍ରୋଇକା ଏବଂ ସଂଚାଳନ କମିଟି ସଦସ୍ୟ ସି୨୦ ଏବଂ ଉପାଧ୍ୟକ୍ଷ, ମାତା ଅମ୍ରିତାନନ୍ଦମୟୀ ମଠ, ଏବଂ ବିଜୟ ନାମ୍ବିଆର୍‌, ସି୨୦ ଶେର୍‌ପା ପ୍ରମୁଖ ଅନ୍ତର୍ଭୁକ୍ତ । ମରିସସ୍‌ର ଲିଙ୍ଗଗତ ସମାନତା ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଫୁଲରାଣୀ ରାମପଦାରଥ ଏବଂ ସି୨୦ ଆନ୍ତର୍ଜାତିକ ପରାମର୍ଶଦାତା କମିଟି ସଦସ୍ୟ ରାମୁ ଦାମୋଦରନ୍ ଓ ନୈଲା ଚୌଧରୀ, ମରିସସ୍ ସାଧାରଣତନ୍ତ୍ରର ସମ୍ମାନନୀୟା ଲିଙ୍ଗଗତ ସମାନତା ଓ ପରିବାର କଲ୍ୟାଣ ମନ୍ତ୍ରୀ କଳ୍ପନା ଦେବୀ କୁଞ୍ଜୁ-ଶାହ ଆଭାସୀରେ ସମବେତ ଦର୍ଶକଙ୍କୁ ଉଦ୍‌ବୋଧନ ଦେଇଥିଲେ ।
ଦୁଇଦିନିଆ ସମ୍ମିଳନୀ ଅବସରରେ ଭାରତ ଏବଂ ସମଗ୍ର ବିଶ୍ୱରୁ ୩୦୦ରୁ ଅଧିକ ପ୍ରତିନିଧି ଯୋଗଦେଇ ଆଲୋଚନା ଓ କର୍ମଶାଳାରେ ଅଂଶଗ୍ରହଣ କରିବେ ଯାହା ନୀତିଗତ ସୁପାରିଶଗୁଡିକୁ ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ କରିବ ଏବଂ ତାହା ୨୦୨୩ ଜୁଲାଇରେ ସି୨୦ ଶିଖର ସମ୍ମିଳନୀରେ ଉନ୍ମୋଚିତ ହେବ ।
ନିମନ୍ତ୍ରିତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଉଦ୍‌ବୋଧନ ଦେଇ ଡଃ.ଅଚ୍ୟୁତ ସାମନ୍ତ, ପ୍ରତିଷ୍ଠାତା, କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍‌ନୋଲୋଜି (କିଟ୍‌) କହିଥିଲେ, “ଲିଙ୍ଗଗତ ସମାନତା ଏବଂ ଭିନ୍ନକ୍ଷମମାନଙ୍କର ଅଧିକାର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ସେଗୁଡିକର ସମାଧାନ ଦିଗରେ ଆମେ ସମସ୍ତେ ସମ୍ମିଳିତ ଭାବରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଲିଙ୍ଗଗତ ସମାନତା ପୂର୍ଣ୍ଣ ଭାବରେ ହାସଲ କରିବା ପାଇଁ ଆମକୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ ସମସ୍ତ ମହିଳା ଓ ବାଳିକାମାନେ ବାଳକ ଓ ପୁରୁଷଙ୍କ ଭଳି ସମାନ ସୁଯୋଗ ଓ ଅଧିକାରର ସୁଯୋଗ ଲାଭ କରିବେ, କିନ୍ତୁ ଏହା କହିବା ଯେତିକି ସହଜ କାର୍ଯ୍ୟରେ ସେତିକି ନୁହେଁ । ଲିଙ୍ଗଗତ ଭେଦଭାବ ଆମ ସମାଜରେ ଗଭୀର ଭାବରେ ନିମଜ୍ଜିତ ହୋଇ ରହିଛି । ଆମକୁ ଏକ ପୂର୍ଣ୍ଣାଙ୍ଗ ଆଭିମୁଖ୍ୟ ଗ୍ରହଣ କରିବାକୁ ହେବ ଯାହା ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ନିଯୁକ୍ତି ଆଦି ଦିଗ ପ୍ରତି ଧ୍ୟାନ ଦେଉଥିବ ଏବଂ ତାହା ବଂଚିତ ଏବଂ ଅବହେଳିତ ବର୍ଗଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଉଥିବ । ଏହା ଅର୍ଥ ଲିଙ୍ଗଗତ ସମ୍ପର୍କରେ ସ୍ଥାନାନ୍ତରଣ, ମହିଳା ନେତୃତ୍ୱକୁ ପ୍ରୋତ୍ସାହିତ କରିବା ଏବଂ ଲିଙ୍ଗଗତ ସମାନତା ହାସଲ ପ୍ରକ୍ରିୟାରେ ପୁରୁଷ ଓ ବାଳକମାନଙ୍କୁ ନିୟୋଜିତ କରିବା । ଏକ ପାର୍ଥକ୍ୟ ଆଣିବା ନିମନ୍ତେ ଆସନ୍ତୁ ସମସ୍ତେ ମିଳିତ ଭାବରେ ଉଦ୍ୟମ ଜାରି ରଖିବା । ସହଭାଗିତାର ଶକ୍ତି ବ୍ୟାପକ ଏବଂ ସମ୍ମିଳିତ ଭାବରେ ଆମେ ଏକ ଉତମ ବିଶ୍ୱ ଗଠନ କରିପାରିବା ।”
ସ୍ୱାମୀ ଅମ୍ରିତାସ୍ୱରୂପାନନ୍ଦ ପୁରୀ, ଟ୍ରୋଇକା ଏବଂ ସଂଚାଳନ କମିଟି ସଦସ୍ୟ ସି୨୦ ତଥା ଭାଇସ୍ ଚେୟାରମ୍ୟାନ, ମାତା ଅମ୍ରିତାନନ୍ଦମୟୀ ମଠ କହିଥିଲେ, “ମହିଳାମାନଙ୍କୁ ସମାନ ବୋଲି ସ୍ୱୀକୃତି ପ୍ରଦାନ ଏବଂ ଗ୍ରହଣ କରାନଗଲେ ବାସ୍ତବ ସ୍ୱାଧୀନତା, ସୁଖ, ସଂହତି ଓ ସହାବସ୍ଥାନ ସୁଦୂର ପରାହତ ହୋଇ ରହିବ । ବିଶ୍ୱ ଯଦିଓ ତୁଳନାତ୍ମକ ଭାବରେ ଅଧିକ ମହିଳା ସପକ୍ଷବାଦୀ ହୋଇଛି, ତଥାପି ଅନେକ କିଛି ପରିବର୍ତନର ଆବଶ୍ୟକତା ରହିଛି । ଅନେକ ରାଷ୍ଟ୍ର ଓ ସଂସ୍କୃତିରେ ମହିଳାମାନଙ୍କୁ ପୁରୁଷ ଓ ସମାଜର ବୌଦ୍ଧିକ ଏବଂ ମନସ୍ତାତ୍ୱିକ ପଞ୍ଝାରୁ ମୁକ୍ତ କରିବାର ଜରୁରୀ ଆବଶ୍ୟକତା ରହିଛି । ପୁରୁଷମାନେ ସହାନୁଭୂତିଶୀଳ ହୋଇ ମହିଳାଙ୍କୁ ସେମାନଙ୍କ ଅତୀତର ଶୃଙ୍ଖଳରୁ ମୁକ୍ତ କରିବାକୁ ହେବ । ମହିଳାମାନେ ମଧ୍ୟ ସମାଜ ସେମାନଙ୍କ ଉପରେ ଲଦି ଦେଇଥିବା ମାନସିକ ସ୍ଥିତିରୁ ବାହାରକୁ ଆସିବା ନିମନ୍ତେ ସେମାନଙ୍କ ଚେତନା ସ୍ତର ଊର୍ଦ୍ଧ୍ୱକୁ ନେବାକୁ ହେବ ।”
ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ନିମନ୍ତ୍ରିତ ଅତିଥିମାନଙ୍କୁ ତାଙ୍କ ଭିଡିଓ ବାର୍ତାରେ ସି୨୦ ଚେୟାର୍ ମାତା ଅମ୍ରିତାନନ୍ଦମୟୀ ଦେବୀ (ଆମ୍ମା) କହିଥିଲେ, “ଅନେକ ରାଷ୍ଟ୍ର ଏବେ ମଧ୍ୟ ମହିଳାଙ୍କୁ ନିକୃଷ୍ଟ ଭାବରେ ବିବେଚନା କରୁଛନ୍ତି । ଗତ ବହୁ ଦଶନ୍ଧି ଧରି ବିଶ୍ୱ ଉଲ୍ଲେଖନୀୟ ପ୍ରଗତି ହାସଲ କରିବା ସତ୍ୱେ ମହିଳାଙ୍କ ସମାନତାକୁ ସ୍ୱୀକୃତି ଦେବାରେ ବ୍ୟାପକ କୁଣ୍ଠାବୋଧ ଏବଂ ମାନସିକ ପ୍ରତିରୋଧତା ରହିଛି । ବିଶ୍ୱବ୍ୟାପୀ କିଶୋରୀ ବାଳିକାମାନଙ୍କ ମଧ୍ୟରେ ଚାରିଜଣରେ ଜଣଙ୍କୁ ଶିକ୍ଷା ଓ ନିଯୁକ୍ତି ସୁଯୋଗ ମିଳୁନାହିଁ । ବାଳକମାନଙ୍କ କ୍ଷେତ୍ରରେ ଏହି ପରିସଂଖ୍ୟାନ ପ୍ରତି ଦଶଜଣରେ ଜଣେ ରହିଛି । ମହିଳାମାନଙ୍କୁ ଯେତେବେଳେ ଚପାଇ ଦିଆଯାଉଛି, ସେତେବେଳେ ବିଶ୍ୱ ତାହାର ଜନସଂଖ୍ୟାର ୫୦ ପ୍ରତିଶତଙ୍କର ଉତ୍ପାଦିକା ଅବଦାନ ହରାଉଛି ।”
ଜି୨୦ (ଗ୍ରୁପ୍ ଅଫ ୨୦) ୧୯ଟି ରାଷ୍ଟ୍ର ଏବଂ ୟୁରୋପୀୟ ରାଷ୍ଟ୍ରସଂଘକୁ ନେଇ ଗଠିତ ଏକ ଫୋରମ୍ । ବିଶ୍ୱ ଅର୍ଥନୀତି ସହିତ ସମ୍ପର୍କିତ ପ୍ରମୁଖ ପ୍ରସଙ୍ଗଗୁଡିକର ସମାଧାନ ଦିଗରେ ଏହା କାର୍ଯ୍ୟ କରୁଛି । ସି୨୦ ସମଗ୍ର ବିଶ୍ୱରେ ନାଗରିକ ସାମାଜିକ ସଂଗଠନଗୁଡିକୁ (ସିଏସ୍‌ଓ) ଜି୨୦ରେ ବିଶ୍ୱ ନେତୃବୃନ୍ଦଙ୍କ ନିକଟରେ ଜନସାଧାରଣଙ୍କ ଆଶା ଆକାଂକ୍ଷା ଉପସ୍ଥାପନ କରିବାକୁ ଏକ ମଂଚ ଯୋଗାଇ ଦେଉଛି ।


Share It

Comments are closed.