ଓଡି଼ଶାରେ ଗଡି଼ବ ଆଉ ତିନୋଟି ନୂଆ ଟ୍ରେନ୍


ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତି । ଏବେ ଆଦିବାସୀ ଅଞ୍ଚଳକୁ ରେଳ ଯାତ୍ରା ଆହୁରି ହେବ ସହଜ । କାହିଁକିନା ଆଉ ତିନୋଟି ନୂଆ ଟ୍ରେନ୍ ରାଜ୍ୟରେ ଚଳାଚଳ କରିବ। ଚଳିତ ମାସ ୨୧ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Draupadi Murmu) ନିଜ ଜନ୍ମମାଟି ରାଇରଙ୍ଗପୁର ଠାରେ ଏହି ୩ଟି ନୂଆ ଟ୍ରେନର (New Train Inauguration) ଶୁଭାରମ୍ଭ କରିବେ। ଏହି ତିନୋଟି ନୂଆ ଟ୍ରେନ ବାଦାମପାହାଡ଼/ରାଇରାଙ୍ଗପୁର ଷ୍ଟେସନ ମଧ୍ୟ ଦେଇ ଚଳପ୍ରଚଳ କରିବ ବୋଲି ରେଳବାଇ (Indian Railway)ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁସାରେ, ମହାମହିମ ରାଷ୍ଟ୍ରପତି ଆସନ୍ତା ୨୦ ତାରିଖରେ ତିନି ଦିନିଆ ଓଡି଼ଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ ତିନୋଟି ଟ୍ରେନର ଶୁଭାରମ୍ଭ କରିବେ ବୋଲି ଜଣାପଡି଼ଛି।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି ରାଇରଙ୍ଗପୁର ଓ ବାଦାମପାହାଡ଼ ଷ୍ଟେସନକୁ ଏକ୍ସପ୍ରେସ୍ ଓ ମେଲ୍ ଟ୍ରେନ(Train) ଚଳାଚଳ କରାଇବା ନିମନ୍ତେ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା। ସ୍ଥାନୀୟ ଲୋକଙ୍କ ଏହି ଦାବିକୁ ଆଖି ଆଗରେ ରଖି ରେଳ ବିଭାଗ ତିନୋଟି ନୂଆ ଟ୍ରେନ୍ ଚଳାଚଳ ନେଇ ନିସ୍ପତି ନେଇଛି। ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ମାସ ୨୧ ତାରିଖ ଦିନ ଏହି ତିନୋଟି ନୂଆ ଟ୍ରେନକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଟ୍ରେନକୁ ପତାକା ଦେଖାଇ ଉଦଘାଟନ କରିବା ପରେ ସେ ଟ୍ରେନରେ ଯାତ୍ରା କରିବେ ବୋଲି ଜମାପଡିଛି। ପ୍ରଥମ ଟ୍ରେନଟି ଶାଲିମାର (କୋଲକାତା)-ବାଦାମପାହାଡ଼ା-ଶାଲିମାର ସାପ୍ତାହିକ ଏକ୍ସପ୍ରେସ ଯାହାକି ଶାଲିମାରରୁ ପ୍ରତ୍ୟେକ ଶନିବାର ରାତି ୧୧ଟା ୫ମିନିଟରେ ଛାଡ଼ିବ ଓ ବାଦାମପାହାଡ଼ ଠାରେ ତା’ ପରଦିନ ସକାଳ ୫ଟା ୪୦ମିନିଟରେ ପହଞ୍ଚିବ । ସେହିପରି ରିଟର୍ଣ୍ଣ ଟ୍ରେନ ବାଦାମପାହାଡ଼ରୁ ପ୍ରତ୍ୟେକ ରବିବାର ରାତି ସାଢ଼େ ୯ ଟାରେ ଛାଡ଼ିବ ଓ ପରଦିନ ସକାଳ ୫ଟାରେ ଶାଲିମାରରେ ପହଞ୍ଚିବ । ଏହି ଟ୍ରେନ ବହଳଦା ରୋଡ, ଅଁଳାଜୋରି ଓ ରାଇରାଙ୍ଗପୁରଠାରେ ରହଣୀ କରିବ ବୋଲି ଜଣାପଡିଛି।

ସେହିପରି, ଦ୍ୱିତୀୟ ଟ୍ରେନଟି ବାଦାମପାହାଡ଼-ରାଉରକେଲା-ବାଦାମପାହାଡ ସାପ୍ତାହିକ ଏକ୍ସପ୍ରେସ୍ ଚଳପ୍ରଚଳ କରିବ । ଯାହାକି ବାଦାମପାହାଡ଼ରୁ ପ୍ରତି ରବିବାର ସକାଳ ୬ଟା ୧୦ ମିନିଟରେ ଛାଡ଼ିବ ଓ ରାଉରକେଲାରେ ସେହି ଦିନ ପୂର୍ବାହ୍ନ ୧୧ଟା ୪୦ ମିନିଟରେ ପହଞ୍ଚିବ । ସେହି ରିଟର୍ଣ୍ଣ ଟ୍ରେନ ରାଉରକେଲାରୁ ପ୍ରତି ରବିବାର ଅପରାହ୍ନ ୨ଟା ୨୦ ମିନିଟରେ ଛାଡ଼ି ବାଦାମପାହାଡ଼ ଠାରେ ସନ୍ଧ୍ୟା ୭ଟା ୨୫ମିନିଟରେ ପହଞ୍ଚିବ । ଏହି ଟ୍ରେନ ରାଇରଙ୍ଗପୁର, ଅଁଳାଜୋରି ଓ ବହଳଦା ରୋଡଠାରେ ରହଣୀ କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି।

ସେହିପରି ତୃତୀୟ ଟ୍ରେନଟି ଟାଟାନଗର-ବାଦାମପାହାଡ଼-ଟାଟାନଗର ମଧ୍ୟରେ ସପ୍ତାହକୁ ୬ଦିନ ଚଳପ୍ରଚଳ କରିବ । କେବଳ ରବିବାର ବ୍ୟତୀତ ଏହି ଟ୍ରେନ ପ୍ରତ୍ୟେକ ଦିନ ସକାଳ ୯ଟା ୫୫ମିନିଟରେ ଟାଟାନଗରରୁ ବାହାରି ବାଦାମପାହାଡ଼ଠାରେ ସେହିଦିନ ପୂର୍ବାହ୍ନ ୧୨ଟା ୧୫ମିନିଟରେ ପହଞ୍ଚିବ । ରିଟର୍ଣ୍ଣ ଟ୍ରେନ ରବିବାର ବ୍ୟତୀତ ୧୨ଟା ୪୫ମିନିଟରେ ବାହାରି ଉକ୍ତଦିନ ଅପରାହ୍ନ ୩.୨୦ମିନିଟରେ ପହଞ୍ଚିବ । ଏହି ଟ୍ରେନଟି ଅଁଳାଜୋରି, ରାଇରଙ୍ଗପୁର ଓ କୁଳଡିହା ଷ୍ଟେସନରେ ରହଣୀ କରିବ।


Share It

Comments are closed.