ମାନବ ଚାଲାଣର ନୂତନ ଧାରା ସମ୍ପର୍କରେ ଆଲୋଚନା କରିଛି ଓଡିଶା


ଭୁବନେଶ୍ୱର : ମାନବ ଚାଲାଣ ଉପରେ ଏନ୍‌ସିଆର୍‌ବିର ସଦ୍ୟତମ ରିପୋର୍ଟରୁ ଜଣାଯାଇଛି ଯେ, ୨୦୨୧ରେ ଓଡିଶାରେ ମାନବ ଚାଲାଣର ସର୍ବାଧିକ ମାମଲା ଦେଖିବାକୁ ମିଳିଛି । ଓଡିଶାରୁ ଚାଲାଣ ହୋଇଥିବା ୧୪୭୫ ଜଣ ପୀଡିତଙ୍କ ମଧ୍ୟରୁ ୭୩୫ ଜଣ ମହିଳା ଥିଲେ ଏବଂ ସେମାନଙ୍କ ମଧ୍ୟରୁ ୪୯୭ ଜଣ ୧୮ ବର୍ଷରୁ କମ୍ ବୟସର ଥିଲେ । ‘ଏମର୍ଜିଙ୍ଗ ଟ୍ରେଣ୍ଡ୍ସ ଇନ୍ ହ୍ୟୁମାନ୍ ଟ୍ରାଫିକିଙ୍ଗ୍’ ପ୍ରସଙ୍ଗ ଉପରେ ଆୟୋଜିତ ଏକ କର୍ମଶାଳାରେ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ମିନତୀ ବେହେରା କହିଛନ୍ତି, ‘କୋଭିଡ୍ ମହାମାରୀ ପରେ କିଶୋରମାନଙ୍କ ପଳାୟନ ମାମଲା ବୃଦ୍ଧି ପାଇଛି । ମହିଳା ଆୟୋଗ ରାଜ୍ୟର ସମସ୍ତ ଜିଲ୍ଲାଗୁଡିକରେ କର୍ମଶାଳାର ଆୟୋଜନ କରି ଲୋକମାନଙ୍କୁ ସଚେତନ କରାଉଛି ଏବଂ ଏହା କଲେଜ ସ୍ତରରେ କିଶୋର କିଶୋରୀମାନଙ୍କୁ ମାନବ ଚାଲାଣ ଘଟଣାଗୁଡିକ ସମ୍ପର୍କରେ ସଚେତନ କରିବା ପାଇଁ କର୍ମଶାଳାର ଆୟୋଜନ କରିବ । ମୋବାଇଲ ଫୋନ୍ର ପହଂଚ କିଶୋରମାନଙ୍କୁ ଏଭଳି ଅପରାଧଗୁଡିକର ନିକଟତର କରୁଛି । କିଶୋରମାନେ ପ୍ରେମ ସମ୍ପର୍କରେ ଲିପ୍ତ ରହୁଛନ୍ତି ଏବଂ ପରିଣାମ ସମ୍ପର୍କରେ ଚିନ୍ତା ନକରି ଖୁବ୍ କମ ବୟସରୁ ପଳାୟନର ରାସ୍ତା ଆପଣାଉଛନ୍ତି । କିଛି ମାସ ଏକାଠି ରହିବା ପରେ ସେମାନେ ପରସ୍ପରଠାରୁ ଅଲଗା ହୋଇଯାଉଛନ୍ତି । ଏଭଳି ଝିଅମାନେ ମାନବ ଚାଲାଣକାରୀଙ୍କ ଟାର୍ଗେଟ୍‌ରେ ଆସୁଛନ୍ତି ଯିଏ ସେମାନଙ୍କୁ ଯୌନ କାରବାର ଆଡକୁ ଆକର୍ଷିତ କରୁଛନ୍ତି ।’

ଏହି ଅବସରରେ ସିଆଇଡି କ୍ରାଇମ୍ ବ୍ରାଂଚ୍ ଏଡିଜିପି ଅରୁଣ ବୋଥ୍ରା ମାନବ ଚାଲାଣକୁ ଏକ ଜଟିଳ ସମସ୍ୟା ଭାବେ ଉଲ୍ଲେଖ କରିଛନ୍ତି । ସେ ସମସ୍ତ ଜିଲ୍ଲାରେ ସମନ୍ୱିତ ମାନବ ଚାଲାଣ ବିରୋଧୀ ୟୁନିଟ୍ ଏବଂ ପୋଲିସ୍ ଷ୍ଟେସନଗୁଡିକରେ ମହିଳା ଓ ଶିଶୁ ଡେସ୍କଗୁଡିକ ମାଧ୍ୟମରେ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପକୁ ଆଲୋକିତ କରିଥିଲେ । ସେ ନାଗରିକ ସମାଜକୁ ସଠିକ୍ ସୂଚନା ପ୍ରଦାନ କରିବା ଏବଂ ମାନବ ଚାଲାଣର ହଟ୍‌ସ୍ପଟ୍‌ଗୁଡିକୁ ଚିହ୍ନଟ କରିବାରେ ସାହାଯ୍ୟ କରିବା ଲାଗି ଆହ୍ୱାନ କରିଛନ୍ତି । ଏଡ୍ ଇଟ୍ ଆକ୍ସନ ଡାଇରେକ୍ଟର, ମାଇଗ୍ରେଶନ ଆଣ୍ଡ ଏଜୁକେଶନ, ଉମି ଡାନିଏଲ୍ ଗତବର୍ଷ ମାନବ ଚାଲାଣକାରୀଙ୍କ ଗିରଫ କ୍ଷେତ୍ରରେ ପୁଲିସ୍ର ଭୂମିକାକୁ ହାଇଲାଇଟ୍ କରିଛନ୍ତି । ସେହିପରି ଓଡିଶାରେ ଚାଇଲ୍ଡଲାଇନ୍ର ନିର୍ଦ୍ଦେଶକ ବେଣୁଧର ସେନାପତି ଗତ ଦୁଇ ମାସ ମଧ୍ୟରେ ପଞ୍ଜୀକୃତ ହୋଇଥିବା ପ୍ରାୟ ୧୬ଟି ଶିଶୁ ଚାଲାଣ ମାମଲା ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଛନ୍ତି, ଯେତେବେଳେ ପୀଡିତମାନେ ସେମାନଙ୍କର ଅପରାଧିଙ୍କୁ ଦଣ୍ଡିତ ହେବାର ଦେଖିଥାନ୍ତି ସେମାନେ କିଛିଟା ଆଶ୍ୱସ୍ତି ପାଇଥାନ୍ତି । ତେଣୁ ଅପରାଧକୁ ଶେଷ କରିବା ଦିଗରେ ଆଇନ୍‌କୁ କାର୍ଯ୍ୟକାରୀ କରାଯିବା ଉଚିତ୍ । ମାନବ ଚାଲାଣର ଶିକାର ହୋଇଥିବା ଦୁଇ ଜଣ ପୀଡିତ ଦିୟାଲୁ ନିୟାଲ ଓ ସନ୍ତୋଷିନି ସେମାନଙ୍କ ସହ ଘଟିଥିବା ଅପରାଧ ଏବଂ ସରକାର କିଭଳି ସେମାନଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ ତାହାକୁ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଓଡିଶା ୱମେନ୍ ଇନ୍ ମିଡିଆ ପକ୍ଷରୁ ଆୟୋଜନ କରାଯାଇଥିଲା ଯେଉଁଥିରେ ମିଡିଆର ୫୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।


Share It

Comments are closed.