ୟୁକ୍ରେନ୍‌ରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଆକୁଳ ନିବେଦନ: ‘ଆମକୁ ଫେରାଇ ନିଅ’


ବ୍ରହ୍ମପୁର ସହର ଓ ରଙ୍ଗେଇଲୁଣ୍ଡା ଅଞ୍ଚଳର ୧୧ଜଣ ବିଦ୍ୟାର୍ଥୀ ୟୁକ୍ରେନ୍‌ରେ ଥିବା ସୂଚନା ମିଳିଛି । ହିଲ୍‌ପାଟଣା ଗୋପବନ୍ଧୁନଗର ବାସିନ୍ଦା ଡା. ନଳିନୀକାନ୍ତ ପାଢ଼ିଙ୍କ ପୁଅ ଅର୍ପଣ ପାଢ଼ି ୟୁକ୍ରେନ୍‌ର ଖାରକିଭ୍‌ ସହରରେ ଥିବା ନ୍ୟାସନାଲ୍‌ ମେଡିକାଲ ୟୁନିଭର୍ସିଟିରେ ପଢ଼ୁଛନ୍ତି । ଡିସେମ୍ବରରେ ସେ ସେଠାକୁ ଯାଇଥିଲେ । ତାଙ୍କ ମାଆ ମମତା ପାଢ଼ି ଦୁଃଖରେ ଭାଙ୍ଗି ପଡ଼ିବା ସହ ପୁଅ ଏବଂ ସମସ୍ତ ଭାରତୀୟଙ୍କୁ ଫେରାଇ ଆଣିବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । ପ୍ରତି ମୂହୁର୍ତ୍ତରେ ସେ ପୁଅ ସହ ହ୍ୱାଟସ୍‌ ଆପ୍‌ରେ କଥା ହେଉଛନ୍ତି ଓ ପରିସ୍ଥିତି ସମ୍ପର୍କରେ ପଚାରୁଛନ୍ତି । ଅର୍ପଣ କହିଛନ୍ତି, ସେମାନେ ସୁରକ୍ଷିତ ନୁହନ୍ତି । କେଉଁ ମୂହୁର୍ତ୍ତରେ କିଛି ଘଟିପାରେ ବୋଲି ସେ କହିଛନ୍ତି । ଖାରକିଭ୍‌ ନ୍ୟାସନାଲ୍‌ ମେଡିକାଲ୍‌ ୟୁନିଭରସିଟିର ବିଦ୍ୟାର୍ଥୀ ମାନେ ଗୋଟିଏ ହଷ୍ଟେଲ୍‌ରେ ରହୁଛନ୍ତି । ପ୍ରାୟ ୩ହଜାର ପିଲା ରହୁଥିବାବେଳେ ସେଠାରେ ବହୁ ଓଡ଼ିଆ ମଧ୍ୟ ରହିଛନ୍ତି । ହଷ୍ଟେଲ୍‌ରେ ରୋଷେଇ ବନ୍ଦ ହୋଇଯାଇଛି । ଆଜି କିଛି ସମୟ ପାଇଁ ଦୋକାନ ବଜାର ଖୋଲିବାରୁ କେକ୍‌ ଓ ବିସ୍କୁଟ୍‌ କିଣି ଆଣି ରଖିଛନ୍ତି । ଏଟିଏମ୍‌ରେ ଟଙ୍କା ଉଠାଇ ପାରୁନାହାନ୍ତି । ସନ୍ଧ୍ୟାରେ ସ୍ଥିତି ଅଧିକ ଭୟଙ୍କର ହେବାରୁ ବଙ୍କରରେ ବିଦ୍ୟାର୍ଥୀମାନେ ରହିଛନ୍ତି । ସେଠାରେ ସାଧାରଣ ସୁବିଧା ନାହିଁ । ବିସ୍ଫୋରଣ ଶବ୍ଦ ମଧ୍ୟ ବେଳେ ବେଳେ ଶୁଣିବାକୁ ମିଳୁଛି । ସରକାର ଆମକୁ ଅତିଶୀଘ୍ର ଏଠାରୁ ନେବା ପାଇଁ ବନ୍ଦୋବସ୍ତ କରନ୍ତୁ ବୋଲି ବିଦ୍ୟାର୍ଥୀ ମାନେ ନିବେଦନ କରିଛନ୍ତି । ସେହିପରି ବିଜୟ ନଗରର ଉମାକାନ୍ତ ମହାପାତ୍ର, ଲିପି ମହାପାତ୍ର କାରାଜିନ୍‌ ନ୍ୟାସନାଲ ମେଡିକାଲ ୟୁନିଭରସିଟିରେ ପଢ଼ୁଛନ୍ତି ।

ସେ ମଧ୍ୟ ସେଠାରେ ଫସି ରହିଛନ୍ତି । ଆଜି ସେ ବିମାନବନ୍ଦରରେ ପହଞ୍ଚିଥିଲେ କିନ୍ତୁ ସେଠାରେ ବିସ୍ଫୋରଣ ହେବାରୁ ନୋ-ଫ୍ଲାଇଂ ଜୋନ୍‌ ଘୋଷଣା ହୋଇଥିଲା । ଭାରତୀୟ ଦୂତାବାସରେ ରହିଛନ୍ତି ଏବଂ ସେଠାରେ ଖାଇବା ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି । ରଙ୍ଗେଇଲୁଣ୍ଡା ବ୍ଲକ ରଣ୍ଢା ଗ୍ରାମର ଲିଙ୍ଗରାଜ ସାବତଙ୍କ ପୁଅ ବାଦଲ କୁମାର ସାବତ ଓ କନିଷି ହାଟର ସନାତନ ଶତପଥୀ ଡାକ୍ତରୀ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି । ଯୁଦ୍ଧ ସମୟରେ ଭୟରେ ଥିବା ବାଦଲ କୁମାର ସାବତ କହିଛନ୍ତି । ଯେଉଁ ଏଜେନ୍ସି ଦ୍ୱାରା ଯାଇଥିଲେ ସେମାନେ ସତର୍କତା ସହ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଆଜି ସକାଳ ବେଳା ସମସ୍ତ ଖାଇବା ପିଇବା ସାମଗ୍ରୀ ରନ୍ଧନ ଗ୍ୟାସ ଆଣି ମହଜୁଦ ରଖିଥିବା କହିଛନ୍ତି । ସୁରକ୍ଷିତ ସ୍ଥାନରେ ତଥା କୌଣସି ବଙ୍କର ଭିତରେ ରହିବା ପାଇଁ ଭାରତୀୟ ଦୂତବାସ ପକ୍ଷରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । ବାପା-ମାଆ ଓ ପରିବାର ଲୋକଙ୍କ ନିକଟକୁ ଫୋନରେ କଥାବାର୍ତ୍ତା ହେଉଛନ୍ତି । ଭାରତୀୟ ଦୂତାବାସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରୁଥିବା ବେଳେ କୌଣସି ଅସୁବିଧା ହେଲେ ହେଲ୍‌ପଲାଇନର ସହାୟତା ପାଇଁ କହିଛନ୍ତି । କେବଳ ଦୁଇ ଘଣ୍ଟା ବ୍ୟବଧାନରେ ଦୋକାନ ବଜାର ଖୋଲାଯାଉଥିବା ନେଇ ବାଦଲ କହିଛନ୍ତି । ଡେନପ୍ରୋ ସିଟିଠାରୁ ପୋଲାଣ୍ଡ ପାଇଁ ଉଡାଜାହାଜରେ ଆସିବାକୁ ଦେଢ଼ ଘଣ୍ଟା ସମୟ ଲାଗୁଛି । ପୋଲାଣ୍ଡଠାରୁ ଦିଲ୍ଲୀ ଆସିବା ୮ଘଣ୍ଟା ଲାଗିବ । ଆମକୁ ସୁଯୋଗ ମିଳୁନାହିଁ ଆସିବା ପାଇଁ ବୋଲି କହିଛନ୍ତି ।


Share It

Comments are closed.