ୟୁକ୍ରେନ୍‌ରେ ପଶିଲେ ଋଷ ସୈନ୍ୟ : ରାଜଧାନୀ କିୱରେ ମିଶାଇଲ୍ ଆକ୍ରମଣ, ଚାରିଆଡେ ଶୁଭୁଛି ବିସ୍ଫୋରଣ ଶବ୍ଦ


ୟୁକ୍ରେନ୍ ସହ ଯୁଦ୍ଧ ଘୋଷଣା କଲା ଋଷ। ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍‌ଙ୍କ ମିଲିଟାରୀ ଅପରେସନ ଘୋଷଣା ପରେ ୟୁକ୍ରେନ୍‌ର ବହୁ ସ୍ଥାନରେ ବିସ୍ଫୋରଣ ହେବାକୁ ଲାଗିଲାଣି। ୟୁକ୍ରେନ୍‌ର ରାଜଧାନୀ କିୱରେ କ୍ରୁଜ୍ ଏବଂ ବାଲାଷ୍ଟିସକ୍ ମିଶାଇଲ୍ ଦ୍ଵାରା ଆକ୍ରମଣ କରାଯାଇଥିବା ସୂଚନା ମିଳୁଛି। ଓଡେଶା, ଖାରକିଭ୍, ଡୋନେଟସ୍କରେ ମଧ୍ୟ ବିସ୍ଫୋରଣ ହେଉଥିବା ଶୁଣିବାକୁ ମିଳୁଛି। କିୱ ପୂର୍ବରୁ ଗୁରୁବାର ସକାଳେ Donetskରେ ୫ ଥର ବିସ୍ଫୋରଣ ହୋଇଛି। ପୁଟିନ୍ ଯୁଦ୍ଧ ଘୋଷଣା କରିବା ପରେ ଏହି ବିସ୍ଫୋରଣ ହୋଇଛି। ଅପର ପକ୍ଷରେ ପୁଟିନ୍ ମିଲିଟାରୀ ଅପରେସନ ଘୋଷଣା ପରେ ରାଷ୍ଟ୍ରନେତାଙ୍କ ଉଦ୍ଦେଶ୍ୟରେ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ, ୟୁକ୍ରେନ୍ ବ୍ୟାପାରରେ ହସ୍ତକ୍ଷେପ କଲେ କଡ଼ା ଜବାବ ଦେବୁ। ଆମ ଦେଶ ଓ ଆମ ଲୋକଙ୍କୁ ଧମକ ଦେଲେ ପରିଣାମ ଭୟାବହ ହେବ। ଋଷିଆ ତୁରନ୍ତ ଜବାବ ଦେବାକୁ ଆଦୌ ପଛଘୁଞ୍ଚା ଦେବନି। ଏପରି ଭୋଗିବେ ଯାହା ପୂର୍ବରୁ କେବେ ଇତିହାସରେ ଭୋଗି ନଥିବେ। ଋଷ ରାଷ୍ଟ୍ରପତି ପୁଟିନ୍ କହିଛନ୍ତି ଯେ, ଋଷ ଓ ୟୁକ୍ରେନ୍ ମଧ୍ୟରେ ଏବେ ଯୁଦ୍ଧକୁ ଟାଳି ହେବ ନାହିଁ। ଏଥିପାଇଁ ଋଷ ସ୍ଵତନ୍ତ୍ର ମିଲିଟାରୀ ଅପରେସନ ଲଞ୍ଚ୍ କରିଛି। ଏହାର ଲକ୍ଷ୍ୟ ୟୁକ୍ରେନ୍ ଉପରେ କବ୍‌ଜା କରିବା ନୁହେଁ। ୟୁକ୍ରେନ୍ ସୈନ୍ୟ ଅସ୍ତ୍ର ତ୍ୟାଗ କରି ଘରକୁ ଯାଆନ୍ତୁ।
ଅପର ପକ୍ଷରେ ୟୁକ୍ରେନ୍‌ର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ପୁଟିନ୍ ଆକ୍ରମଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶାନ୍ତିପୂର୍ଣ୍ଣ ୟୁକ୍ରେନ୍ ଉପରେ ଆକ୍ରମଣ ହୋଇଛି। ଏହା ଆକ୍ରମଣାତ୍ମକ ଯୁଦ୍ଧ। ୟୁକ୍ରେନ୍ ଏହି ଯୁଦ୍ଧରେ ନିଜକୁ ସୁରକ୍ଷା ଦେବ ଏବଂ ଜିତିବ। ତେବେ ଋଷ ସେନା ୟୁକ୍ରେନ୍‌ରେ ପଶିବା ପରେ ୟୁକ୍ରେନ୍ ମାର୍ଶଲ ଲ ଲାଗୁ କରିଛି। ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦୃଷ୍ଟିରେ ରଖି କିୱର ବିମାନ ବନ୍ଦରକୁ ଖାଲି କରାଯାଉଛି। ସେଠାରେ ଥିବା କର୍ମଚାରୀ ଓ ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି। ତେବେ ବର୍ତ୍ତମାନ ସେଠାରେ ୩ଟି ବିଦେଶ ଏୟାରକ୍ରାପ୍ଟ ଉପସ୍ଥିତ ଅଛନ୍ତି। ଯେଉଁମାନେ ଉଡାଣ ଭରିବାର ଥିଲା, ହେଲେ ଟେକ୍-ଅଫ୍ କରିପାରି ନଥିଲେ।


Share It

Comments are closed.