ଆଜି ଗାନ୍ଧୀ ଜୟନ୍ତୀ, ଶାନ୍ତି ଓ ଅହିଂସାର ପ୍ରତୀକ ଯୁଗ ପୁରୁଷଙ୍କୁ କୋଟି ଶ୍ରଦ୍ଧାଞ୍ଜଳି


ଆଜି ଅକ୍ଟୋବର ୨, ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୨ ତମ ଜନ୍ମ ଜୟନ୍ତୀ । ବାପୁ ନାମରେ ଜଣାଶୁଣା ଗାନ୍ଧୀ ୧୮୬୯ ମସିହାରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ। ଇଂରେଜ ଶାସନ ବିରୋଧରେ ମଙ୍ଗ ଧରିଥିଲେ ଭାରତୀୟ ଜାତୀୟ ଆନ୍ଦୋଳନର ମୁଖ୍ୟ ନେତା ତଥା ରାଷ୍ଟ୍ରପିତା ମହାତ୍ମା ଗାନ୍ଧି । ସେ ପିଲାଦିନୁ ଅହିଂସା, ଆତ୍ମଶୁଦ୍ଧି, ସହିଷ୍ଣୁତା ଆଦି ଶିକ୍ଷା ପରିବାରରୁ ପାଇଥିଲେ । ଆତ୍ମସୁଧାର ଜ୍ୟୋତି ତାଙ୍କ ଭିତରେ ସର୍ବଦା ଜଳୁଥିଲା । ସତ୍ୟ ଓ ବଳିଦାନକୁ ସେ ନିଜ ଜୀବନ ଅଦର୍ଶ କରିନେଇଥିଲେ । ମାଟ୍ରିକ୍‌ ପରେ ଆଇନ ପଢ଼ିବା ପାଇଁ ୧୮୮୮ରେ ଗାନ୍ଧି ଲଣ୍ଡନ ଗଲେ । ବିଦେଶରେ ସେତେବେଳେ କଳା-ଗୋରା ଭେଦଭାବ ଜୋର ଧରିଥିଲା । ଏହାକୁ ବିରୋଧ କରି ଗାନ୍ଧି ପ୍ରଥମେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଏହିଭଳି ଭାବେ ଜନ୍ମ ନେଲା ସତ୍ୟାଗ୍ରହ ।

ଦକ୍ଷିଣ ଆଫ୍ରିକାରେ ଦୀର୍ଘ ୭ ବର୍ଷ ସଂଘର୍ଷ ପରେ ୧୯୧୪ରେ ସେ ଭାରତ ଫେରିଲେ । ସେତେବେଳେ ଭାରତବାସୀଙ୍କ ପାଇଁ ସେ ପାଲଟି ଯାଇଥିଲେ ମହାତ୍ମା । ଭାରତୀୟଙ୍କ ସ୍ଥିତି ଅଧ୍ୟୟନ ସହିତ ଏଠାରେ ପ୍ରଚଳିତ ସାମାଜିକ ଓ ରାଜନୈତିକ ବୈଷମ୍ୟ ଦୂର କରିବାକୁ ସେ ସତ୍ୟାଗ୍ରହୀ ସୃଷ୍ଟି କଲେ । ସତ୍ୟାଗ୍ରହ ଆନ୍ଦୋଳନର ଡାକରା ଦେଲେ । ଅସହଯୋଗ ଆନ୍ଦୋଳନ, ନାଗରିକ ଅବଜ୍ଞା ଆନ୍ଦୋଳନ, ଦାଣ୍ଡି ଯାତ୍ରା, ଭାରତ ଛାଡ଼ ଆନ୍ଦୋଳନ ଦ୍ୱାରା ଗାନ୍ଧୀ ଦେଶକୁ ଫିରିଙ୍ଗି କବଳରୁ ମୁକ୍ତ କଲେ । ଅଗଣିତ ଦେଶପ୍ରେମୀ ଓ ମହାପୁରୁଷଙ୍କ ବଳିଦାନରେ ଭାରତ ସ୍ୱାଧୀନ ହେଲା । ବିଶ୍ୱ ମାନସପଟ୍ଟରେ ମହାତ୍ମା ଗାନ୍ଧି କେବଳ ଗୋଟିଏ ନାମ ନୁହେଁ, ବରଂ ଶାନ୍ତି ଓ ଅହିଂସାର ପ୍ରତୀକ । ସେଥିପାଇଁ ସଂଯୁକ୍ତ ରାଷ୍ଟ୍ର ସଂଘ ଗାନ୍ଧି ଜୟନ୍ତୀକୁ ‘ବିଶ୍ୱ ଅହିଂସା ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଛି ।

ବ୍ରିଟିଶମାନଙ୍କ ଦ୍ୱାରା ଭାରତୀୟ ସମାଜରେ ଦାସତ୍ୱର ଶୃଙ୍ଖଳା ଭାଙ୍ଗିବା ପାଇଁ ସେ ଅହିଂସା ମାର୍ଗକୁ ଆପଣାଇଥିଲେ। ସେ ସବୁ ସମୟରେ ଅନ୍ୟାୟ ବିରୁଦ୍ଧରେ ସଂଘର୍ଷ କରିଥିଲେ, ସେ ଧାରଣା ଏବଂ ସତ୍ୟର ମାର୍ଗରେ ସର୍ବଦା ଯିବାକୁ କୁଣ୍ଠାବୋଧ କରିନଥିଲେ। ସତ୍ୟ ଓ ଅହିଂସାକୁ ନେଇ ସର୍ବଦା ବାପୁଙ୍କ ବିଚାର ସାରା ବିଶ୍ଵରେ ମାର୍ଗଦର୍ଶନ କରିବା ସହ ପ୍ରେରଣା ଦେଇଥାଏ । ଗାନ୍ଧୀଙ୍କ ଜନ୍ମଦିନକୁ ଭାରତର ସ୍ଵାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ଭଳି ଜାତୀୟ ଦିବସ ଭାବରେ ପାଳନ କରାଯାଏ । ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ବିଭିନ୍ନ ପ୍ରତିଯୋଗୀତା ହୋଇଥାଏ । ମହାତ୍ମା ଗାନ୍ଧୀଙ୍କ ବିଚାର ଧାରା ତାଙ୍କୁ ସାରା ବିଶ୍ଵରେ ଗୋଟିଏ ସ୍ଵତନ୍ତ୍ର ସ୍ଥାନ ଦେଇ ପାରିଛି । ତାଙ୍କର ନିଜ ଜନ୍ମଭୂମି ପ୍ରତି ନିଷ୍ଠା , କାର୍ଯ୍ୟ ଓ ଉଦାର ମନୋଭାବକୁ ଦେଖି ସମସ୍ତେ ତାଙ୍କୁ ବାପୁ ନାମରେ ଡାକୁ ଥିଲେ । ଭାରତ ଯେତେବେଳେ ଇଂରେଜ ସରକାର ଅଧିନରେ ଥିଲା ସେତେବେଳେ ଗୋଟିଏ ଆଗ ଧାଡ଼ିର ଯୋଦ୍ଧା ଭଳି ଇଂରେଜ ସରକାର ବିରୁଦ୍ଧରେ ଲଢି ଥିଲେ । ଚଳିତ ବର୍ଷ ଅକ୍ଟୋବର ୨ ତାରିଖ ଦିନଟି ଭାରତରେ ୧୫୨ ତମ ଗାନ୍ଧୀ ଜୟନ୍ତୀ ପାଳନ କରାଯାଉଛି ।

ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି ଯେ, ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ପୂଜ୍ୟ ବାପୁଙ୍କ ଜୀବନ ଏବଂ ଆଦର୍ଶ ଦେଶର ସବୁ ପୀଢିଙ୍କୁ କର୍ତ୍ତବ୍ୟ ପଥରେ ଚାଲିବା ପାଇଁ ପ୍ରେରଣା ଦେବ।


Share It

Comments are closed.