ଓଡିଶା ଜଙ୍ଗଲରେ ଦ ଜେଙ୍ଗାବୁରୁ କର୍ସ ସୁଟିଙ୍ଗ୍‌ର ନିଆରା ଅନୁଭୂତି ବାଂଟିଛନ୍ତି ଏମ୍ ନାସିର୍ ଓ ଫାରିଆ ଅବ୍‌ଦୁଲ୍ଲା


ଭୁବନେଶ୍ୱର : ଓଡିଶାର ଲୋକ, ସଂସ୍କୃତି ଓ ସ୍ୱତନ୍ତ୍ର ସ୍ଥାନଗୁଡିକୁ ପ୍ରଦର୍ଶିତ କରିବା ଉପରେ ଗୁରୁତ୍ୱ ସହିତ ସୋନି ଲିଭ୍‌ର ଭାରତର ପ୍ରଥମ କ୍ଲାଇମେଟ୍‌-ଫିକ୍ସନ ଥ୍ରିଲର୍ ସିରିଜ୍ ଦ ଜେଙ୍ଗାବୁରୁ କର୍ସକୁ ଏହି ରାଜ୍ୟରେ ବିସ୍ତୃତ ଭାବେ ସୁଟିଙ୍ଗ୍ କରାଯାଇଛି । ଏହି ୱେବ୍‌ସିରିଜ୍‌ର ଅଭିନେତା ଏମ୍ ନାସିର୍ ଓ ଫାରିଆ ଅବ୍‌ଦୁଲ୍ଲା ଓଡିଶାର ଘଂଚ ଜଙ୍ଗଲ ମଧ୍ୟରେ ସୁଟିଙ୍ଗ୍ କରିବା ସମୟରେ ସେମାନେ ଅନୁଭୂତ କରିଥିବା ଚମତ୍କାର ଅନୁଭୂତିକୁ ବାଂଟିଛନ୍ତି । ଓଡିଶାରେ ସୁଟିଂ କରିବାର ନିଆରା ଅନୁଭୂତି ସମ୍ପର୍କରେ ଉଲ୍ଲେଖ କରି ଏହି ସିରିଜ୍‌ରେ ରବିଚନ୍ଦ୍ରନ୍ ରାଓ ଚରିତ୍ରରେ ଅଭିନୟ କରିଥିବା ବରିଷ୍ଠ ଅଭିନେତା ନାସିର୍ କହିଛନ୍ତି, ‘ଏହି ସୁଟିଂ ପାଇଁ ଓଡିଶାକୁ ଗସ୍ତ ମୋତେ ଭାରତର କେନ୍ଦ୍ରକୁ ନେଇଥିଲା । ମୁଁ ଏଠାରେ ଖୁବ୍ ରୋମାଂଚିତ ହୋଇଥିଲି । ଯେତେବେଳେ ଆମେ ସେଠାରେ ସୁଟିଂ କରିଥିଲୁ ସେତେବେଳେ ମୁଁ ଅନୁଭବ କରିଥିଲି କାହିଁକି ଏହାକୁ ଭାରତର ସର୍ବୋତମ ଲୁକ୍କାୟିତ ରହସ୍ୟ କୁହାଯାଏ, ଏହା ଖୁବ୍ ସୁନ୍ଦର ଥିଲା, ଏହା ସ୍ୱର୍ଗ ପରି । ଏହା ଆପଣଙ୍କୁ ପ୍ରକୃତିର କୋଳରେ ରହିବା ପରି ଅନୁଭବ ଦେଇଥାଏ । ମୋର ଓଡିଶା ସମ୍ପର୍କରେ ସ୍ୱଳ୍ପ ଜ୍ଞାନ ଥିଲା କିନ୍ତୁ ଏଠାରେ ରହିବା ପରେ, ସ୍ଥାନୀୟ ଲୋକଙ୍କ ସହ ସମୟ ବିତାଇବା ପରେ ମୁଁ ସେମାନଙ୍କର କଳା ଓ ସଂସ୍କୃତି ସହ ପରିଚିତ ହୋଇଥିଲି । ଏଠାକାର ଲୋକମାନେ ଖୁବ୍ ସରଳ ଓ ନମ୍ରତାରେ ପରିପୂର୍ଣ୍ଣ । ମୁଁ ସମଗ୍ର ଭାରତ ଭ୍ରମଣ କରିଛି କିନ୍ତୁ ଓଡିଶା ସ୍ୱତନ୍ତ୍ର ଅଟେ, ଖୁବ୍ ଶାନ୍ତ ଓ ପ୍ରାସଙ୍ଗିକ ଅଟେ । ମୁଁ ଏଠାରେ ନିଶ୍ଚିତ ଭାବେ ମୋର ପରିଜନଙ୍କ ସହ ସମୟ ବିତାଇବାକୁ ଚାହିଁବି ।’
ସେହିପରି ସିରିଜ୍‌ରେ ପ୍ରିୟମ୍ବଦା ଦାସଙ୍କ ଚରିତ୍ରରେ ଅଭିନୟ କରିଥିବା ତାଙ୍କର ସହ ଅଭିନେତ୍ରୀ ଫାରିଆ ଅବ୍‌ଦୁଲ୍ଲା ମଧ୍ୟ ଓଡିଶାକୁ ଖୁବ୍ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ‘ଓଡିଶାର କେନ୍ଦ୍ରରେ ରହିବା ଏକ ପରିବର୍ତନଶୀଳ ଯାତ୍ରା ଥିଲା । ଜଙ୍ଗଲ ଓ ଜନବସତି ଅଂଚଳରେ ରହି ମୁଁ ଓଡିଶାର ଲୋକଙ୍କ ଜୀବନଶୈଳୀର ସରଳତା ସହ ଜଡିତ ହୋଇପାରିଥିଲି । ଏହା ମୋର ମସ୍ତିଷ୍କ ଓ ଶରୀର ପାଇଁ ଡିଟକ୍ସ ଭଳି ଥିଲା । ଏହି ଶୋ’ ବାସ୍ତବରେ ଓଡିଶାର ଚିତାକର୍ଷକ ଆକର୍ଷଣ ପ୍ରତି ହୃଦୟରୁ ଏକ ଶ୍ରଦ୍ଧାଞ୍ଜଳି ଅଟେ ଏବଂ ମୁଁ ଏହାର ଅଂଶ ହୋଇପାରିଥିବାରୁ ଖୁବ୍ ଆନନ୍ଦିତ ।’ ଓଡିଶାର କ୍ଷୁଦ୍ର ସହରରେ ଅବସ୍ଥାପିତ ଦ ଜେଙ୍ଗାବୁରୁ କର୍ସ ପ୍ରକୃତି ପାଇଁ ମାନବଜାତିର ଚିରସ୍ଥାୟୀ ଆବଶ୍ୟକତାକୁ ଦର୍ଶାଇଛି । ଷ୍ଟୁଡିଓ ନେକ୍ସଟ୍ ଦ୍ୱାରା ପ୍ରାୟୋଜିତ, ନୀଳ ମାଧବ ପଣ୍ଡାଙ୍କ ଦ୍ୱାରା ନିର୍ମିତ ଓ ନିର୍ଦ୍ଦେଶିତ ଦ ଜେଙ୍ଗାବୁରୁ କର୍ସ ସୋନି ଲିଭ୍‌ରେ ଗତ ଅଗଷ୍ଟ ୯ ତାରିଖ ୨୦୨୩ରୁ ଷ୍ଟ୍ରିମ୍ ହେଉଛି ।


Share It

Comments are closed.