ଡାକ୍ତରଙ୍କ ଅବହେଳା ଯୋଗୁଁ ଅକାଳରେ ଝଡିଗଲା ଶ୍ରମିକଙ୍କ ଜୀବନ


ଖୋର୍ଦ୍ଧା ଜିଲ୍ଲା ବାଲୁଗାଁଥାନା ଅନ୍ତର୍ଗତ ରାହାଣବେଲି ଗ୍ରାମର ଜଣେ ବ୍ୟକ୍ତି ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି । ବ୍ୟକ୍ତି ଜଣକ ହେଲେ ଗ୍ରାମର ଶ୍ୟାମ ସ୍ୱାଇଁ (୫୬) । ସୂଚନା ଯୋଗ୍ୟ ଯେ, ଶ୍ୟାମ ଜଣେ ମୂଲିଆ ଶ୍ରେଣୀର ଲୋକ ଥିଲେ । ସେ ସବୁଦିନ ଚିଲିକାରେ ଜାଲ ପକାଇ ମାଛ ଧରି ନିଜର ଜିବୀକା ନିର୍ବାହ କରୁଥିଲେ । ସବୁଦିନ ଭଳି ରବିବାର ସନ୍ଧ୍ୟାରେ ସେ ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲେ । ସେହି ସମୟରେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା ।

ତୁରନ୍ତ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ତାଙ୍କୁ ନିକଟସ୍ଥ ବାଲୁଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଥିଲେ । ସେଠାରେ ଉକ୍ତ ସମୟରେ କାର୍ଯ୍ୟରତ ଥିବା ଡାକ୍ତର ତାଙ୍କର ରକ୍ତ ପରୀକ୍ଷା କରି, ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ଜଣାଇଥିଲେ ଏବଂ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଜରିଆରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ରାସ୍ତାରେ ଯିବା ସମୟରେ ଅସୁସ୍ଥ ବ୍ୟକ୍ତିଙ୍କ ଅବସ୍ଥା ଠିକ୍ ଦେଖାନଯିବାରୁ ପରିବାର ଲୋକ ସନ୍ଦେହ କରି ନିକଟରେ ଥିବା ଖଲିକୋଟ ମେଡ଼ିକାଲରେ ଭର୍ତ୍ତି କରିଥିଲେ ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଠାରେ ପ୍ରଶ୍ନଉଠେ ଯେ, ଯଦି ବ୍ୟକ୍ତି ଜଣଙ୍କର ବ୍ଲଡ଼ ରିପୋର୍ଟ ଠିକ୍ ଥିଲା ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ତେବେ ଏଭଳି ଅଘଟଣ ଘଟିଲା କାହିଁକି । ଏହିପରି ଭାବରେ ଯଦି ବାଲୁଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଏ, ତେବେ ତାହା ଉପରେ ନିର୍ଭର କରୁଥିବା ସାଧାରଣ ଜନତା ଉତ୍ତମ ସ୍ୱାସ୍ଥ୍ୟ ସେବା ନିମନ୍ତେ କାହା ଉପରେ ଭରସା କରିବେ । ଏହାର ଉପଯୁକ୍ତ ତଦନ୍ତ କରି ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ପ୍ରଶାସନ ତରଫରୁ ସହାୟତା ପ୍ରଦାନ ନିମନ୍ତେ ସାଧାରଣରେ ଦାବି ହେଉଛି ।


Share It

Comments are closed.