ଆରମ୍ଭ ହେଲା କୃଷି ଓଡ଼ିଶା ୨୦୨୩; ୫ କୃଷକ, ୫ ଏସ୍‌ଏଚ୍‌ଜି ସମ୍ବର୍ଦ୍ଧିତ


ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କହିଛନ୍ତି ଯେ କୃଷି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ବିକାଶ ଉପରେ ସରକାର ଧ୍ୟାନ ଦେଉଛନ୍ତି । କୃଷି କ୍ଷେତ୍ରରେ ବୈଷୟିକ ଉପଯୋଗ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଏବଂ କହଛନ୍ତି ଯେ ସରକାର କୃଷି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଭିତିକ ବିକାଶ ଉପରେ ଧ୍ୟାନ ଦେଉଛନ୍ତି । ସେ କୃଷକମାନଙ୍କୁ କୃଷି କାର୍ଯ୍ୟରେ ନୂତନ କୃଷି ଯନ୍ତ୍ରପାତି ଏବଂ ଉପକରଣ ବ୍ୟବହାର କରିବା ପାଇଁ ଅନୁରୋଧ କରିଛନ୍ତି । ଯାହାଦ୍ୱାରା ଓଡ଼ିଶା ଏକ କୃଷି ବିକଶିତ ରାଜ୍ୟ ହୋଇପାରିବ ।
ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର ଅଫ କମର୍ସ ଏବଂ ଇଣ୍ଡଷ୍ଟ୍ରି (ଫିକି)ର ମିଳିତ ସହଯୋଗରେ ରାଜ୍ୟ ସରକାରଙ୍କ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ତିନି ଦିନିଆ ‘କୃଷି ଓଡ଼ିଶା ୨୦୨୩’ରେ ଓଡ଼ିଶାକୁ ଖାଦ୍ୟ ନିଅଂଟିଆ ରାଜ୍ୟରୁ ସଫଳତାର ସହ ଖାଦ୍ୟ ବଳକା ରାଜ୍ୟ ଭାବେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, “ସାଧାରଣ ବଂଟନ ବ୍ୟବସ୍ଥା ଲାଗି ଆମେ ସାରା ଦେଶ ପାଇଁ ଚାଉଳ ଯୋଗାଇ ଦେଉଛୁ । ଆମ କାଳିଆ ଯୋଜନା ଚାଷୀମାନଙ୍କ ଆୟ ନିରାପତା ଏବଂ କୃଷି ଉତ୍ପାଦନ ବୃଦ୍ଧି ସୁନିଶ୍ଚିତ କରିଛି । ଆମ ସରକାର କୃଷି ଯାନ୍ତ୍ରିକୀକରଣ ଉପରେ ଧ୍ୟାନ ଦେବା ଜାରି ରଖିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶା କୃଷି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି । କୃଷକ ସଶକ୍ତିକରଣ, ଜଳବାୟୁ ପରିବର୍ତନ ଜନିତ ପ୍ରଭାବ ଦୂର କରିବା ଲାଗି ଗ୍ରହଣ କରାଯାଉଥିବା ପଦକ୍ଷେପ, ଖାଦ୍ୟର ପୋଷଣ ମାନକୁ ନିଶ୍ଚିତ କରିବା ଏବଂ ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ସରକାରଙ୍କ ରହିଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସେ ଉପସ୍ଥିତ ଆନ୍ତର୍ଜାତିକ ଏଜେନ୍ସିର ପ୍ରତିନିଧିମାନଙ୍କୁ ଅବଗତ କରିଛନ୍ତି ।
ଏହି ଅବସରରେ ରାଜ୍ୟ କୃଷି ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, “ଚାଉଳରେ ଆତ୍ମନିର୍ଭରଶୀଳ ହେବା ପରେ ଓଡ଼ିଶା ଏବେ ମାଛ, ମାଂସ, ଅଣ୍ଡା ଓ ଦୁଗ୍ଧ ଉତ୍ପାଦନରେ ପ୍ରାୟ ସ୍ୱାବଲମ୍ବୀ ହୋଇଗଲାଣି । ଚାଷୀମାନଙ୍କ କଠିନ ପରିଶ୍ରମ ଯୋଗୁ କେବଳ ଓଡ଼ିଶାର ଖାଦ୍ୟ ନିରାପତା ନିଶ୍ଚିତ ହୋଇନାହିଁ ବରଂ ବଳକା ଚାଉଳକୁ ଅନ୍ୟ ରାଜ୍ୟକୁ ପଠାଇ ସେମାନଙ୍କ ଆବଶ୍ୟକତା ପୂରଣ କରାଯାଉଛି ।
ସେ ଏହା ମଧ୍ୟ କହିଛନ୍ତି ଯେ ଗତ କିଛି ମାସ ଭିତରେ ସଫଳତାର ସହ ବିଭିନ୍ନ ଜିଲ୍ଲାରେ କୃଷି ମେଳା ଆୟୋଜନ କରିବା ପରେ ଆଗାମୀ ଦିନରେ ବ୍ଲକ୍ ସ୍ତରରେ ସେଭଳି ମେଳା ଆୟୋଜନ କରିବାର ଯୋଜନା ରହିଛି । ଆସନ୍ତା ବର୍ଷ ମଧ୍ୟ ଏହି ମେଳା ଆୟୋଜନ କରାଯିବ । ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଚାଷୀମାନେ ବିଶେଷ ଭାବେ ଉପକୃତ ହେବେ, ଯାହା ସେମାନଙ୍କ ଆୟ ବଢ଼ାଇବାରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ଦଶନ୍ଧି ପୂର୍ବରୁ ଚାଉଳ କ୍ଷେତ୍ରରେ ଓଡ଼ିଶା ଏକ ବଳକା ରାଜ୍ୟ ହୋଇସାରିଥିବା ବିଷୟରେ ସୂଚନା ଦେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟପାଳନ, ପ୍ରାଣୀ ସମ୍ପଦ ବିକାଶ, ମୃତିକା ସଂରକ୍ଷଣ ଓ ଜଳବିଭାଜିକା ପରିଚାଳନା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଗତି କରିଥିବାରୁ ପରିବେଶ ଅନୁକୂଳ ଓ ନିରନ୍ତର ଚାଷକୁ ନିଶ୍ଚିତ କରାଯାଇପାରିବ । ସରକାର ଏବେ କୃଷି ଯାନ୍ତ୍ରିକୀକରଣ, ଫସଲର ବିବିଧିକରଣ, କୃଷି ଉଦ୍ୟୋଗ, ପ୍ରାଣୀଧନ ଓ ମତ୍ସ୍ୟଚାଷର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି । ମିଲେଟ୍ ମିଶନକୁ ସମସ୍ତ ୩୦ଟି ଜିଲ୍ଲାରେ ପହଂଚାଇବାକୁ ଯୋଜନା ରହିଛି ବୋଲି ସେ ସୂଚନା ଦେଇଛନ୍ତି ।
ଓଡ଼ିଶା ଦକ୍ଷତା ବିକାଶ ନିଗମର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ କହିଛନ୍ତି ଯେ ୨୦୩୬ ଲକ୍ଷ୍ୟକୁ ହାସଲ କରିବା ଲାଗି ବର୍ତମାନ ସ୍ଥିତି ତୁଳନାରେ ୫ ଗୁଣା ଅଧିକ ଅଭିବୃଦ୍ଧି ହାସଲ କରିବାକୁ ହେବ । ସେହି ଲକ୍ଷ୍ୟକୁ ହାସଲ କରିବା ପାଇଁ କେତେ ମାନବ ସମ୍ବଳ ଦରକାର ଓ ସେମାନଙ୍କ ମାନ କିଭଳି ରହିବା ଦରକାର ତାହା ଜାଣିବାକୁ ପଡ଼ିବ । ସେଥିପାଇଁ ଓଡ଼ିଶାର ୧୫ ଲକ୍ଷ ଚାଷୀଙ୍କୁ ମିଶନ ପ୍ରକାରେ ବିଭିନ୍ନ ବିଭାଗ ସମନ୍ୱୟରେ ତାଲିମ ଆବଶ୍ୟକ । ଚାଷୀମାନଙ୍କ ଲାଗି ଏକ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରିବା ପାଇଁ ସରକାରଙ୍କ ସହ କଥାବାର୍ତା ଚାଲିଥିବା ସେ କହିଛନ୍ତି ।
ଏହି ଅବସରରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, “ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଉପରେ ଆଧାର କରି ଏହି ସମଗ୍ର କାର୍ଯ୍ୟକ୍ରମକୁ ଏଭଳି ପ୍ରସ୍ତୁତ କରାଯାଇଛି, ଯଦ୍ୱାରା ଆମର କୃଷକମାନେ କୃଷି କାର୍ଯ୍ୟରେ ନୂଆ ଜ୍ଞାନକୌଶଳ ବିଷୟରେ ଶିଖିପାରିବେ ଏବଂ ତାହାକୁ ପ୍ରୟୋଗ କରିପାରିବେ ।
ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ରଦର୍ଶନୀର ଶୁଭାରମ୍ଭ ମଧ୍ୟ କରିଛନ୍ତି ଯେଉଁଠାରେ କୃଷି ଯନ୍ତ୍ରପାତି, ଆଧୁନିକ କୃଷି ଯନ୍ତ୍ରପାତି ପଦର୍ଶିତ ହୋଇଛି । କୃଷି ଯନ୍ତ୍ରପାତିର କ୍ରୟ ମଧ୍ୟ ଏହି ଏକ୍ସପୋର ଅଂଶ ହୋଇଛି ଯାହା ପରିଦର୍ଶକମାନଙ୍କ ପାଇଁ ଖୋଲା ରହିଛି । କୃଷକମାନେ ଗୋ ସୁଗମ ପୋର୍ଟାଲ ମାଧ୍ୟମରେ ନିଜକୁ ପଞ୍ଜିକୃତ କରାଇପାରିବେ । ଏହି କାର୍ଯ୍ୟକ୍ରମର ଅଂଶ ଭାବରେ କୃଷକଙ୍କ ପାଇଁ ସ୍ୱତନ୍ତ୍ର ଅଧିବେଶନର ଯୋଜନା ମଧ୍ୟ କରାଯାଇଛି ।
ଏହି ଅବସରରେ ୫ ଜଣ କୃଷକ ଓ ୫ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପୁରସ୍କୃତ କରାଯାଇଛି । ପୁରସ୍କାର ପାଇଥିବା ଏସ୍‌ଏଚ୍‌ଜି ଓ ଚାଷୀମାନେ ହେଉଛନ୍ତି ଅଗ୍ନି ଗଙ୍ଗାମା ଏସ୍‌ଏଚ୍‌ଜି (କୋରାପୁଟ), ମାନସୀ ଏସ୍‌ଏଚ୍‌ଜି (ନର୍ଲା, କଳାହାଣ୍ଡି), ମା ଶୁଭଲକ୍ଷ୍ମୀ ଏସ୍‌ଏଚ୍‌ଜି (ଯୁଯୁମରା, ସମ୍ବଲପୁର), ଉଜଳେଶ୍ୱର ଏସ୍‌ଏଚ୍‌ଜି (ଶେରଗଡ଼, ଗଂଜାମ), ଦୁଲଣପୁର ପ୍ରଡ୍ୟୁସର୍ସ ଅର୍ଗାନାଇଜେସନ (ବାଙ୍କି, କଟକ), ପ୍ରଫୁଲ୍ଲ କୁମାର ଖିଲ୍ଲ (ସେମିଳିଗୁଡ଼ା, କୋରାପୁଟ), ଯଶପାଲ ସାହୁ (କଳାହାଣ୍ଡି), ସଦାଶିବ ଭୋଇ (କୁଚିଣ୍ଡା, ସମ୍ବଲପୁର), ଦେସୁତୁ ଭଗବାନ (ହିଞ୍ଜିଳିକାଟୁ, ଗଂଜାମ) ଓ ସୁବାସ ଚନ୍ଦ୍ର ପାଲ (ଆଠଗଡ଼, କଟକ) ।
ଏହି ଅବସରରେ କୃଷି ଏବଂ ଆନୁଷଙ୍ଗିକ କୃଷି ଆଧାରିତ ୨୧୨ଟି ଷ୍ଟଲ୍ ସ୍ଥାପନ କରାଯାଇଛି । ଅନେକ ସରକାରୀ ସଂସ୍ଥା, ବ୍ୟାଙ୍କ ଏବଂ କୃଷି ଉଦ୍ୟୋଗୀମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି । କୃଷକ ଉତ୍ପାଦକ ସଂଘ, ସ୍ୱୟଂ ସହାୟକ ଗୋଷ୍ଠୀ, ବେସରକାରୀ ସଂସ୍ଥା ଏବଂ ଇନପୁଟ ଡିଲରମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ୧୦ଟି ବିଷୟବସ୍ତୁ ସେମିନାର ମାଧ୍ୟମରେ କୃଷକମାନେ ନୂଆ ଟେକ୍ନୋଲୋଜି ବିଷୟରେ ଜାଣିପାରିବେ ।
ଏହି ଅବସରରେ ଅତିରିକ୍ତ ଶାସନ ସଚିବ ଏବଂ କୃଷି ଉତ୍ପାଦନ କମିଶନର ଶ୍ରୀ ସତ୍ୟବ୍ରତ ସାହୁ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଶାସନ ବିଭାଗର କମିଶନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଜର୍ମାନୀ ଦୂତାବାସର ଖାଦ୍ୟ ଓ କୃଷି କାଉନସେଲର ଇଞ୍ଜେବୋର୍ଗ ବେୟର, ଡବ୍ଲୁଏଫପି କଂଟ୍ରି ଡାଇରେକ୍ଟର ଏଲିଜାବେଥ ଫୌଓର, ଇଂଟରନ୍ୟାସନାଲ ଫଣ୍ଡ ଫର ଏଗ୍ରିକଲଚରାଲ ଡେଭଲପମେଂଟର କଂଟ୍ରି ଡାଇରେକ୍ଟର ଶ୍ରୀ ଉଲାକ ଡେମିରାଗ ଏବଂ ୟୁନାଇଟେଡ ନେସନ -ଏଗ୍ରିକଲଚର ଫୁଡ୍ ଅର୍ଗାନାଇଜେସନର ଅଫିସ ଇନଚାର୍ଜ ଶ୍ରୀ କୋଣ୍ଡା ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।

 


Share It

Comments are closed.