ଟୁଇଟରକୁ ଟକ୍କର ଦେବ ମେଡ ଇନ ଇଣ୍ଡିଆ koo App, ପିୟୁଷ ଗୋୟଲଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଖୋଲିଲେ ଆକାଉଂଟ


ଦୀର୍ଘ ଦିନ ଧରି ଭାରତରେ ବିଦେଶୀ ସୋସିଆଲ ମିଡିଆ ଆପ୍ ପାଇଁ ବିକଳ୍ପ ଖୋଜା ଚାଲିଛି, ଯାହା ଏବେ ମଧ୍ୟ ଜାରି ରହିଛି | ବର୍ତ୍ତମାନ koo ଆପ୍ ଟ୍ୱିଟରର ବିକଳ୍ପ ଭାବରେ ହଇଚଇ ସୃଷ୍ଟି କରୁଛି। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ koo ଆପରେ ନିଜର ଆକାଉଣ୍ଟ କରିଛନ୍ତି। ଗୋୟଲଙ୍କ ବ୍ୟତୀତ ଅନ୍ୟ କେତେକ ମନ୍ତ୍ରୀ ମଧ୍ୟ koo ଆପ୍ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ପ୍ରକାଶଥାଉ ଯେ koo ଆପ୍ ମଧ୍ୟ ଆତ୍ମନିର୍ଭରଶୀଳ ଇଣ୍ଡିଆ ଆପ୍ଲିକେସନ ଚ୍ୟାଲେଞ୍ଜରେ ଭାଗ ନେଇଥିଲା | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମନ କି ବାତ୍ କାର୍ଯ୍ୟକ୍ରମରେ ମଧ୍ୟ koo ଆପ୍ ବିଷୟରେ କହିଛନ୍ତି।

Koo ଆପ୍ କ’ଣ?

ଯଦିଓ ଆପଣମାନଙ୍କ ମଧ୍ୟରୁ ଅନେକେ Koo ଆପ୍ ବିଷୟରେ ଜାଣିଥିବେ, କିନ୍ତୁ ଅନେକ ଲୋକ ବର୍ତ୍ତମାନ ଏହା ବିଷୟରେ ଜାଣି ନାହାଁନ୍ତି | Koo App ହେଉଛି ଏକ ମାଇକ୍ରୋବ୍ଲଗିଂ ସାଇଟ୍ ଯାହାକୁ ଏକ ଟ୍ୱିଟରକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ କରାଯାଇଛି | ସରଳ ଭାବରେ କହିବାକୁ ଗଲେ, Koo ଆପ୍ ଏକ ମେଡ୍ ଇନ୍ ଇଣ୍ଡିଆ ଟ୍ୱିଟର | ଏହା ହିନ୍ଦୀ, ଇଂରାଜୀ ସମେତ ଆଠଟି ଭାରତୀୟ ଭାଷାରେ ଉପଲବ୍ଧ | Koo ଉଭୟ ଆପ୍ ଏବଂ ୱେବସାଇଟ୍ ଦ୍ୱାରା ବ୍ୟବହାର କରାଯାଇପାରିବ | ଏହାର ଇଣ୍ଟରଫେସ୍ ଟ୍ୱିଟର ସହିତ ସମାନ | ଏହାର ୩୫୦ ଶବ୍ଦର ସୀମା ଅଛି |


୩୦ କୋଟିର ଫଣ୍ଡ
ପ୍ରକାଶଥାଉ ଯେ ଏହି ସପ୍ତାହରେ koo ଏହାର ସିରିଜ୍ ଏ ପାଣ୍ଠିର ଅଂଶ ଭାବରେ ୩୦ କୋଟି ଟଙ୍କା ସଂଗ୍ରହ କରିଛି। ଏହି ପାଣ୍ଠି ଇନଫୋସିସର ମୋହନଦାସ ପାଏର 3one4 କ୍ୟାପିଟାଲରୁ ଆସିଛି| koo ଆପ୍ ପୂର୍ବରୁ ଆକ୍ସେଲ ପାର୍ଟନର୍ସ, କାଲାରି କ୍ୟାପିଟାଲ୍, ବ୍ଲୁମ୍ ଭେଞ୍ଚର୍ସ ଏବଂ ଡ୍ରିମ୍ ଇନକ୍ୟୁବେଟରରୁ ମଧ୍ୟ ଫଣ୍ଡ ଗ୍ରହଣ କରିଛି। kooର ସହ-ପ୍ରତିଷ୍ଠାତା ତଥା ସିଇଓ ହେଉଛନ୍ତି ଅମରାୟ ରାଧାକୃଷ୍ଣ।

ଟ୍ୱିଟର ସହ ଭାରତ ସରକାରଙ୍କ ଟକ୍କର

ପ୍ରକାଶ ଥାଉ ଯେ ଗତ କିଛି ଦିନ ହେବ ଟ୍ୱିଟର ଏବଂ ଭାରତ ସରକାର ମଧ୍ୟରେ ବିବାଦ ଲାଗି ରହିଛି। ନିକଟରେ ଟ୍ୱିଟର ଇଣ୍ଡିଆର ପବ୍ଲିକ ପଲିସି ଡାଇରେକ୍ଟର (ଭାରତ ଏବଂ ଦକ୍ଷିଣ ଏସିଆ) ମହିମା କୌଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଯଦିଓ ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଉଛନ୍ତି ବୋଲି ମହିମା କୌଲ୍ କହିଛନ୍ତି, କିନ୍ତୁ ସରକାରଙ୍କ ସହ ଟ୍ୱିଟର ମୁହାଁମୁହିଁ ହେବାକୁ ମଧ୍ୟ ମହିମାଙ୍କ ଇସ୍ତଫା ସହ ଯୋଡ଼ି ଦେଖାଯାଉଛି। ଗତ ସପ୍ତାହରେ ସରକାର ନିୟମ ଭାଙ୍ଗିବା ପାଇଁ ଟ୍ୱିଟରରୁ ଉତ୍ତର ମାଗିଥିଲେ ଏବଂ ସପ୍ତାହ ଶେଷ ସୁଦ୍ଧା ମହିମା ଇସ୍ତଫା ଦେଇଥିଲେ।

ମହିମା କୌଲଙ୍କ ଇସ୍ତଫା ପରେ ସରକାର ପାକିସ୍ତାନ ଏବଂ ଖାଲିସ୍ତାନର ସମର୍ଥକଙ୍କ ୧,୧୭୮ ଆକାଉଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାର ଟ୍ୱିଟରକୁ ଚେତାବନୀ ଦେଇଛନ୍ତି ଯେ ଯଦି ଏହା ନିର୍ଦ୍ଦେଶନାମା ପାଳନ ନକରେ ତେବେ ସମ୍ପୃକ୍ତ ବିଭାଗ ଅଧୀନରେ ଜୋରିମାନା କିମ୍ବା ସାତ ବର୍ଷ ଜେଲ ହୋଇପାରେ। ଏହି ନୋଟିସ ଉପରେ ଟ୍ୱିଟର କହିଛି ଯେ ଏହା ସରକାରଙ୍କ ସହ ଆଲୋଚନା କରିବାକୁ ଚାହୁଁଛି। ଟ୍ୱିଟର ଏହା ମଧ୍ୟ କହିଛି ଯେ କର୍ମଚାରୀଙ୍କ ସୁରକ୍ଷା ହେଉଛି ଏହାର ପ୍ରଥମ ପ୍ରାଥମିକତା।


Share It

Comments are closed.