କଟିହାର ମେୟର ଶିବରାଜ ପାସୱାନଙ୍କୁ ଗୁଳି କରି ହତ୍ୟା


ବିହାର କଟିହାର ବୂଢିବାରେ ଲାଗିଛି ଅପରାଧ । ଯାହାକି ପୋଲିସର ନିଦ ହଜାଇ ଦେଇଛି । କଟିହାରରେ ମେୟର ଶିବରାଜ ପାସୱାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଗୁରୁବାର ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ବାଇକରେ ଆସି ଅତି ନିକଟରୁ ଶିବରାଜଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି କରିଥିଲେ । ସଂଗେ ସଂଗେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଘଟଣା ଛାନଭିନ କରୁଛି । ତେବେ ଗୁଳିମାଡର ପ୍ରକୃତ କାରଣ କଣ ତାହା ଏଯାଏଁ ଅସ୍ପଷ୍ଟ ରହିଛି । ଏହି ହତ୍ୟାକାଣ୍ଡ ମେୟରଙ୍କ ୱାର୍ଡ ସନ୍ତୋଷୀ କଲୋନୀରେ ଘଟିଛି । ସୂଚନା ଥାଉକି ଯେ, ବାଇକ ଆରୋହୀ ଦୁର୍ବୃତ୍ତମାନେ ମେୟରଙ୍କ ଅତି ନିକଟକୁ ଆସିଥିଲେ । ୪ ଜଣ ଦୁର୍ବୃତ୍ତ ଅତର୍କିତ ଭାବେ ମେୟରଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି କରି ଫେରାର ହୋଇଯାଇଥିଲେ ।

ମେୟରଙ୍କ ଛାତିରେ ୩ଟି ଗୁଳି ବାଜିବା ପରେ ସେ ସେଠାରେ ଟିଳ ପଡ଼ିଥିଲେ । ଏହା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ସଂପର୍କରେ ଜାଣିବା ପରେ ପ୍ରଶାସନ ଓ ପୋଲିସର ଚିନ୍ତା ବଢ଼ିଯାଇଛି । ପୋଲିସ ଏବେ ପୂରା ଅଂଚଳକୁ ସିଲ କରି ଘଟଣାର ତଦନ୍ତ କରୁଛି ।


Share It

Comments are closed.