ପରଲୋକରେ କଟାକ୍ଷ କିଶୋର


ଚାଲିଗଲେ କଟାକ୍ଷ କିଶୋର। ଓଡ଼ିଶା ସାମ୍ବାଦିକତା ଜଗତର ଲୋକପ୍ରିୟ ବ୍ୟଙ୍ଗ ଚିତ୍ରକର କିଶୋର ରଥଙ୍କ ପରଲୋକ ହୋଇଛି। ସୋମବାର ସକାଳ ସମୟରେ ତାଙ୍କର ପରଲୋକ ଘଟିଛି । ୫୮ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ କିଶୋର ରଥଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଦୀର୍ଘ ଦିନ ଧରି ସେ ସମ୍ବାଦରେ କାର୍ଯ୍ୟରତ ଥିଲେ । ତାଙ୍କ ସାମାଲୋଚନା ମୂଳକ କାର୍ଟୁନ ପାଇଁ ସେ ଘରେ ଘରେ ପରିଚିତ ଥିଲେ।

ସୋମବାର ସକାଳ ସମୟରେ ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଛି । ବ୍ୟଙ୍ଗ ଚିତ୍ରକରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଅମର ଆତ୍ମାର ସଦ୍‌ଗତି କାମନା ସହ ପରିବାରକୁ ଗଭୀର ସମବେଦନା ଉପସ୍ଥାପନର ନିଜସ୍ଵ ସ୍ଵତନ୍ତ୍ର ଶୈଳୀ ପାଇଁ କିଶୋର ସ୍ମରଣୀୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ ଜରିଆରେ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ୧୯୬୩ରେ ଜନ୍ମିତ କିଶୋର ରଥ ରାଜ୍ୟର ବେଶ୍‌ ଜଣାଶୁଣା କାର୍ଟୁନିଷ୍ଟ ଭାବେ ପରିଚିତ ଥିଲେ । ଖଲିକୋଟ ଆର୍ଟ କଲେଜରୁ ଫାଇନ୍‌ ଆର୍ଟସରେ ସ୍ନାତକ ପରେ ପେସାଦର ବ୍ୟଙ୍ଗ ଚିତ୍ରକର ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । କିଶୋରଙ୍କ ଦ୍ୱାରା ରଚିତ ବହୁ ବ୍ୟଙ୍ଗ କବିତା ଓ ଚିତ୍ର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି। କିଶୋରଙ୍କର ଏହି ବ୍ୟଙ୍ଗ ଚିତ୍ର ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ଜଣେ ଚିତ୍ରଶିଳ୍ପୀ ହେବା ସହ ବ୍ୟଙ୍ଗ କବିତା ଲେଖିବାରେ ତାଙ୍କର ଅପୂର୍ବ ଦକ୍ଷତା ଥିଲା।

ସେ ଦୀର୍ଘ ୩ ଦଶନ୍ଧିରୁ ଊର୍ଦ୍ଧ୍ଵ ସମୟ ଧରି ‘ସମ୍ବାଦ’ରେ କାର୍ଯ୍ୟରତ ଥି‌ଲେ। ତାଙ୍କର ପକେଟ କାର୍ଟୁନ୍ ’କଟାକ୍ଷ’ ପାଠକ ମହଲରେ ବେଶ୍ ଲୋକପ୍ରିୟ ଥିଲା । ବିଭିନ୍ନ ରାଜନୈତିକ, ସାମାଜିକ, ଅର୍ଥନୈତିକ ଆଦି ପ୍ରସଙ୍ଗକୁ ସେ ’କଟାକ୍ଷ’ ସ୍ତମ୍ଭରେ ଉପସ୍ଥାପିତ କରିଆସୁଥିଲେ।


Share It

Comments are closed.