ଦିଲଜିତଙ୍କୁ କଟାକ୍ଷ କଲେ କଙ୍ଗନା, କହିଲେ “ଦେଶରେ ନିଆଁ ଲଗାଇ ବିଦେଶରେ ମଜା ନେଉଛନ୍ତି ଲୋକାଲ କ୍ରାନ୍ତିକାରୀ”


ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଗତ କିଛି ଦିନ ହେଲା ଯେକୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କଙ୍ଗନା ରାଜନେତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ଯାଏଁ ଅନେକଙ୍କ ସହ ପଙ୍ଗା ନେଇସାରିଛନ୍ତି। କୃଷି ଆନ୍ଦୋଳନକୁ ନେଇ ନିଜ ବୟାନ ଦେଇ କଙ୍ଗନାଙ୍କୁ କିଛି ପଞ୍ଜାବୀ ସେଲିବ୍ରିଟି ମଧ୍ୟ ଟାର୍ଗେଟ କରିଛନ୍ତି। ଏମାନଙ୍କ ମଧ୍ୟରେ ହିମାଂଶି ଖୁରାନାଠୁ ଆରମ୍ଭ କରି ପ୍ରିନ୍ସ ନରୁଲା ଯାଏଁ ସାମିଲ ଅଛନ୍ତି। ଦିଲଜିତ ଦୋସାଞ୍ଜଙ୍କ ସହ ମଧ୍ୟ ସୋସିଆଲ ମିଡ଼ିଆ ଜରିଆରେ କଙ୍ଗନାଙ୍କ ଅନେକ ଯୁକ୍ତିତର୍କ ହୋଇଛି। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଏବେ ବି ଜାରି ରହିଛି। କଙ୍ଗନା ପୁଣି ଦିଲଜିତଙ୍କୁ ଟାର୍ଗେଟ କରିଛନ୍ତି।

ଦିଲଜିତ ସୋସିଆଲ ମିଡ଼ିଆରେ ନିଜର କିଛି ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଛୁଟି ମନାଇବାକୁ ବିଦେଶ ଯାଇଛନ୍ତି। ଏହି ଫଟୋ ଦେଖି କଙ୍ଗନା ଦିଲଜିତଙ୍କୁ ପୁଣି ଟାର୍ଗେଟ କରିଛନ୍ତି। କଙ୍ଗନା ଦିଲଜିତଙ୍କୁ ‘ଲୋକାଲ କ୍ରାନ୍ତିକାରୀ’ କହିଛନ୍ତି। କଙ୍ଗନା ନିଜ ଟ୍ୱିଟରେ ଲେଖିଛନ୍ତି, “ବାଃ କି କଥା, ଦେଶରେ ନିଆଁ ଲଗାଇ, କୃଷକ ରାସ୍ତାରେ ବସିଥିବାବେଳେ ଲୋକାଲ କ୍ରାନ୍ତିକାରୀ ବିଦେଶରେ ମଜା ନେଉଛନ୍ତି। ଏହାକୁ ହିଁ କୁହନ୍ତି ଲୋକାଲ କ୍ରାନ୍ତିକାରୀ।” ଜବାବରେ ଦିଲଜିତ ଦୋସାଞ୍ଜ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଜଣେ ବୟସ୍କା ମହିଳା କଙ୍ଗନାଙ୍କ ଉପରେ ବର୍ଷୁଥିବା ଦେଖିବାକୁ ମିଳିଛି। ଭିଡିଓ ସେୟାର କରି ଦିଲଜିତ ଲେଖିଛନ୍ତି, ‘ଆମେ ଭୁଲି ଯାଇଛୁ ବୋଲି ଭାବିବନି’ ଏହି ଟ୍ୱିଟର ଜବାବରେ ମଧ୍ୟ କଙ୍ଗନା ଆଉ ଏକ ଟ୍ୱିଟ କରିଛନ୍ତି। କଙ୍ଗନା ଟ୍ୱିଟ କରିଛନ୍ତି, ‘ସେ ତ ସମୟ କହିବ ସାଙ୍ଗ ଯେ କିଏ କୃଷକଙ୍କ ହକ ପାଇଁ ଲଢ଼ିଥିଲା ଓ କିଏ ତାଙ୍କ ବିରୋଧରେ। ଶହେ ମିଛ ଗୋଟିଏ ସତକୁ ଲୁଚେଇ ପାରିବନି। ଯାହାକୁ ସତ ମନରେ ଭଲପାଇଥିବ ସେ କେବେ ତୁମକୁ ଘୃଣା କରିପାରିବନି। ତୁ କଣ ଭାବୁଛୁ ତୁ କହିଲେ ପଞ୍ଜାବ ମୋ ବିରୋଧୀ ହୋଇଯିବ ? ଏତେ ବଡ ବଡ ସ୍ବପ୍ନ ଦେଖନି, ହୃଦୟ ଭାଙ୍ଗିଯିବ।’


Share It

Comments are closed.