ୱାର୍ମ ଅପ୍ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ବିଜୟ, ଶେଷ ଓଭରରେ ଅଷ୍ଟ୍ରେଲିଆ ଟିମ୍‌ର ଚାଲିଗଲା ୪ ୱିକେଟ୍


ଟି-୨୦ ୱାର୍ଲ୍ଡକପ୍‌ ୨୦୨୨ ରେ ନିଜର ପ୍ରଥମ ଅଫିସିଆଲ ୱାର୍ମଅପ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଭାରତ ୬ ରନରେ ହରାଇ ଦେଇଛି। ଟିମ୍‌ ଇଣ୍ଡିଆ ଶେଷ ଓଭରରେ ୪ ୱିକେଟ ନେଇ ଅଷ୍ଟ୍ରେଲିଆ ବ୍ୟାଟରଙ୍କ ଅଣ୍ଟା ଏକ ପ୍ରକାର ଭାଙ୍ଗି ଦେଇଥିଲା। ଏହା ସହିତ ଭାରତ ଏହି ରୋମାଞ୍ଚକର ମ୍ୟାଚ୍‌କୁ ୬ ରନ୍‌ରେ ଜିତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୧୮୬ ରନ୍ କରିଥିଲେ, ହେଲେ ଅଷ୍ଟ୍ରେଲିଆ ୧୮୦ ରନ୍‌ କରିଥିଲା।

ଅଷ୍ଟ୍ରେଲିଆକୁ ଶେଷ ଓଭରରେ ଜିତିବା ପାଇଁ ୧୧ ରନ୍‌ ଦରକାର ଥିଲା, କିନ୍ତୁ ଭାରତ ଏଠାରେ ଏଭଳି କିଛି କମାଲ କରିଥିଲା ଯେ, ସମସ୍ତେ ଚକିତ ହୋଇଯାଇଥିଲେ। ମହମ୍ମଦ ଶାମିଙ୍କୁ ରୋହିତ ଶର୍ମା ଶେଷ ଓଭର ବୋଲିଂ ପାଇଁ ଦେଇଥିଲେ। ଏହି ଓଭରରେ ମୋଟ ୪ ୱିକେଟ ଭାରତକୁ ମିଳିଥିଲା। ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ୍‌ରେ କ୍ୟାପଟେନ୍ ଥିବା ଆରୋନ ଫିଞ୍ଚ ୭୬ ରନ୍‌ରେ ଧମାକାଦାର ଇନିଂସ ଖେଳିଥିଲେ, ସେ ନିଜ ଇନିଂସରେ ୭ଟି ଚୌକା ଓ ୩ଟି ଛକା ମାରିଥିଲେ। ଫିଞ୍ଚଙ୍କ ବ୍ୟତୀତ ମିଚେଲ ମାର୍ଶ ୩୫, ଗ୍ଲେନ୍ ମାକ୍ସଓ୍ବେଲ ୨୩ ରନ୍‌ର ଇନିଂସ ଖେଳିଥିଲେ। ଟିମ୍‌ ଇଣ୍ଡିଆ ପକ୍ଷରୁ ଭୁବନେଶ୍ବର କୁମାରଙ୍କୁ ୨, ଅର୍ଶଦ୍ବୀପ-ହର୍ଷଲ ଓ ଚହଲଙ୍କୁ ୧-୧ ୱିକେଟ ମିଳିଥିଲା। ମହମ୍ମଦ ଶାମି ଶେଷରେ ଶେଷ ଓଭରରେ ୩ ୱିକେଟ ନେଇ ଖେଳର ରୂପରେଖ ବଦଳାଇ ଦେଇଥିଲେ।

ଭାରତ ପକ୍ଷରୁ କେଏଲ ରାହୁଲ(୫୭) ଓ ସୂର୍ଯ୍ୟ କୁମାର ଯାଦବ(୫୦) ଧୂଆଁଧାର ବ୍ୟାଟିଂ କରିଥିଲେ। ଟିମ୍ ଇଣ୍ଡିଆ ୨୦ ଓଭରରେ ପ୍ରଥମେ ବ୍ୟାଟିଂ କରି ୭ ଓ୍ବିକେଟ ହରାଇ ୧୮୬ ରନ୍‌ କରିଥିଲେ। ଅଷ୍ଟ୍ରେଲିଆକୁ ଏହି ୱାର୍ମଅପ ମ୍ୟାଚ୍‌ ଜିତିବା ପାଇଁ ୧୮୭ ରନ୍‌ ଦରକାର। କେଏଲ ରାହୁଲ ଓ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟତୀତ ଭାରତ ପକ୍ଷରୁ ରୋହିତ ଶର୍ମା ୧୫, ବିରାଟ କୋହଲି ୧୯, ଦିନେଶ କାର୍ତ୍ତିକ ୨୦ ଓ ହାର୍ଦ୍ଧିକ ପାଣ୍ଡ୍ୟା ୨ ରନ୍‌ କରିଛନ୍ତି।


Share It

Comments are closed.