ଆଡିଲେଡ୍ ଟେଷ୍ଟରେ ଭାରତକୁ ୮ ଓ୍ୱିକେଟରେ ହରାଇଲା ଅଷ୍ଟ୍ରେଲିଆ


ଆଡିଲେଡ୍ ଟେଷ୍ଟରେ ଭାରତୀୟ ଦଳ ୮ ୱିକେଟରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ଏହି ଡେ ନାଇଟ୍ ଟେଷ୍ଟ ଜିତିବା ପରେ ଅଷ୍ଟ୍ରେଲିଆ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ​​| ଭାରତ ଦେଇଥିବା ୯୦ ରନର ଟାର୍ଗେଟକୁ ଅଷ୍ଟ୍ରେଲିଆ ମାତ୍ର ୨ ଓ୍ୱିକେଟ ହରାଇ ହାସଲ କରିନେଇଛି । ଏହାସହ ଭାରତ ଶୋଚନୀୟ ପରାଜୟବରଣ କରିଛି ।

ଦ୍ଵିତୀୟ ଦିନର ପ୍ରଥମ ସେସନରେ ଭାରତ ୨୪୪ ରନରେ ଅଲଆଉଟ୍ ହେବା ପରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା। କଙ୍ଗାରୁ ଦଳ ୧୯୧ ରନରେ ଅଲଆଉଟ୍ ହେବା ସହ ଭାରତଠୁ ପ୍ରଥମ ଇନିଂସରେ ୫୩ ରନରେ ପଛୁଆ ରହିଥିଲା। ଅଧିନାୟକ ଟିମ୍ ପେନ ୯୯ ବଲରୁ ୧୦ ଚୌକା ସହ ୭୩ ରନର ଅପରାଜିତ ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ରବି ଚନ୍ଦ୍ରନ ସର୍ବାଧିକ ୪ଟି ଓ୍ଵିକେଟ୍ ନେଇଥିବା ବେଳେ ଉମେଶ ଯାଦବ ୩ଟି ଓ ଯଶପ୍ରୀତ ବୁମରା ଦୁଇଟି ଓ୍ଵିକେଟ୍ ନେଇଥିଲେ।

ତେବେ ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟସମ୍ୟାନ ଫେଲ୍ ମାରିଥିଲେ । ଦଳ ମାତ୍ର ୩୬ ରନରେ ଅଟକି ଯାଇଛି। ଦଳର କୌଣସି ବ୍ୟାଟସମ୍ୟାନ୍ ୨ ଅଙ୍କ ଛୁଇଁ ପାରିନଥିଲେ । ଅଷ୍ଟ୍ରେଲିଆର ବୋଲିଂ ଆଗରେ ସେମାନେ ଆତ୍ମସମର୍ପଣ କରିଥିଲେ । ପ୍ରଥମେ ପୃଥ୍ୱୀ ଶ ୪ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ଜସପ୍ରିତ ବୁମରାହ ୨ ରନ୍, ମୟଙ୍କ ଅଗ୍ରଓ୍ୱାଲ ୯ ରନ, ଚେତେଶ୍ୱର ପୂଜାରା ୦, ବିରାଟ କୋହଲି ୪, ଆଜିଙ୍କ୍ୟ ରାହାଣେ ୦, ହନୁମା ବିହାରୀ ୮ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ସେହିପରି ଓ୍ୱାଶିଂଟନ ସୁନ୍ଦର ୪, ଅଶ୍ୱିନ ୦ ରନରେ ଆଉଟ୍ ହୋଇଥିଲେ । ସେହିପରି ମହମ୍ମଦ ସାମି ରିଟାୟର ହର୍ଟ ହୋଇଥିଲେ । ଏପରି ଭାବେ ଭାରତ ଅଷ୍ଟ୍ରେଲିଆକୁ ୯୦ ରନର ଟାର୍ଗେଟ ଦେଇଥିଲା ।ଅଷ୍ଟ୍ରେଲିଆ ପକ୍ଷରୁ ଜୋସ୍ ହାଜେଲଉଡ୍ ୫ଟି ଓ୍ୱିକେଟ୍ ନେଇଥିବା ବେଳେ ପ୍ୟାଟ୍ କ୍ୟୁମିନ୍ସ ୪ଟି ଓ୍ୱିକେଟ୍ ନେଇଥିଲେ ।

ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ମାତ୍ର ୨ ଓ୍ୱିକେଟ ହରାଇ ପ୍ରଥମ ଟେଷ୍ଟ୍ ଜିତିଛି । ଦଳ ପକ୍ଷରୁ ଜୋଏ ବର୍ଣ୍ଣସ ସର୍ବାଧିକ ୫୧ ରନ୍ କରିଥିବା ବେଳେ ମାଥ୍ୟୁ ଓ୍ୱାଡେ ୩୩, ମାମ୍ୟୁସ ଲାବୁସେନ ୬ ରନ୍ କରିଥିଲେ । ଏହି ବିଜୟ ସହ ଅଷ୍ଟ୍ରେଲିଆ ସିରିଜରେ ୧-୦ରେ ଆଗୁଆ ରହିଛି ।


Share It

Comments are closed.