ଆଜି ତୃତୀୟ ଦିନିକିଆ, ସମ୍ମାନ ରକ୍ଷା ପାଇଁ ଖେଳିବ ଶ୍ରୀଲଙ୍କା


ଘରୋଇ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଶୁକ୍ରବାର ତୃତୀୟ ଦିନିକିଆ ଖେଳାଯିବ । ପ୍ରଥମ ୨ଟି ମ୍ୟାଚ୍‌ ଜିତି ସାରିଥିବା ଭାରତ ଶୁକ୍ରବାର ବିଜୟ ସହ ସିରିଜ ମୂଳପୋଛ କରିବାକୁ ପ୍ରୟାସ କରିବ । ଅନ୍ୟ ପଟରେ ଘରୋଇ ଦଳ ସମ୍ମାନ ବଞ୍ଚାଇବା ପାଇଁ ସବୁ ଶକ୍ତି ଖଟାଇବ ।

ଭାରତୀୟ ଦଳରେ ଷ୍ଟାର୍‌ ଖେଳାଳି ନଥିଲେ ହେଁ ଶୁକ୍ରବାର ବିଜୟ ସମ୍ଭାବନା ଅଧିକ ରହିଛି । କାରଣ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଦଳ ବେଶ୍‌ ସନ୍ତୁଳିତ । ଶୁକ୍ରବାର ମଧ୍ୟ ଆଉ କିଛି ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି । ପୃଥ୍ୱୀ ଶ’ଙ୍କ ସ୍ଥାନରେ ଅନ୍ୟତମ ଯୁବ ଓପନର ଦେବଦତ୍ତ ପାଡ଼ିକଲଙ୍କୁ ପଦାର୍ପଣ ସୁଯୋଗ ମିଳିପାରେ ।

ସେହିପରି ମଧ୍ୟଭାଗରେ ଇଶାନ କିଷନଙ୍କ ସ୍ଥାନରେ ସଞ୍ଜୁ ସାମସନ ଖେଳିପାରନ୍ତି । ବୋଲିଂ ବିଭାଗରେ ମଧ୍ୟ ପରିବର୍ତ୍ତନ ଆଶା କରାଯାଉଛି । କୁଲଦୀପ ଯାଦବଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳବା ସମ୍ଭାବନା ରହିଛି । ଭାରତକୁ ହରାଇବାକୁ ହେଲେ ଘରୋଇ ଦଳକୁ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ । ପ୍ରେମଦାସା ଷ୍ଟାଡିୟମ୍‌ର ପିଚ୍‌ ସର୍ବଦା ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥାଏ । ତେଣୁ ଶୁକ୍ରବାର ବଡ ସ୍କୋର ହେବା ଆଶା କରାଯାଉଛି । ଦିବା-ରାତ୍ର ମ୍ୟାଚ୍‌ ହୋଇଥିବାରୁ ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ଦୀପକ ଚହରଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଦ୍ୱିତୀୟ ଦିନିକିଆରେ ଅପରାଜିତ ଅର୍ଦ୍ଧଶତକ ଅର୍ଜନ କରି ସେ ଦଳକୁ ବିଜୟୀ କରାଇଥିଲେ । ଏହି ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ୍‌ ଅଫ ଦ ମ୍ୟାଚ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା । ଶୁକ୍ରବାର ମଧ୍ୟ ଦର୍ଶକ ତାଙ୍କଠାରୁ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ଆଶା ରଖିବେ ।

ସମ୍ଭାବ୍ୟ ଭାରତୀୟ ଦଳ: ଶିଖର ଧାୱନ(ଅଧିନାୟକ), ପୃଥ୍ୱୀ ଶ’/ଦେବଦତ୍ତ ପାଡ଼ିକଲ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ଇଶାନ କିଷନ/ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର/ନବଦୀପ ସାଇନି, ଦୀପକ ଚହର, କୁଲଦୀପ ଯାଦବ/ବରୁଣ ଚକ୍ରବର୍ତ୍ତୀ, ୟୁଝବେନ୍ଦ୍ର ଚହଲ ।

ସମ୍ଭାବ୍ୟ ଶ୍ରୀଲଙ୍କା ଦଳ: ଅଭିସ୍କା ଫର୍ଣ୍ଣାଣ୍ଡୋ, ପଥୁମ ନିଶଙ୍କା, ମିନୋଦ ଭାନୁକା, ଧନଞ୍ଜୟ ଡି ସିଲଭା, ଭାନୁକା ରାଜାପାକ୍ସା, ଡାସୁନ ଶଣକା(ଅଧିନାୟକ), ୱାନିଣ୍ଡୁ ହାସାରାଙ୍ଗା, ଇସୁରୁ ଉଦାନା, ଲକସନ ସନ୍ଦକନ, ଦୁଷ୍ମନ୍ତ ଚାମୀରା, କାସୁନ ରଜିଥା ।


Share It

Comments are closed.