ପିଲାଙ୍କୁ ମିଛ କହିବାଠାରୁ ଦୂରେଇବେ କେମିତି


ଯୁବ ସମୟ – କୁହାଯାଏ ଯେ, ଅବୋଧ ଶିଶୁ ଯାହା ଶୁଣନ୍ତି ଓ ଦେଖନ୍ତି ତାହାକୁ ନକଲ କରନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ବାପାମା’ଙ୍କ ଗାଳିଠାରୁ ବର୍ତ୍ତୀବାକୁ ଯାଇ ମଧ୍ୟ ଅନେକ ଭୁଲ୍ ଲୁଚାଇବାକୁ ଚେଷ୍ଟା କରିଥାଆନ୍ତି । ଏଥିପାଇଁ ସେମାନେ ମିଛର ଆଶ୍ରୟ ନେଇଥାଆନ୍ତି । ଯଦି ଏହି ଅଭ୍ୟାସ ଅବ୍ୟାହତ ରହିଥାଏ, ତେବେ ସେମାନଙ୍କର ଭବିଷ୍ୟତ ନଷ୍ଟ ହେବାର ଆଶଙ୍କା ଥାଏ । ତେଣୁ ଏହାକୁ ନେଇ ଅନେକ ପିତାମାତା ଚିନ୍ତିତ ଥାଆନ୍ତି । ଅବିଭାବକମାନେ ଜାଣି ରଖିବା ଉଚିତ ଯେ, ପିଲାମାନେ ହେଉଛନ୍ତି ଏକ ମାଟି ମୂର୍ତ୍ତୀ ସଦୃଶ । ପିଲାଦିନୁ ସେମାନଙ୍କୁ ଯେମିତି ଗଢ଼ାଯାଇଥାଏ, ସେମାନେ ସେହିପରି ଗଢ଼ି ହୋଇଥାଆନ୍ତି । ତେବେ ଆସନ୍ତୁ ଯାଣିବା ପିଲାମାନଙ୍କୁ ମିଛଠାରୁ ଦୂରେଇ ରଖିବାର କିଛି ଉପାୟ ।

ରୋଲ୍ ମଡେଲ୍ ହୁଅନ୍ତୁ: ପ୍ରଥମ କଥା ହେଲା ପିଲା ମିଛ କହିବା ଘରୁ ଶିଖିଥାଆନ୍ତି । ଯେତେବେଳେ ଗୁରୁଜନମାନେ ସେମାନଙ୍କ ଦୋଷ ଲୁଚାଇବାକୁ ମିଛ କହିଥାଆନ୍ତି, ପିଲାମାନେ ଏହାକୁ ଅନୁସରଣ କରିଥାଆନ୍ତି । ପରବର୍ତ୍ତୀ ସମୟରେ ପିଲାମାନେ ଏହାକୁ ରକ୍ଷା କବଚ ଭାବି ମିଛ କହିଥାଆନ୍ତି । ତେଣୁ ସେମାନଙ୍କ ସାମନାରେ ସତ କହି ରୋଲ୍ ମଡେଲ୍ ହେବାକୁ ଚେଷ୍ଟା କରନ୍ତୁ ।
ପିଲାଙ୍କୁ ଦଣ୍ଡିତ କରନ୍ତୁ ନାହିଁ: ଛୋଟପିଲା ଦଣ୍ଡକୁ ଭୟ କରିଥାଆନ୍ତି । ଦଣ୍ଡ ପାଇବା ଭୟରେ ସେମାନେ ଅଭିଭାବକଙ୍କୁ ମିଛ କହିଥାଆନ୍ତି । ଯେତେବେଳେ ସେମାନେ ମିଛ କହି ଦଣ୍ଡରୁ ରକ୍ଷା ପାଇଥାଆନ୍ତି, ସେମାନେ ମିଛକୁ ସବୁବେଳେ ନିଜର ସୁରକ୍ଷା କବଚ ବୋଲି ଭାବି ଏହାକୁ ବାରମ୍ବାର ଦୋହରାଇଥାଆନ୍ତି । ତେଣୁ ପିଲାମାନଙ୍କୁ ଦଣ୍ଡ ଦେବା ଅପେକ୍ଷା ସେମାନଙ୍କ ମିଛ କହିବାର କାରଣକୁ ଭଲ ଭାବରେ ବୁଝି, ସତ କହିବା ପାଇଁ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱସ ବଢ଼ାନ୍ତୁ ।
ସତ କହିଲେ ପ୍ରଶଂସା କରନ୍ତୁ: ଯେତେବେଳେ ପିଲାମାନେ ଭୁଲ୍ ସ୍ୱିକାର କରୁଛନ୍ତି, ସେମାନଙ୍କୁ ଏଥିପାଇଁ ପ୍ରଶଂସା କରନ୍ତୁ ଓ ସବୁବେଳେ ସତ କହିବା ପାଇଁ ସେମାନଙ୍କୁ ଉତ୍ସାହିତ କରନ୍ତୁ ।
ସମସ୍ୟାର ସମାଧାନ କରନ୍ତୁ: ପିଲା ନିଜ ଭୁଲ୍ ପାଇଁ ଅନୁତାପ କଲେ, ଏହାର ସମାଧାନର ରାସ୍ତା ଖୋଜନ୍ତୁ ଓ ସେମାନଙ୍କ ସହ ମିଶି ଏହାକୁ ସମାଧାନ କରନ୍ତୁ । ଏହା ନକରି ଯଦି ଆପଣ ପିଲାକୁ ଦୋଷୀ କରନ୍ତି, ତେବେ ସେ ସତ କହିବାକୁ ଭୟ କରିବ ।


Share It

Comments are closed.