କେତେ ସଫଳ ହେବେ ନିର୍ବାଚନୀ ମଇଦାନରେ ଅଫିସର !


ରାଜ୍ୟ ରାଜନୀତିରେ ଦିନକୁ ଦିନ ଅଫିସରଙ୍କ ଭିଡ଼ ବଢ଼ିବାରେ ଲାଗିଛି। କିଛି ଅଧିକାରୀ ଏବେ ଚାକିରି ଛାଡ଼ି ପଛଦୁଆର ବାଟେ ସରକାରରେ ସାମିଲ୍‍ ହୋଇଛନ୍ତି। ଆଉ କିଛି ବିଭିନ୍ନ ନେତାଙ୍କ ଆଶୀର୍ବାଦରେ ଟିକଟ ଖଣ୍ଡେ ପାଇବାକୁ ଚାକିରି ଛାଡ଼ି ରାଜନୀତିକ ଦଳରେ ଯୋଗ ଦେଇଛନ୍ତି। ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଦିନକୁ ଦିନ ଅଫିସରଙ୍କ ଭିଡ଼ ବଢ଼ିବାରେ ଲାଗିଛି। କିଛି ଅଧିକାରୀ ଏବେ ଚାକିରି ଛାଡ଼ି ପଛଦୁଆର ବାଟେ ସରକାରରେ ସାମିଲ୍‍ ହୋଇଛନ୍ତି। ଆଉ କିଛି ବିଭିନ୍ନ ନେତାଙ୍କ ଆଶୀର୍ବାଦରେ ଟିକଟ ଖଣ୍ଡେ ପାଇବାକୁ ଚାକିରି ଛାଡ଼ି ରାଜନୀତିକ ଦଳରେ ଯୋଗ ଦେଇଛନ୍ତି। ପୁଣି କିଛି ଦୁଇ ନାଆରେ ଗୋଡ଼ ଦେଇ ଅପେକ୍ଷା କରିଛନ୍ତି ଠୋସ୍‍ ପ୍ରତିଶୃତିକୁ। ହେଲେ ପ୍ରଶ୍ନ ଉଠୁଛି ମଧ୍ୟ ପ୍ରଦେଶରେ ବିଭିନ୍ନ ରାଜନୀତିକ ଦଳ ଏପରି ଚାକିରି ଛଡ଼ା ଅଧିକାରୀଙ୍କୁ ରାଜନୀତି ଦୁଆର ବନ୍ଦ କରିଥିବାବେଳେ ଓଡ଼ିଶାରେ କ’ଣ ସେମାନଙ୍କୁ ସୁଯୋଗ ମିଳିବ? ପୁଣି ଯଦି ସୁଯୋଗ ମିଳେ ତେବେ ଲୋକେ କ’ଣ ନେତାଙ୍କୁ ଛାଡ଼ି ଏହି ଚାକିରି ଛଡ଼ାଙ୍କୁ ପ୍ରତିନିଧି ଭାବେ ବାଛିବେ?

ନଭେମ୍ବର ପ୍ରଥମ ସପ୍ତାହରୁ ଯେଉଁ ୫ ରାଜ୍ୟର ନିର୍ବାଚନ ଆରମ୍ଭ ହୋଇଛି ସେଥିରେ ରହିଛି ମଧ୍ୟପ୍ରଦେଶ। ଏହି ରାଜ୍ୟରେ ଲୋକଙ୍କ ମତରେ ବିଧାନସଭାକୁ ଯିବା ଲାଗି କିଛି ଅଧିକାରୀ ଚାକିରି ଛାଡ଼ି ଆଗୁଆ ପ୍ରସ୍ତୁତ ହୋଇ ବସିଥିଲେ। ହେଲେ ନା ବିଜେପି ନା କଂଗ୍ରେସ ତାଙ୍କୁ କେହି ଟିକଟ ଦେଲେ ନାହିଁ। ସେମାନେ ଯେ ଲୋକଙ୍କ ବିଶ୍ୱାସ ଓ ଭୋଟ୍‍ ଜିତିପାରିବେ ତାହାକୁ ନେଇ ସେମାନେ ସନ୍ଦେହରେ ରହିଲେ। ଏଣୁ ଛତରପୁର ଜିଲ୍ଲାର ଏସ୍‍ଡିଏମ୍‍ ନିଶା ଭାଙ୍ଗରେ ଏବଂ ସାହାଦୋଲ୍‍ କମିଶନର ରାଜୀବ ଶର୍ମା ନିରାଶ ହେଲେ। ଟିକଟ ପାଇଲେ ପୂର୍ବତନ ବିଧାୟକମାନେ। ଏହି ଦୁଇ ଅଧିକାରୀ ନିର୍ବାଚନ ପୂର୍ବରୁ ସରକାରୀ ଚାକିରିରୁ ଦୂରେଇ ନିଜକୁ ସାମାଜିକ କର୍ମୀ ଭାବେ ପରିଚିତ କରାଇଥିଲେ। ‘ଦି’ ଟ୍ରିବ୍ୟୁନ୍‍’ ରିପୋର୍ଟ ଅନୁସାରେ ଏହି ଦୁଇ ଅଧିକାରୀ ନିର୍ବାଚନକୁ ଆଖିରେ ରଖି ଚାକିରିରୁ ଇସ୍ତଫା ଦେଇଥିଲେ।

ଓଡ଼ିଶାରେ ସେମିତି ଅନେକ ଅଧିକାରୀ ଚାକିରି ଛାଡ଼ି ରାଜନୀତି ପାଇଁ ଆଗ୍ରହ ଦେଖାଇଛନ୍ତି। ସେଥିରୁ କିଛି ଅଧିକାରୀ ସର୍ବଭାରତୀୟ ସ୍ତରର ଚାକିରି ଛାଡ଼ି ସରକାରୀ ବ୍ୟବସ୍ଥାରେ ବିଭିନ୍ନ ସ୍ଥାନରେ ଥଇଥାନ ହୋଇଛନ୍ତି। ପୂର୍ବତନ ଆଇଏଏସ୍‍ ଅଧିକାରୀ ଭୈରବ କାର୍ତ୍ତିକେୟ ପାଣ୍ଡିଆନ ଏବଂ ରାଜସ୍ୱ ସେବା ଅଧିକାରୀ ମନୋଜ ମିଶ୍ରଙ୍କ ଉଦାହରଣ ଏଠାରେ ଦିଆଯାଇପାରେ। ଏମିତି ଅଫିସରଙ୍କ ନେତା ହେବାର ନିଶାକୁ ନେଇ ଏକ ରିପୋର୍ଟ ଜୀ ଓଡ଼ିଶା ପୋର୍ଟାଲରେ ପ୍ରକାଶ ପାଇଛି। ପଢ଼ିବା ପାଇଁ ଏଠାରେ ଲିଙ୍କକୁ କ୍ଲିକ୍‍ କରିପାରନ୍ତି। ଆଜି ବିଜେପିରେ ସେମିତି ଜଣେ ଅଧିକାରୀ ସାମିଲ୍‍ ହୋଇଛନ୍ତି। ସେ ହେଉଛନ୍ତି ସମ୍ବିତ ତ୍ରିପାଠୀ। ଭାରତୀୟ ରାଜସ୍ୱ ସେବା ଅଧିକାରୀ ଭାବେ ସେ କାର୍ଯ୍ୟ କରୁଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ କାର୍ଯ୍ୟ କରିବା ପରେ ସେ ବିଜେପି ଆଡ଼କୁ ଅନୁପ୍ରାଣୀତ ହୋଇ ଚାକିରି ଛାଡ଼ି ଓଡ଼ିଶା ଚାଲି ଆସିଲେ। ଏବେ ସେ ସମ୍ପୂର୍ଣ୍ଣ ଭାବେ ବିଜେପିରେ ସାମିଲ୍‍ ହୋଇ ବିଜେପିରୁ ଟିକଟ ପାଇବାକୁ ଆଶା କରିଛନ୍ତି। ବଡ଼ମ୍ବା ଅଞ୍ଚଳର ବାସିନ୍ଦା ସମ୍ବିତ ଏହିଠାରୁ ବିଧାନସଭାକୁ ଯିବା ଲାଗି ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ବିଜେପି ତାଙ୍କ ପ୍ରାର୍ଥୀତ୍ୱକୁ ଗ୍ରହଣ କଲେ ବିଜେଡିର ତୁଙ୍ଗ ନେତା ଦେବୀ ମିଶ୍ରଙ୍କ ବିପକ୍ଷରେ ସେ ପ୍ରାର୍ଥୀ ହେବେ। ଦେବୀଙ୍କ ବିପକ୍ଷରେ ସେ ବିକଳ୍ପ ହୋଇପାରିବେ କି? ଏହି ପ୍ରଶ୍ନ ଏବେ ଦଳ ଭିତରେ ଆଲୋଚନାର ବିଷୟ।


Share It

Comments are closed.