ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା


ଆଜିଠାରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା (Balijatra 2023) । ୮ ଦିନ ଧରି ଚାଲିବାକୁ ଥିବା ଏହି ମେଳା ନେଇ ଚଳଞ୍ଚଚଳ ହୋଇଉଠିଛି କଟକ ବାଲିଯାତ୍ରା ପଡ଼ିଆ । ନୌବାଣିଜ୍ୟ ପରମ୍ପରାର ସ୍ମୃତି ବଖାଣୁଥିବା ଏହି ଐତିହାସିକ ଯାତ୍ରା ଆଜି ସନ୍ଧ୍ୟାରେ ଉଦ୍ଦଘାଟିତ ହେବ । ସୂଚନାଯୋଗ୍ୟ, ୩୪ ଏକର ଜମି ଉପରେ ଆୟୋଜିତ ହେଉଥିବା ବାଲିଯାତ୍ରାର ଉଭୟ ପଡ଼ିଆରେ ୧୨୦୦ରୁ ଅଧିକ ଷ୍ଟଲ ପଡ଼ିଥିବା ବେଳେ ଓରମାସ୍‌ ପରିସରରେ ୪୨୦ରୁ ଅଧିକ ଷ୍ଟଲ୍‌ ପଡ଼ିଛି। ଏଥର ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ରହିଛି ‘କଟକ ଇନ୍ କଟକ’ରେ ଗ୍ରାମୀଣ କଟକର ଝଲକ। ଏଥିରେ ଗ୍ରାମୀଣ ଜୀବନ, ଜୀବିକା ଓ ପରମ୍ପରାକୁ ଖୁବ୍‌ ଆକର୍ଷଣୀୟ ଭାବରେ ପ୍ରଦର୍ଶନ କରାଯାଇଛି। ସେହିପରି ଅନ୍ୟତମ ଆକର୍ଷଣ ସାଜିବ ରାଜ୍ୟରେ ପ୍ରଥମ ଥର ପାଇଁ ହେଉଥିବା ‘ଫିସ୍ ଆକ୍ବାରିୟମ୍ ଟନେଲ୍’ । କେରଳରୁ ଆସିଥିବା ଏହି ୫ ହଜାର ବର୍ଗଫୁଟର ଆକ୍ବାରିୟମରେ ୫ ହଜାରରୁ ଅଧିକ ଶ୍ରେଣୀର ମାଛ ରହିବେ । ସେହିପରି ଡଷ୍ଟ ଫ୍ରି ବାଲିଯାତ୍ରା ପାଇଁ ପଡ଼ିଆରେ ସ୍ବତନ୍ତ୍ର କେମିକାଲ ବ୍ୟବହାର କରିବାକୁ ବ୍ୟବସ୍ଥା ହୋଇଛି । ଏହାସହ ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକା ଶିଳ୍ପୀଙ୍କ ଦ୍ବାରା ବାଲୁକା କଳା ନିର୍ମାଣ କରାଯାଇଛି। ବାଲିଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ଭାବେ ଜଳକ୍ରୀଡା, ଲେଜର୍ ସୋ, ସବୁଜ ବାଣ ସହ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ନେଇ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ନରହରି ସେଠୀ ସୂଚନା ଦେଇଛନ୍ତି। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଖାସ୍ କରି ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ବିଶେଷ ଯୋଜନା କରାଯାଇଛି । ବାଲିଯାତ୍ରାକୁ ଆସୁଥିବା ଯାତ୍ରୀଙ୍କ ପାଇଁ ୧୬ଟି ଗାଡି଼ ପାର୍କିଂର ବ୍ୟବସ୍ଥା କରାଯାଇଛି । ପାର୍କିଂରୁ ଯାତ୍ରୀମାନଙ୍କୁ ବାଲିଯାତ୍ରା ପଡ଼ିଆ ଯାଏଁ ଆଣିବାକୁ ୩୦ଟି ବସର ବ୍ୟବସ୍ଥା କରାଯାଇଛି । ତେବେ ଏହି ବସ୍ ପାଇଁ ଜନସାଧାରଣଙ୍କୁ କୌଣସି ଶୁକ୍ଲ ଦେବାକୁ ପଡ଼ିବ ନାହିଁ । ଦିବ୍ୟାଙ୍ଗ ଓ ବୟସ୍କ ପାଇଁ ମାଗଣାରେ ଇ-ରିକ୍ସାର ବ୍ୟବସ୍ଥା କରାଯାଇଛି । ବାଲିଯାତ୍ରା ତଳ ପଡ଼ିଆକୁ ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ୪ଟି ଗେଟ୍ ରଖାଯାଇଛି । ଏହାସହ ଯାତ୍ରୀଙ୍କ ସୁବିଧା ନିମନ୍ତେ ପାନୀୟ ଜଳ ସହ ଉଭୟ ପଡ଼ିଆରେ ୨୫୦ଟି ଶୌଚାଳୟ ଖୋଲାଯାଇଛି ।


Share It

Comments are closed.