ବିଜେଡିରେ ଯୋଗଦେଲେ ପାଣ୍ଡିଆନ


ଭୁବନେଶ୍ୱର: ଦଶହରାରେ ଚାକିରି ଛାଡ଼ି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କ୍ୟାବିନେଟ୍‍ ମନ୍ତ୍ରୀ ପାହ୍ୟା ଗ୍ରହଣ କରିଥିବା ଭି କାର୍ତ୍ତିକେୟ ପାଣ୍ଡିଆନ୍‍ ଆଜି ବିଜେଡିରେ ଯୋଗଦେଇଛନ୍ତି। ସେ ଏଣିକି ବିଧିବଦ୍ଧ ଭାବେ ବିଜୁ ଜନତା ଦଳର ଉପ ମୁଖ୍ୟ ହୋଇ ସଭାପତି ନବୀନ ପଟ୍ଟନାୟକଙ୍କ ମାର୍ଗ ଦର୍ଶନରେ ସେ ଦଳକୁ ୨୦୨୪ ନିର୍ବାଚନ ଲାଗି ପ୍ରସ୍ତୁତ କରିବେ ବୋଲି ଚର୍ଚ୍ଚା ହେଉଛି। କାର୍ତ୍ତିକ ପୂର୍ଣ୍ଣମୀ ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଏଥିଲାଗି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ନେତାମାନେ ନବୀନ ନିବାସରେ ଯୋଗ ଦେଇଥିଲେ। ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶଦାସଙ୍କ ସମେତ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପ୍ରଣବ ବଳବନ୍ତରାୟ, ଅରୁଣ ସାହୁ, ଅଶୋକ ପଣ୍ଡା, ବାସନ୍ତୀ ହେମ୍ବ୍ରମ, ପ୍ରତାପ ଦେବ, ସଞ୍ଜୟ ଦାସବର୍ମା, ସମୀର ଦାଶ, ବିକ୍ରମ ଆରୁଖ, ସାଂସଦ ପିନାକୀ ମିଶ୍ର, ମାନସ ମଙ୍ଗରାଜ ପ୍ରମୁଖ ଯୋଗ ଦେଇଥିଲେ। ସକାଳ ୧୦ଟାରେ ବୈଠକ ବସିଥିଲା। ଏହାପରେ ଶ୍ରୀ ପାଣ୍ଡିଆନ୍‍ ଯୋଗ ଦେଇଥିବା ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଏବଂ ଦଳର ସଭାପତିଙ୍କ ଆାଶୀର୍ବାଦରେ ତାଙ୍କ ପାଦ ଛୁଇଁ ଭି କାର୍ତ୍ତିକେୟ ପାଣ୍ଡିଆାନ ଆଜି ଦଳରେ ସାମଲ୍‍ ହୋଇଛନ୍ତି ବୋଲି ସାଂସଦ ପିନାକୀ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଶ୍ରୀ ପାଣ୍ତଡିଆନ୍‍ ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ସକାଳ ୧୦ଟା ୧୫ ମିନିଟରେ ଦଳରେ ସାମଲ୍‍ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅମସରରେ ତାଙ୍କୁ ଆଶୀର୍ବାଦ ଦେଇ ତାଙ୍କର ପ୍ରଶାସନିକ ଓ ରାଜନୀତିକ ଦକ୍ଷତା ଦଳକୁ ଅଧିକ ସହାୟକ ହେବ ବୋଲି କହିଛନ୍ତି। ଯେମିତି ସେ ଗଲା ୧୩-୧୪ ବର୍ଷ ଧରି କାମ କରି ଆସିଛନ୍ତି ସେମିତି ଦଳ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ତାଙ୍କୁ କହିଥିବା ଶ୍ରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ତାଙ୍କର ବିସ୍ତୃତ ପ୍ରଶାସନିକ ଓ ରାଜନୀତିକ ଅଭିଜ୍ଞତା ଦଳ ପାଇଁ ସମ୍ପତ୍ତି ହେବ। ଆମେ ଅେନକ ସଫଳତା ପାଇବୁ। ସମସ୍ତ ବରିଷ୍ଠ ନେତା ଏଥିରେ ଖୁସି ବ୍ୟକ୍ତ କରିଥିବା ଶ୍ରୀ ମିଶ୍ର ସୂଚନା ଦେଇଥିଲେ। ବିଭିନ୍ନ ପଦପଦବୀରେ ଥିବା ବେଳେ ସେ ଓଡ଼ିଶା ବିକାଶ କାର୍ଯ୍ୟକୁ ନିଷ୍ଠାର ସହ ସମ୍ପନ୍ନ କରିଛନ୍ତି। ଏହା ଦଳ ପାଇଁ ଶକ୍ତି ହେବ ବୋଲି କହିଛନ୍ତି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର।


Share It

Comments are closed.