ଗୁଜରାଟରେ ବିଜେପି, ହିମାଚଳରେ ଝୁଲା ସରକାର


ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ ଶେଷ ହେବା ପରେ ସୋମବାର ସମ୍ଭାବ୍ୟ ଫଳାଫଳ ନେଇ ବୁଥ ବାହୁଡା (ଏକଜିଟ୍ ପୋଲ୍‌) ପ୍ରକାଶ ପାଇଛି। ବିଭିନ୍ନ ପୋଲ ଏଜେନ୍ସିର ବୁଥ୍‌ ବାହୁଡା ମତ ଅନୁଯାୟୀ, ଗୁଜରାଟରେ କ୍ରମାଗତ ୭ମ ଥର ପାଇଁ ବିଜେପି ସହଜରେ ସରକାର ଗଠନ କରିବ ବୋଲି ପୂର୍ବାନୁମାନ କରାଯାଇଛି। ମାତ୍ର ପ୍ରତି ୫ ବର୍ଷରେ ସରକାର ବଦଳୁଥିବା ହିମାଚଳ ପ୍ରଦେଶରେ ବିଜେପି ଏଥର ତା’ର ପୂର୍ବ କ୍ଷମତା ବଜାୟ ରଖିବା ନେଇ ସଂଶୟ ପ୍ରକାଶ ପାଇଛି। ଏଠାରେ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହେବ। ହିମାଚଳରେ ଝୁଲା ସରକାର ହେବ ବୋଲି ଏକଜିଟ୍‌ ପୋଲ୍‌ରେ ପୂର୍ବାନୁମାନ କରାଯାଇଛି। ଗୁଜରାଟର ୧୮୨ଟି ବିଧାନସଭା ଆସନ ମଧ୍ୟରୁ ସରକାର ଗଠନର ମ୍ୟାଜିକ ସଂଖ୍ୟା ୯୨ ରହିଛି। ତେବେ ଇଣ୍ଡିଆ ଟୁଡେ ଆକ୍ସିସ୍ ମାଇଁ ଇଣ୍ଡିଆର ଏକ୍‌ଜିଟ୍‌ ପୋଲ ସର୍ଭେ ଅନୁଯାୟୀ ଗୁଜରାଟରେ ବିଜେପି ୧୩୧ରୁ ୧୫୧ଟି ଆସନରେ ବିଜୟୀ ହେବ। ସେହିପରି କଂଗ୍ରେସ ଏଠାରେ ୧୬ରୁ ୩୦, ଆପ୍ ୯ରୁ ୨୧ ଓ ଅନ୍ୟାନ୍ୟ ଦଳ ୨ରୁ ୬ଟି ଆସନରେ ବିଜୟୀ​ ହେବେ ବୋଲି ପୂର୍ବାନୁମାନ କରାଯାଇଛି। ଟିଭି-୯ର ରିପୋର୍ଟରେ ବିଜେପିକୁ ଏଠାରେ ୧୨୫ରୁ ୧୩୦, କଂଗ୍ରେସ ୪୦ରୁ ୫୦, ଆପ୍ ୩ରୁ ୫ ଓ ଅନ୍ୟାନ୍ୟ ଦଳ ୩ରୁ ୭ଟି ଆସନରେ ବିଜୟୀ ହେବେ। ସି-ଭୋଟର ବୁଥ୍‌ ବାହୁଡା ମତ ଅନୁଯାୟୀ ଗୁଜରାଟରେ ବିଜେପି ୧୨୮ରୁ ୧୪୦, କଂଗ୍ରେସ ୩୧ରୁ ୪୩, ଆପ୍ ୩ରୁ ୧୧ ଓ ଅନ୍ୟାନ୍ୟ ଦଳ ୨ରୁ ୬ଟି ଆସନ ପାଇବେ। ଟାଇମ୍ସ ନାଓ ସର୍ଭେ ଅନୁଯାୟୀ ଗୁଜରାଟରେ ବିଜେପି ୧୩୦ଟି ଆସନ ପାଇବାକୁ ଥିବାବେଳେ କଂଗ୍ରେସ ୪୧, ଆପ୍‌ ୬ ଓ ଅନ୍ୟାନ୍ୟ ଦଳ ୪ଟି ଆସନ ପାଇବେ। ୧୯୯୫ରୁ ବିଜେପି ଗୁଜରାଟରେ କ୍ଷମତାରେ ରହିଆସିଥିବାବେଳେ ଏହା ସପ୍ତମ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବ ବୋଲି ସମସ୍ତ ଏକଜିଟ୍‌ ପୋଲ ପୂର୍ବାନୁମାନ କରିଛନ୍ତି। ୨୦୨୨ରେ ଏଠାରେ ପଞ୍ଚଦଶ ବିଧାନସଭା ପାଇଁ ଭୋଟ ଗ୍ରହଣ ହୋଇଛି। ଗୁଜରାଟରେ ବିଜେପି ନିଜର କ୍ଷମତା ବଜାୟ ରଖିବାକୁ ଯାଉଥିବାବେଳେ ହିମାଚଳ ପ୍ରଦେଶରେ କ୍ଷମତା ହରାଇବାର ଆଶଙ୍କା ରହିଛି। କାରଣ ରାଜ୍ୟର ଏକ୍‌ଜିଟ ପୋଲ୍‌ର ପୂର୍ବନୁମାନ ଅନୁଯାୟୀ, ଏଠାରେ ବିଜେପି ଓ କଂଗ୍ରେସ କଡା ମୁକାବିଲା ହେବ। ଏଠାରେ କୌଣସି ଗୋଟିଏ ଦଳକୁ ସ୍ପଷ୍ଟ ବହୁମତ ମିଳିବା ସମ୍ଭାବନା ନାହିଁ। ଏଠାରେ ମୋଟ ଆସନ ସଂଖ୍ୟା ୬୮ ଥିବାବେଳେ ସରକାର ଗଠନ ଲାଗି ମ୍ୟାଜିକ ସଂଖ୍ୟା ୩୫। ୧୯୮୫ ମସିହାରେ କଂଗ୍ରେସ ସରକାର ଗଠନ କରିଥିଲା। ୧୯୯୦ ପରଠାରୁ ରାଜ୍ୟରେ ନିୟମିତ ଭାବେ ବିଜେପି-କଂଗ୍ରେସ ମଧ୍ୟରେ କ୍ଷମତା ପରିବର୍ତ୍ତନ ହୋଇ ଆସୁଛି। ଚଳିତ ତ୍ରୟୋଦଶ ବିଧାନସଭା ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ବିଜେପି ସରକାର କ୍ଷମତାରେ ରହିଛି। ତେଣୁ ଆଗାମୀ ଚତୁର୍ଦଶ ବିଧାନସଭା ୨୦୨୨ରୁ ୨୦୨୭ ପର୍ଯ୍ୟନ୍ତ କଂଗ୍ରେସ ସରକାର ଗଠନର ପାଳି ରହିଛି; ମାତ୍ର ଉତ୍ତରପ୍ରଦେଶ ଭଳି ଏହି ରେକର୍ଡକୁ ଭାଙ୍ଗିବାକୁ ଶାସକ ବିଜେପି ଉଦ୍ୟମ କରୁଛି। ଆସନ୍ତା ୮ ତାରିଖରେ ଅସଲ ଫଳ ହିଁ ଦେଖିବାକୁ ବାକି ରହିଛି। ଇଣ୍ଡିଆ ଟୁଡେ ଆକ୍ସିସ୍ ମାଇଁ ଇଣ୍ଡିଆର ସର୍ଭେ ଅନୁଯାୟୀ ହିମାଚଳ ପ୍ରଦେଶରେ ବିଜେପି ୨୪ରୁ ୩୪ଟି ଆସନ ପାଇବ। ତେବେ କଂଗ୍ରେସ ଏଠାରେ ୩୦ରୁ ୪୦ ଆସନ ଓ ଅନ୍ୟାନ୍ୟ ଦଳ ୪ରୁ ୮ଟି ଆସନରେ ବିଜୟୀ ହେବେ ବୋଲି ପୂର୍ବାନୁମାନ କରାଯାଇଛି। ଟୁଡେ ଚାଣକ୍ୟର ସର୍ଭେ ଅନୁଯାୟୀ ବିଜେପି ଓ କଂଗ୍ରେସକୁ ୩୩ଟି ଲେଖାଏଁ ଓ ଅନ୍ୟାନ୍ୟ ଦଳକୁ ୨ଟି ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି। ଟିଭି-୯ର ସର୍ଭେ ଅନୁଯାୟୀ ହିମାଚଳରେ ବିଜେପିକୁ ୩୩, କଂଗ୍ରେସକୁ ୩୧ ଓ ଅନ୍ୟାନ୍ୟ ଦଳକୁ ୪ଟି ଆସନ ମିଳିବ। ଟାଇମ୍ସ ନାଓର ସର୍ଭେ ଅନୁଯାୟୀ ଏଠାରେ ବିଜେପିକୁ ୩୮, କଂଗ୍ରେସକୁ ୨୮ ଓ ଅନ୍ୟାନ୍ୟ ଦଳକୁ ୨ଟି ଆସନ ମିଳିବ। ପୋଲ ଅଫ ପୋଲର ସର୍ଭେ ଅନୁଯାୟୀ ହିମାଚଳରେ ବିଜେପିକୁ ୩୭, କଂଗ୍ରେସକୁ ୨୯ ଓ ଅନ୍ୟାନ୍ୟ ଦଳକୁ ୨ଟି ଆସନ ମିଳିବ। ହିମାଚଳ ପ୍ରଦେଶର ଏକଜିଟ୍‌ ପୋଲରେ କେତେକ ଏଜେନ୍ସି ବିଜେପିକୁ ଅଧିକ ଆସନ ଆଉ କେତେକ ଏଜେନ୍ସି କଂଗ୍ରେସକୁ ଅଧିକ ଆସନ ମିଳିବାର ପୂର୍ବାନୁମାନ କରାଯାଇଛି। ଡିସେମ୍ବର ୮ରେ ହିମାଚଳ ପ୍ରଦେଶ ସହିତ ଗୁଜରାଟ ବିଧାନସଭା ଭୋଟ ଗଣତି ହେବ। ଭୋଟ ଗଣତି ପରେ ସ୍ପଷ୍ଟ ଫଳାଫଳ ମିଳିପାରିବ। ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ବିଧାନସଭା ପାଇଁ ଭୋଟ ଗ୍ରହଣ ହୋଇଥିବାବେଳେ ଡିସେମ୍ବର ୧ ଓ ୫ରେ ଗୁଜରାଟ ବିଧାନସଭା ପାଇଁ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା।


Share It

Comments are closed.