ଆଇଡିଆନେଷ୍ଟ ୨.୦ ପ୍ରି-ଇନ୍‌କ୍ୟୁବେଶନ କାର୍ଯ୍ୟକ୍ରମରେ ୩୦ ଜଣ ଷ୍ଟାର୍ଟଅପଙ୍କର ଅଂଶଗ୍ରହଣ


ଭୁବନେଶ୍ୱର:  ଅଟଳ ଇନ୍‌କ୍ୟୁବେଶନ ସେଂଟର୍‌-ନାଳନ୍ଦା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେଶନ (ଏଆଇସି-ନାଳନ୍ଦା) ପକ୍ଷରୁ ଏହାର ବାର୍ଷିକ ପ୍ରି-ଇନ୍‌କ୍ୟୁଶେନ ପ୍ରୋଗ୍ରାମ, ଆଇଡିଆନେଷ୍ଟ ୨.୦ର ୨ୟ ଚାପ୍ଟର୍‌ର ଗ୍ରାଜୁଏଶନ ଡେ’ ଆୟୋଜିତ ହୋଇଯାଇଛି । ଏଆଇସି-ନାଳନ୍ଦା ଏହି କାର୍ଯ୍ୟକ୍ରମକୁ ଜୁନ୍ ୨୦୨୨ରୁ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ପ୍ରାରମ୍ଭିକ ପର୍ଯ୍ୟାୟର ଷ୍ଟାର୍ଟଅପ୍‌ଗୁଡିକ ପାଇଁ ପରିଚାଳନା କରିଥିଲା । ଭାରତର ୧୧ଟି ରାଜ୍ୟରୁ ଆବେଦନ କରିଥିବା ମୋଟ ୮୦ ଜଣ ଆବେଦନକାରୀଙ୍କ ମଧ୍ୟରୁ ୩୦ ଜଣଙ୍କୁ ଏହି ୩ ମାସିଆ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଚୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଇକୋସିଷ୍ଟମ ପାର୍ଟନର ଭାବେ ଷ୍ଟାର୍ଟଅପ୍ ଓଡିଶା,  ନଲେଜ୍ ପାର୍ଟନର୍ ଭାବେ ହେଡ୍‌ଷ୍ଟାର୍ଟ ନେଟ୍‌ୱର୍କ ଫାଉଣ୍ଡେଶନ, ଟେକ୍ନୋଲୋଜି ପାର୍ଟନର୍ ଭାବେ ଏଡବ୍ଲ୍ୟୁଏସ୍ ଷ୍ଟାର୍ଟଅପ୍ ର‌୍ୟାମ୍ପ୍ ଏବଂ ଆଉଟ୍‌ରିଚ୍ ପାର୍ଟନର୍ ଭାବେ ଏସ୍‌କମ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଭୁବନେଶ୍ୱର ଓ ମାଇଁଷ୍ଟାର୍ଟଅପ୍ ୟାତ୍ରା ସମର୍ଥନ କରିଥିଲେ । ଆଇଡିଆନେଷ୍ଟ୍ ଅଂଶଗ୍ରହଣକାରୀ ଷ୍ଟାର୍ଟଅପ୍‌ଗୁଡିକୁ ଏକ ଅନୁଭୂତିଶୀଳ ଓ ଗଭୀର ଶିକ୍ଷା ପ୍ରଦାନ କରିଥିଲା ଯାହା ମୌଳିକ ସ୍ତରରୁ ବଜାର ସ୍ତରକୁ ପ୍ରଗତି କରିବା ପାଇଁ ଆବଶ୍ୟକ ଏକ ଉଦ୍ୟୋଗୀ ଚିନ୍ତାଧାରା ଓ ବ୍ୟବସାୟ କୌଶଳ ସହିତ ଜଣେ ଷ୍ଟାର୍ଟଅପ୍ ପ୍ରାରମ୍ଭକାରୀଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଥିଲା ।

ଏହି ଗ୍ରାଜୁଏଶନ ଡେ’ରେ ୬ ଜଣ ଜୁରୀ ସଦସ୍ୟଙ୍କ ଏକ ପ୍ୟାନେଲ ନିକଟରେ ବିଭିନ୍ନ କ୍ଷେତ୍ରର ୨୧ଟି ଷ୍ଟାର୍ଟଅପ୍ ନିଜର ଉପସ୍ଥାପନା ଦେଇଥିଲେ, ଏହାପରେ ନେଟ୍‌ୱର୍କିଂ ଲଂଚ୍ ଓ ଫାଇନାଲ ଗ୍ରାଜୁଏଶନ ସେରିମୋନି ହୋଇଥିଲା । କାର୍ଯ୍ୟକ୍ରମକୁ ଏଆଇସି-ନାଳନ୍ଦାର ସିଇଓ ଦେବ୍‌ଜ୍ୟୋତି ମହାନ୍ତୀ ଆରମ୍ଭ କରିଥିଲେ । ସେ ଯୁବ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ଓ କିଭଳି ନେଟ୍‌ୱର୍କିଂ ସବୁ ପର୍ଯ୍ୟାୟରେ ଜଣେ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ତାହା ବ୍ୟାଖ୍ୟା କରିଥିଲେ । ହେଡ୍‌ଷ୍ଟାର୍ଟ ନେଟ୍‌ୱର୍କ ଫାଉଣ୍ଡେଶନର ଇନୋଭେଶନ ହବ୍ ଆଣ୍ଡ ଗଭର୍ଣ୍ଣମେଂଟ୍ ଏନ୍‌ଗେଜ୍‌ମେଂଟ୍ ବିଭାଗର ପ୍ରୋଗ୍ରାମ ହେଡ୍ ମୁକେଶ କିସ୍ତୱାଲ ଓଡିଶା ଷ୍ଟାର୍ଟଅପ୍ ଇକୋସିଷ୍ଟମରୁ ଏଭଳି ଯୋଗଦାନଗୁଡିକୁ ଅପେକ୍ଷା କରିବା ପାଇଁ ନିଜର ଆଗ୍ରହ ପ୍ରକାଶ କରିଥିଲେ । ଶୁଶ୍ରୁତ ହସ୍ପିଟାଲ ଆଣ୍ଡ ଟ୍ରମା କେୟାରର ନିର୍ଦ୍ଦେଶକ ଡଃ ଚିଦାତ୍‌ମିକା ଖଟୁଆ ଜଣେ ବ୍ୟକ୍ତିଙ୍କ ନିଜସ୍ୱ ବିଚାର ଉପରେ ଆଧାର କରି ଆରମ୍ଭ କରି ଓ ଏହାର ନିଜସ୍ୱ ଆହ୍ୱାନଗୁଡିକୁ ସାମ୍‌ନା କରିବାର ଗୁରୁତ୍ୱ ଉପରେ ନିଜର ମତାମତ ରଖିଥିଲେ । କାର୍ଯ୍ୟକ୍ରମରେ  ଯୋଗ ଦେଇଥିବା ଷ୍ଟାର୍ଟଅପ୍ ଓଡିଶାର ଏଭାଞ୍ଜେଲିଷ୍ଟ ଡଃ ସଞ୍ଜୁକ୍ତା ବଢେଇ ଷ୍ଟାର୍ଟଅପ୍‌ଗୁଡିକୁ ସମର୍ଥନ କରିବା ପାଇଁ ଷ୍ଟାର୍ଟଅପ୍ ଓଡିଶା ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଯୋଜନାଗୁଡିକ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏହି କାର୍ଯ୍ୟକ୍ରମ ୨୧ଟି ଷ୍ଟାର୍ଟଅପ୍‌କୁ ସମ୍ବର୍ଦ୍ଧନା ସହିତ ସମାପନ ହୋଇଥିଲା ।


Share It

Comments are closed.