ଭୁବନେଶ୍ୱରରେ ଫ୍ଲିପକାର୍ଟର ପ୍ରଥମ ଗ୍ରୋସରୀ ଫୁଲ୍‌ଫିଲମେଂଟ୍ ସେଂଟର୍‌ର ଶୁଭାରମ୍ଭ


ଭୁବନେଶ୍ୱର : ଭାରତର ଘରୋଇ ଇକମର୍ସ ମାର୍କେଟ୍‌ପ୍ଲେସ୍ ଫ୍ଲିପ୍‌କାର୍ଟ ଓଡିଶାର ଭୁବନେଶ୍ୱରରେ ଏହାର ପ୍ରଥମ ଗ୍ରୋସରୀ ଫୁଲ୍‌ଫିଲମେଂଟ୍ ସେଂଟର୍‌ର ଶୁଭାରମ୍ଭ ସହିତ ନିଜର ଉପସ୍ଥିତିକୁ ଅଧିକ ବିସ୍ତାର କରିଛି । ଏହି ନୂଆ ଫୁଲ୍‌ଫିଲମେଂଟ୍ ସେଂଟର୍ ଅର୍ଡର ପ୍ଲେସ୍ ହେବାର ୨୪ ଘଂଟା ମଧ୍ୟରେ ଉପଭୋକ୍ତାଙ୍କ ପାଇଁ ଗ୍ରୋସରୀର ସୁଗମ ଡେଲିଭରି ସୁନିଶ୍ଚିତ କରିବ । ଏହି ସେଂଟର୍ ୩୦୦ରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଏହି ଅଂଚଳରେ ବହୁସଂଖ୍ୟକ ସ୍ଥାନୀୟ ସେଲର୍‌, ଏମ୍‌ଏସ୍‌ଏମ୍‌ଇ, କ୍ଷୁଦ୍ର ଓ ମଧ୍ୟମ ଚାଷୀମାନଙ୍କ ପାଇଁ ଦେଶବ୍ୟାପୀ ବଜାର ପ୍ରବେଶ ପ୍ରଦାନ କରିବ । ଦିନ ପିଛା ୨.୦୯ ଲକ୍ଷ ୟୁନିଟ୍‌ର ଏକ ଡିସ୍‌ପାଚ୍ କ୍ଷମତା ସହିତ ୧.୩୫ ଲକ୍ଷ ବର୍ଗଫୁଟ୍ ଅଂଚଳରେ ପରିବ୍ୟାପ୍ତ ଏହି ଏଫ୍‌ସି ଓଡିଶାର ଆସିକା, ଭଦ୍ରକ, ବସ୍ତା, କଟକ, ଢେଙ୍କାନାଳ,ଜଗତସିଂହପୁର, ପୁରୀ ଓ ତାଳଚେର ଭଳି ସହରରେ ପ୍ରତିଦିନ ୧୬୦୦୦ ଅର୍ଡର ଡେଲିଭରି କରିବ । ଏହି ଏଫ୍‌ସି ଝରଣା ଘିଅ, କାସ୍‌ପର ଚାଉଳ, ଉଷୁନା ଚାଉଳ ଭଳି ଲୋକପ୍ରିୟ ଆଂଚଳିକ ବ୍ରାଣ୍ଡଗୁଡିକର ବିସ୍ତୃତ ଶୃଙ୍ଖଳା ପ୍ରଦାନ କରିବ । ସେଲର୍‌ମାନେ ଏହି ଏଫ୍‌ସିରେ ଏକ ବିସ୍ତୃତ ଶୃଙ୍ଖଳାର ଆଂଚଳିକ ଉତ୍ପାଦ ପ୍ରଦାନ କରିବେ ଯାହା ସ୍ଥାନୀୟ ଉତ୍ପାଦିତ ଖାଦ୍ୟ ଓ ଏଫ୍‌ଏମ୍‌ସିଜି ସମେତ ବିଭିନ୍ନ ବର୍ଗରେ ପରିବ୍ୟାପ୍ତ ରହିଛି ଏବଂ ଦୁଗ୍ଧ, ବ୍ରେଡ୍ ଓ ଅଣ୍ଡାକୁ କ୍ରମାଗତ ଭାବେ ଯୋଗ କରାଯିବ । ଏହାଛଡା ରାଜ୍ୟର ଲୋକପ୍ରିୟ ଉତ୍ପାଦ ଯେପରିକି ଲିଜ୍ଜତ ପାପଡ, ଓମ୍‌ଫେଡ୍ ଘିଅ ଓ ଅନ୍ୟାନ୍ୟ ସ୍ଥାନୀୟ ନମ୍‌କିନ ବ୍ରାଣ୍ଡ ଯେପରିକି ମୁଖୋରୋଚକ ଆଦିକୁ ଏହି ଏଫ୍‌ସିରେ ସେଲର୍‌ଙ୍କ ଦ୍ୱାରା ପ୍ରଦାନ କରାଯିବ ।

ଏସମ୍ପର୍କରେ ଓଡିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି, “ଆମ ରାଜ୍ୟର ଲକ୍ଷ୍ୟ ସହ ଜଡିତ ହୋଇ ଫ୍ଲିପ୍‌କାର୍ଟର ଏହି ପ୍ରଥମ ଗ୍ରୋସରୀ ଫୁଲ୍‌ଫିଲ୍‌ମେଂଟ୍ ସେଂଟର୍ ସ୍ଥାନୀୟ ଏମ୍‌ଏସ୍‌ଏମ୍‌ଇ ଓ କୃଷକମାନଙ୍କର ଦ୍ରୁତ ପ୍ରଗତି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଚିହ୍ନିତ କରୁଛି । ଉପଭୋକ୍ତା ଚାହିଦା ପୂରଣ କରିବା ସହିତ ସ୍ଥାନୀୟ ବ୍ୟବସାୟଗୁଡିକ ପାଇଁ ଏକ ସହାୟକ ପରିବେଶ ସୃଷ୍ଟି କରିବା, ଆମ ରାଜ୍ୟର ସମୃଦ୍ଧ ଅର୍ଥନୈତିକ ପରିଦୃଶ୍ୟରେ ଯୋଗଦାନ ଦେବା ପ୍ରତି ଫ୍ଲିପ୍‌କାର୍ଟର ପ୍ରତିବଦ୍ଧତାକୁ ମୁଁ ପ୍ରଶଂସା କରୁଛି ।” ଫ୍ଲିପ୍‌କାର୍ଟ ଗ୍ରୁପ୍‌ର ଚିଫ୍ କର୍ପୋରେଟ୍ ଆଫାୟାର୍ସ ଅଫିସର୍ ରଜ୍‌ନିଶ କୁମାର କହିଛନ୍ତି, “ଫ୍ଲିପ୍‌କାର୍ଟ ଆମର ପ୍ରଥମ ଗ୍ରୋସରୀ ଫୁଲ୍‌ଫିଲମେଂଟ୍ ସେଂଟର୍ ସହିତ ଓଡିଶାର କେନ୍ଦ୍ରରେ ପ୍ରବେଶ କରିଥିବାରୁ ଆମେ ରାଜ୍ୟର ଗତିଶୀଳ ଅଭିବୃଦ୍ଧିକୁ ସ୍ୱୀକୃତି ଦେଉଛୁ । ଆମେ କେବଳ ଗ୍ରୋସରୀ ଡେଲିଭରି କରୁନାହୁଁ ବରଂ ଆମେ ସମୁଦାୟ, ସ୍ଥାନୀୟ ବ୍ୟବସାୟ ଓ କ୍ଷୁଦ୍ର ଚାଷୀମାନଙ୍କୁ ସଶକ୍ତିକରଣ ପ୍ରଦାନ କରୁଛୁ ।”

ସେହିପରି ଫ୍ଲିପ୍‌କାର୍ଟର ଗ୍ରୋସରୀ ବିଭାଗର ମୁଖ୍ୟ ଓ ଉପାଧ୍ୟକ୍ଷ ହରି କୁମାର ଜି କହିଛନ୍ତି, “ଓଡିଶାରେ ଆମର ପ୍ରଥମ ଗ୍ରୋସରୀ ଫ୍ୟାସିଲିଟିର ଶୁଭାରମ୍ଭ ଉପଭୋକ୍ତାଙ୍କ ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ସେଲରମାନଙ୍କୁ ସଶକ୍ତ କରିବା ସହିତ ସ୍ଥାନୀୟ ଅର୍ଥନୀତିର ବ୍ୟାପକ ଅଭିବୃଦ୍ଧିରେ ଯୋଗଦାନ ଦେବା ପ୍ରତି ଆମର ପ୍ରତିବଦ୍ଧତାକୁ ସୂଚିତ କରୁଛି ।’ ଆଂଚଳିକ ଏମ୍‌ଏସ୍‌ଏମ୍‌ଇ, ସେଲର ଓ କୃଷକମାନଙ୍କ ପାଇଁ ଉନ୍ନତ ଜୀବିକା ସୁଯୋଗ ସୃଷ୍ଟି କରି ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ପରିବହନ, ପ୍ୟାକେଜିଂ ଓ ଅନ୍ୟାନ୍ୟ ସମ୍ବନ୍ଧିତ କାର୍ଯ୍ୟରେ ନିୟୋଜିତ ସ୍ଥାନୀୟ ବ୍ୟବସାୟଗୁଡିକୁ ବୃଦ୍ଧି କରି ଫ୍ଲିପ୍‌କାର୍ଟ ନିଜର ପରିଚାଳନା ଥିବା ଅଂଚଳଗୁଡିକର ସାମାଜିକ-ଅର୍ଥନୈତିକ ବିକାଶକୁ ସମର୍ଥନ କରିବା ଜାରି ରଖିଛି ।


Share It

Comments are closed.