ଲାଉସାନ୍‌ ଡାଇମଣ୍ଡ୍‌ ଲିଗ୍‌-୨୦୨୨, ଜାଭେଲିନ୍‌ ତାଲିକାରେ ନୀରଜ ସାମିଲ


ସ୍ୱିଜରଲାଣ୍ଡର ଲାଉସାନ୍‌ ଠାରେ ଆସନ୍ତା ୨୬ ତାରିଖ ଡାଇମଣ୍ଡ୍‌ ଲିଗ ମିଟ୍‌ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତା ପାଇଁ ଗୁରୁବାର ବିଭିନ୍ନ କ୍ରୀଡ଼ା ଇଭେଣ୍ଟର ଆଥଲେଟ୍‌ ତାଲିକା ପ୍ରକାଶ ପାଇଛି । ଜାଭେଲିନ୍‌ ତାଲିକାରେ ଅଲିମ୍ପିକ୍ସ ଚାମ୍ପିଅନ୍‌ ତଥା ବିଶ୍ୱ ଆଥଲେଟିକ୍ସ ରୌପ୍ୟ ପଦକ ବିଜେତା ନୀରଜ ଚୋପ୍ରାଙ୍କ ନାମ ସାମିଲ୍‌ ରହିଛି ।

ଗତ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍‌ ବେଳେ ନୀରଜ ଆହତ ହୋଇଥିଲେ । ତାଙ୍କ ଜଙ୍ଘ ପଛପଟ ମାଂଶପେଶୀ ଟାଣି ହୋଇଯାଇଥିଲା । ଡାକ୍ତର ତାଙ୍କୁ ମାସେ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ । ଫଳରେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ସେ ଫିଟ୍‌ ଅଛନ୍ତି କି ନାହିଁ ଜଣାପଡ଼ିନି । ତେଣୁ ଡାଇମଣ୍ଡ ଲିଗ୍‌ରେ ତାଙ୍କ ଭାଗ ନେବା ନେଇ ଅନିଶ୍ଚିତତା ଲାଗି ରହିଛି ।

ଜନୈକ ସୁତ୍ରରୁ ମିଳିଥିବା ସୂଚନା ମୁତାବକ, ନୀରଜଙ୍କ ଚିକିତ୍ସା ଜାରି ରହିଛି । ସେ ଡାଇମଣ୍ଡ ଲିଗ୍‌ରେ ଭାଗ ନେବେ କି ନାହିଁ ତାଙ୍କ ଟିମ୍‌ ନିଷ୍ପତ୍ତି ନେବ ।’ ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜେତା ଅବିନାଶ ସାବଲେ୍‌ ଲାଉସାନ୍‌ ଡାଇମଣ୍ଡ ଲିଗ୍‌ରେ ଭାଗ ନେବେ । ସେ ପୁରୁଷ ୩୦୦୦ମିଟର ଷ୍ଟିପଲ୍‌ଚେଜ୍‌ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ।


Share It

Comments are closed.