ଓଡିଶାବାସୀଙ୍କ ଜୀବନ ଜୀବିକା କ୍ଷେତ୍ରରେ ଯୋଗଦାନ ଦେବା ପାଇଁ ଆଇ୍‌ଏଲ୍‌ଏସ୍ ଭୁବନେଶ୍ୱରକୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର,– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ନେତୃତ୍ୱରେ ଭାରତ କୋଭିଡ଼୍‌-୧୯ ମୁକାବିଲାରେ ସଫଳ ହୋଇଛି । କୋଭିଡ୍‌-୧୯ ମହାମାରୀ ବିରୋଧୀ ଲଢ଼େଇ ବିଶେଷ ଭାବରେ ସ୍ୱଦେଶୀ ଟିକା ବିକାଶ ଏବଂ ନିରାକରଣରେ ଗବେଷଣାକୁ ପ୍ରୋତ୍ସାହନ ଦେବାରେ ଭୁବନେଶ୍ୱର ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ (ଆଇଏଲଏସ) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଓଡିଶାବାସୀଙ୍କ ଜୀବନ ଓ ଜୀବିକା କ୍ଷେତ୍ରରେ ଯୋଗଦାନ ଦେବା ପାଇଁ ଆଇଏଲଏସକୁ ଆହ୍ୱାନ କରିଛନ୍ତି ଶ୍ରୀ ପ୍ରଧାନ ।
ଗୁରୁବାର ଭୁବନେଶ୍ୱର ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ୩୨ତମ ପ୍ରତିଷ୍ଠା ଦିବସ ସମାରୋହରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ମାନବ ସ୍ୱାସ୍ଥ୍ୟ, କୃଷି ଏବଂ ପରିବେଶର ସାମଗ୍ରିକ ବିକାଶ ତଥା ଏହାର ଉନ୍ନତି ପାଇଁ ଉଚ୍ଚମାନର ଓ ଅନେକ ଶୃଙ୍ଖଳିତ ଗବେଷଣା କରିବାରେ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ଭୁବନେଶ୍ୱର ଅଗ୍ରଣୀ ଭୂମିକା ନେଇଛି । ସେହିପରି ମେକ୍ ଇନ୍ ଇଣ୍ଡିଆକୁ ମଜବୁତ୍ କରିବା ଦିଗରେ ଆଇଏଲଏସ କେବଳ ସହଯୋଗ କରୁନାହିଁ ବରଂ ଉତର-ପୂର୍ବ ତଥା ଓଡ଼ିଶାର ଆକାଂକ୍ଷୀ ଜିଲ୍ଲା ନବରଙ୍ଗପୁରରେ ବୈଜ୍ଞାନିକ ଜ୍ଞାନକୌଶଳର ବିକାଶ କରିବା ଦିଗରେ ମଧ୍ୟ କାର୍ଯ୍ୟ କରୁଛି । ଆଇଏଲଏସ ଭୁବନେଶ୍ୱରର ଉତ୍ସର୍ଗୀକୃତ ମନୋଭାବ ଏବଂ ଉଦ୍ୟମ ଲୋକଙ୍କୁ ଆକାଂକ୍ଷାକୁ ପୂରଣ କରିବା ସହ ସମାଜକୁ ଲାଭ ଦେବ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀଳ ଅର୍ଥନୀତି ଦୂରଦୃଷ୍ଟିରେ ଓଡ଼ିଶାର ସୁଦୀର୍ଘ ବେଳାଭୂମି ପ୍ରାଥମିକତାରେ ରହିଛି । ତେଣୁ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ସମୁଦ୍ରକୂଳ ତଥା ପ୍ରାକୃତିକ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଗବେଷଣା ପାଇଁ ଆଇଏଲଏସ ଭୁବନେଶ୍ୱର ଠାରେ ସେଂଟର ଅଫ୍ ଏକ୍ସିଲେନ୍ସ ଅନ୍ ମେରାଇନ୍ ବାୟୋ-ଟେକ୍ନୋଲୋଜି ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଅନୁରୋଧ କରିଥିବା ଶ୍ରୀ ପ୍ରଧାନ କହିଛନ୍ତି । ଭୁବନେଶ୍ୱର ଠାରେ ଏହି କେନ୍ଦ୍ର ପ୍ରତିଷ୍ଠା ହେଲେ ରାଜ୍ୟର ସାମୁଦ୍ରିକ ଆଧାରିତ ସ୍ଥାୟୀ ଅର୍ଥନୀତି ଅଭିବୃଦ୍ଧିର ସଠିକ୍ ସମ୍ଭାର ଖୋଲିପାରିବ । ତେବେ ଏହି ଅନୁରୋଧ ପରେ କେନ୍ଦ୍ରମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏହି ପ୍ରସଙ୍ଗକୁ ବିଚାରକୁ ନିଆଯିବା ସହ ଆଇଏଲଏସ ଭୁବନେଶ୍ୱର ଠାରେ ସେଂଟର ଅଫ୍ ଏକ୍ସିଲେନ୍ସ ଅନ୍ ମେରାଇନ୍ ବାୟୋ-ଟେକ୍ନୋଲୋଜି ପ୍ରତିଷ୍ଠା କରିବା ପାଇଁ ଆବଶ୍ୟକ ସହଯୋଗ ଦିଆଯିବ ବୋଲି ପ୍ରତିଶ୍ରତି ଦେଇଥିଲେ ।


Share It

Comments are closed.