ଦେଶରେ ବର୍ତ୍ତମାନ ସୁଦ୍ଧା ୯୯% ରୁ ଅଧିକ ସଂକ୍ରମିତ ରୋଗୀଙ୍କଠାରେ ଦେଖିବାକୁ ମିଳୁଛି କରୋନାର ଏହି ଭାରିଆଣ୍ଟ


ଆମ ଦେଶରେ ହଇଚଇ ସୃଷ୍ଟି କରିବା ପରେ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରୁଥିବା ଡେଲଟା ଭାରିଆଣ୍ଟ ଏପର୍ଯ୍ୟନ୍ତ ଆମ ଦେଶ ଛାଡି ଯାଇନାହିଁ । ଦେଶରେ ଦୈନିକ କରୋନା ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ୯୯ ପ୍ରତିଶତରୁ ଅଧିକ ଡେଲଟା ଭାରିଆଣ୍ଟ ମିଳୁଛି। ଏହି କାରଣରୁ ଏହି ଭୂତାଣୁ ଗବେଷଣା କରୁଥିବା ବୈଜ୍ଞାନିକମାନଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିନ୍ତାର କାରଣ ପାଲଟିଛି | କାରଣ ବିଶେଷଜ୍ଞମାନେ ଭୟ କରୁଛନ୍ତି ଯେ ଯଦି ଏହା ପୁଣି ଥରେ ଲୋକଙ୍କୁ ସଂକ୍ରମିତ କରିବା ଆରମ୍ଭ କରେ, ତେବେ ପରିସ୍ଥିତି ବହୁତ ଖରାପ ହୋଇପାରେ |

ଆଇସିଏମଆର ବୁଧବାର ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କୁ ତାଙ୍କ ଅପଡେଟ୍ ପ୍ରଦାନ କରିଛନ୍ତି। ଏଥିରେ କରୋନାର ଡେଲ୍ଟା ଭାରିଆଣ୍ଟକୁ ନେଇ ଚିନ୍ତା ପ୍ରକଟ କରାଯାଇଥିବା ବେଳେ ବିପଦ ଏବେବି ଟଳି ନଥିବା କୁହାଯାଇଛି। ଜାତୀୟ କୋଭିଡ ଟାସ୍କ ଫୋର୍ସ ସଦସ୍ୟ ଡା. ଏନ.କେ ଆରୋରା ସଂକ୍ରମଣ ହ୍ରାସ ଭିନ୍ନ କଥା, ହେଲେ ଏତେ ବି ହ୍ରାସ ହୋଇନି ଯେଉଁଥିରେ ଆମେ ଆଶ୍ୱସ୍ତ ହୋଇପାରିବା ବୋଲି କହିଛନ୍ତି। ସେ କହିଛନ୍ତି ଯେ ବିଶ୍ୱରେ ଏପର୍ଯ୍ୟନ୍ତ କୋରନାର ଯେତେ ବି ପ୍ରକାର ମିଳିଲାଣି ଏଥିରେ ଡେଲ୍ଟା ସବୁଠୁ ଅଧିକ ଭୟାନକ ଓ ଘାତକ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଦେଶରେ ଏବେ ଦୈନିକ ସଂକ୍ରମିତଙ୍କ ମଧ୍ୟରୁ ୯୯ ପ୍ରତିଶତରୁ ବି ଅଧିକ ଲୋକଙ୍କ ଠାରେ ଭୂତାଣୁର ଡେଲ୍ଟା ପ୍ରକାରର ଉପସ୍ଥିତି ଚିହ୍ନଟ ହେଉଛି। ଏଣୁ ଏଥିପାଇଁ ଲୋକଙ୍କୁ ଏବେ ଆହୁରି ଅଧିକ ସତର୍କ ହେବାକୁ ପଡିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ଅଧିକାରୀ କହିଛନ୍ତି। ଏତେ ସମୟ ପରେ ବି ଭୂତାଣୁର ସଂକ୍ରମଣ କ୍ଷମତା ଅଥବା ଏହାର ମାରକ କ୍ଷମତାରେ ସାମାନ୍ୟ ହ୍ରାସ ମଧ୍ୟ ହୋଇ ନାହିଁ। ସେପଟେ ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ଏବେ ଡେଲ୍ଟା ଭାରିଆଣ୍ଟ ଭୀଷଣ ପ୍ରକୋପ କରୁଛି।

ଡେଲ୍ଟା ସହ ଭୂତାଣୁର ଆଉ ଏକ ପ୍ରକାର ଲାମ୍ବଡା ମଧ୍ୟ ଏବେ ଚିନ୍ତାର କାରଣ ପାଲଟିଛି। ତେବେ ଭାରତରେ ଏପର୍ଯ୍ୟନ୍ତ କୌଣସି ଠାରେ ଲାମ୍ବଡା ଚିହ୍ନଟ ହୋଇ ନାହିଁ। ହେଲେବି ଆଇସିଏମଆର ଭୂତାଣୁର ଏହି ପ୍ରକାର ଲାଗି ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରୁଥିବା ଡା. ଆରୋରା କହିଛନ୍ତି।


Share It

Comments are closed.