ଡେଲଟା ଭ୍ୟାରିଆଂଟ ଆଗରେ କାମ କରୁନି କରୋନା ଟିକା, ଭ୍ୟାକସିନ ନେଇଥିବା ୮୦ ପ୍ରତିଶତ ଲୋକ ସଂକ୍ରମିତ: ICMR


କରୋନା ଭ୍ୟାକସିନର ଅନ୍ତତଃ ଗୋଟିଏ କିମ୍ବା ଉଭୟ ଡୋଜ ନେବା ପରେ ମଧ୍ୟ ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକ ଡେଲଟା ଭାରିଏଣ୍ଟର ଶିକାର ହୋଇଥିଲେ। ଆଇସିଏମଆର ଏକ ନୂତନ ରିପୋର୍ଟରେ ଏହା ଦାବି କରାଯାଇଛି। ଟିକାକରଣ ପରେ ମଧ୍ୟ ସଂକ୍ରମିତ ହେଉଥିବା ଲୋକଙ୍କ ଉପରେ ଏହା ହେଉଛି ICMR ର ପ୍ରଥମ ଅଧ୍ୟୟନ। ସଂଗଠନ ଏହା ମଧ୍ୟ କହିଛି ଯେ ଟିକା ନେବା ପରେ ଲୋକମାନେ ସଂକ୍ରମିତ ହୋଇଥିଲେ କିନ୍ତୁ ଏଥିରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଓ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା କମ ରହିଛି । ଏହି ପରିପ୍ରେକ୍ଷୀରେ କେବଳ ୯.୮ ପ୍ରତିଶତ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା ଓ ମୃତ୍ୟୁ ହାର ୦.୪ ପ୍ରତିଶତ ଥିଲା। ଟିକାକରଣ ପରେ ସଂକ୍ରମଣକୁ ‘ବ୍ରେକଥ୍ରୁ ସଂକ୍ରମଣ’ କୁହାଯାଏ।

ଭାରତରେ ‘ବ୍ରେକଥ୍ରୁ ଇନଫେକ୍ସନ୍’ ମାମଲାର ଅନୁସନ୍ଧାନ ପାଇଁ ଏହା ହେଉଛି ସବୁଠାରୁ ବଡ ଏବଂ ପ୍ରଥମ ଦେଶବ୍ୟାପୀ ଅଧ୍ୟୟନ। ଏଥିରେ କରାଯାଇଥିବା ବିଶ୍ଳେଷଣ ଅନୁଯାୟୀ, ଏପରି କ୍ଷେତ୍ରରେ ବ୍ୟକ୍ତିଙ୍କୁ ଟିକାକରଣ କରାଯାଇଥିବାରୁ ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତା କମ୍ ପଡିଛି ଏବଂ ସଂକ୍ରମଣ ହେତୁ ମୃତ୍ୟୁ ମାମଲା ମଧ୍ୟ ହ୍ରାସ ପାଉଛି। ଅଧ୍ୟୟନରେ କୁହାଯାଇଛି ଯେ କୋଭିଡର ଘାତକ ଲହରକୁ ରୋକିବାକୁ ଟିକାକରଣ ଅଭିଯାନ ବଢାଇବା ଏବଂ ଲୋକଙ୍କୁ ଯଥାଶୀଘ୍ର ଟିକାକରଣ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣନୀତି ହେବ। ଏହାଦ୍ୱାରା ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ବୋଝ ମଧ୍ୟ ହ୍ରାସ ପାଇବ।

ଆଇସିଏମଆର ୬୭୭ ଜଣଙ୍କ ନମୂନା ସଂଗ୍ରହ କରିଥିଲା ଯେଉଁମାନେ କୋଭିସିଲ୍ଡ ଏବଂ କୋଭାକ୍ସିନ ଆଣ୍ଟି-କୋଭିଡ ଟିକାର ଗୋଟିଏ କିମ୍ବା ଦୁଇଟି ଡୋଜ ନେଇ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ଏହି ନମୂନାଗୁଡିକ ୧୭ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରୁ ନିଆଯାଇଥିଲା। ଅଧ୍ୟୟନରୁ ଜଣାପଡିଛି ଯେ ଅଧିକାଂଶ କ୍ଷେତ୍ରରେ (୮୬.୦୯ ପ୍ରତିଶତ) ସଂକ୍ରମଣର କାରଣ ହେଉଛି କରୋନାର ଡେଲଟା ଭାରିଏଣ୍ଟ ଏବଂ କେବଳ ୯.୮ ପ୍ରତିଶତ ସଂକ୍ରମିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା। ୦.୪ ପ୍ରତିଶତ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏଥିରେ କୁହାଯାଇଛି ଯେ ଭାରତର ଅଧିକାଂଶ ଅଞ୍ଚଳରେ ଏଭଳି ମାମଲାର କାରଣ ହେଉଛି ଡେଲଟା ଭାରିଏଣ୍ଟ କିନ୍ତୁ ଉତ୍ତର ପ୍ରଦେଶରେ କରୋନାର ଆଲଫା ଭାରିଏଣ୍ଟ ପୁନଃ ସଂକ୍ରମଣର କାରଣ ପାଲଟିଛି।

ଅଧ୍ୟୟନ ପାଇଁ ମହାରାଷ୍ଟ୍ର, କେରଳ, ଗୁଜୁରାଟ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ମଣିପୁର, ଆସାମ, ଜାମ୍ମୁ କାଶ୍ମୀର, ଚଣ୍ଡିଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ପୁଡୁଚେରୀ, ନୂଆଦିଲ୍ଲୀ, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ଝାଡ଼ଖଣ୍ଡରୁ ନମୂନା ସଂଗ୍ରହ କରାଯାଇଥିଲା। ଅଧ୍ୟୟନ ପାଇଁ ଯେଉଁମାନଙ୍କ ନମୂନା ନିଆଯାଇଥିଲା ସେମାନଙ୍କ ମଧ୍ୟରୁ ୬୦୪ ରୋଗୀ କୋଭିଶିଲ୍ଡ ଟିକା, ୭୧ ଜଣ କୋଭାକ୍ସିନ ଏବଂ ଦୁଇଜଣ ସାଇନୋଫାର୍ମ ଟିକା ନେଇଥିଲେ।


Share It

Comments are closed.