ସିଟ୍‌ ବେଲ୍ଟ ବାନ୍ଧି ନଥି​‌ଲେ ସାଇରସ୍‌ ମିସ୍ତ୍ରୀ, ୯ ମିନିଟ୍‌ରେ ୨୦ କିଲୋମିଟର ସ୍ପିଡ୍‌ରେ ଥିଲା ତାଙ୍କ କାର : ପୋଲିସ


ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ରବିବାର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ପୋଲିସ ପ୍ରାଥମିକ ତଦନ୍ତରେ କହିଛି ଯେ, ଡିଭାଇଡରରେ ମାଡ ହେବା ପୂର୍ବରୁ ତାଙ୍କର ଲଗଜରୀ କାର ଖୁବ୍ ଦୃତ ଗତିରେ ଚାଲୁଥିଲା। କେବଳ ସେତିକି ନୁହେଁ ସିଟ୍‌ରେ ବସିଥିବା ଦୁଇଜଣ ବ୍ୟକ୍ତି ସିଟ୍‌ ବେଲ୍ଟ ବାନ୍ଧି ନଥିଲେ। ପୋଲିସ ରିପୋର୍ଟ ଅନୁସାରେ, ପାଲଘରରେ ଚରୋଟି ଚେକ୍ ପୋଷ୍ଟ ପାର କରିବା ପରେ ତାଙ୍କ କାର ମାତ୍ର ୯ ମିନିଟ୍‌ ସମୟରେ ୨୦ କିଲୋମିଟର ରାସ୍ତା ଅତିକ୍ରମ କରିଥିଲା। ପୋଲିସର କହିବା ଅନୁସାରେ, ସିସିଟିଭି ଫୁଟେଜ୍‌ରେ ତାଙ୍କ କାର ମଧ୍ୟାହ୍ନ ପ୍ରାୟ ୨.୨୧ ବେଳେ ପୋଷ୍ଟ ପାଖରେ ଦେଖିବାକୁ ମିଳିଥିଲା। ଦୁର୍ଘଟଣା ମଧ୍ୟାହ୍ନ ପ୍ରାୟ ୨ଟା ୩୦ ମିନିଟରେ ସୂର୍ଯ୍ୟ ନଦୀରେ ତିଆରି ହୋଇଥିବା ବ୍ରିଜ୍‌ରେ ଥିଲା, ଯାହାକି ଚେକ୍ ପୋଷ୍ଟଠାରୁ ୨୦ କିଲୋମିଟର ଦୂରରେ ରହିଛି।

ମୃତ୍ୟୁ ବେଳକୁ ସାଇରସ୍ ମିସ୍ତ୍ରୀଙ୍କୁ ମାତ୍ର ୫୪ ବର୍ଷ ହୋଇଥିଲା । ସାଇରସ୍ ମିସ୍ତ୍ରୀ ନିଜ ମର୍ସିଡିଜ୍ କାରରେ ଅହମ୍ମଦାବାଦରୁ ମୁମ୍ବାଇ ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ରିପୋର୍ଟ ଅନୁସାରେ, ଏହି ଦୁର୍ଘଟଣା ସମୟରେ ସାଇରସ୍‌ ମିସ୍ତ୍ରୀଙ୍କ କାର ଭିତରେ ଜଣାଶୁଣା ସ୍ତ୍ରୀ ରୋଗ ବିଶେଷଜ୍ଞ ଅନାହିତା ପାଣ୍ଡୋଲ ଓ ତାଙ୍କର ସ୍ବାମୀ ଡୋରିୟମ୍ ପାଣ୍ଡୋଲ ଥିଲେ ମଧ୍ୟ ଦୁହେଁ ବଞ୍ଚି ଯାଇଛନ୍ତି। ମିସ୍ତ୍ରୀ ଓ ଡୋରିୟସ୍‌ଙ୍କ ଭାଇ ଜାହାଙ୍ଗୀର ପାଣ୍ଡୋଲଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ମୁମ୍ବାଇଠାରୁ ପ୍ରାୟ ୧୨୦ କିଲୋମିଟର ଦୂରରେ ମଧ୍ୟାହ୍ନ ପ୍ରାୟ ୩ଟା ସମୟରେ ହୋଇଥିଲା।

-ଦୁର୍ଘଟଣା ପରେ ସାଇରସ୍‌ ମିସ୍ତ୍ରୀଙ୍କୁ ଯେତେବେଳେ ହସ୍ପିଟାଲ ନିଆଯାଇଥିଲା ତାଙ୍କର ମୃତ୍ୟୁ ହୋଇସାରିଥିଲା। ଜାହାଙ୍ଗୀର ପାଣ୍ଡୋଲେଙ୍କ ଚିକିତ୍ସା ବେଳେ ମୃତ୍ୟୁ ହୋଇଥିଲା। ପୋଲିସ ଡାକ୍ତରଙ୍କଠାରୁ ଏହି ସୂଚନା ପାଇଛି।

-ସାଇରସ୍‌ ମିସ୍ତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ଓ ଅନାହିତଙ୍କ ଭାଇ ଜାହାଙ୍ଗୀରଙ୍କ ବାମ ଗୋଡ ଓ ମୁଣ୍ଡରେ ଆଘାତ ଲାଗିଥିଲା।

-ସାଇରସ୍‌ ଓ ଜାହାଙ୍ଗୀର କାରର ପଛ ସିଟ୍‌ରେ ବସିଥିଲେ। ମୋଟର ଭେଇକିଲ ଆକ୍ଟ ଅନୁସାରେ ସିଟ୍‌ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ଥିଲା। ଦୁହେଁ କେହି ବି ସିଟ୍‌ ବେଲ୍ଟ ପିନ୍ଧିନଥିଲେ।

-ମୁମ୍ବାଇର ଜଣାଶୁଣା ସ୍ତ୍ରୀ ରୋଗ ବିଶେଷଜ୍ଞ ଅନାହିତା କାର ଚଳାଉଥିଲେ। ଯେତେବେଳେ ସେ ସୂର୍ଯ୍ୟ ନଦୀରେ ତିଆରି ବ୍ରିଜ୍‌ ରାସ୍ତାର ଡିଭାଇଡରରେ କାର ମାଡ କରିଥିଲେ ତାହା ଖୁବ୍ ଦୃତ ଗତିରେ ଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ କାର ବାମ ପଟୁ ଅନ୍ୟ ବାହନ ଗୁଡିକୁ ଓଭରଟେକ୍ କରିବାର ଚେଷ୍ଟା କରୁଥିଲା, କିନ୍ତୁ ନିୟନ୍ତ୍ରଣ ହରାଇ ବସିଥିଲା।

-ଅନାହିତା ଓ ତାଙ୍କର ସ୍ବାମୀ ଡୋରିୟସ ଦୁହେଁ ଆଗ ସିଟ୍‌ରେ ବସିଥିଲେ। ଦୁହେଁ ଗୁରୁତର ଭାବରେ ଆହତ ହୋଇଛନ୍ତି, ତାଙ୍କର ଚିକିତ୍ସା ଜାରି ରହିଛି।

-ଅନାହିତା ଓ ଡୋରିୟସ୍‌ଙ୍କୁ ମୁମ୍ବାଇ ହସ୍ପିଟାଲ ରେଫର କରାଯିବାର ସମ୍ଭାବନା ରହିଛି। ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ଗୁଜରାଟର ବାପିରେ ଥିବା ଏକ ଘରୋଇ ହସ୍ପିଟାଲ ନେଇ ଚିକିତ୍ସା କରାଯାଇଥିଲା।

-କୁହାଯାଉଛି ଯେ, ଆଗ ସିଟ୍‌ରେ ବସିଥିବା ଦୁହିଁଙ୍କ ଜୀବନ ଏୟାରବ୍ୟାଗ୍ ଯୋଗୁଁ ବଞ୍ଚି ଯାଇଥିଲା।

-ଏହି ଦୁର୍ଘଟଣା ପରେ ମର୍ସିଡିଜ୍‌ର ଫଟୋରୁ ଜଣାପଡୁଛି ଯେ, କାରର ପଛ ଭାଗ କ୍ଷତିଗ୍ରସ୍ତ ହୋଇନଥିଲା।


Share It

Comments are closed.