ବାତ୍ୟା ‘ୟଶ୍‌’ର ମୁକାବିଲା ପାଇଁ ଓଡିଶାକୁ ତତ୍‌କାଳୀନ ୫୦୦ କୋଟି ସହାୟତା ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ – ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ‘ୟଶ୍‌’ ପରିସ୍ଥିତିର ସମୀକ୍ଷା ଏବଂ ଆକାଶମାର୍ଗରୁ ବାତ୍ୟାଂଚଳ ପରିଦର୍ଶନ ପରେ ଓଡିଶାକୁ ତତ୍‌କାଳୀନ ୫୦୦ କୋଟିର ସହାୟତା ଯୋଗାଇ ଦେବା ପାଇଁ ଘୋଷଣା କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସହାୟତା ରାଶି ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକ ଏବଂ ପରେ ଆକାଶମାର୍ଗରୁ ବାତ୍ୟାଂଚଳ ପରିଦର୍ଶନ କରିବା ପରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ବିପଦ ସମୟରେ ସବୁବେଳେ ଓଡ଼ିଶାର ଲୋକଙ୍କ ସାଥୀରେ ଦୃଢ଼ତାର ସହ ଠିଆ ହୋଇଛନ୍ତି । କେନ୍ଦ୍ର ସରକାର ଓଡ଼ିଶାରେ ବାତ୍ୟା ‘ୟଶ୍‌’ର ପ୍ରଭାବକୁ ହ୍ରାସ କରିବା ପାଇଁ ସବୁପ୍ରକାର ସାହାଯ୍ୟ କରିବେ । ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରାଯିବ ତଥା ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଓଡ଼ିଶାକୁ ନିର୍ମାଣ କରାଯିବା ଦିଗରେ ଆମ ସରକାର ମିଳିତ ଭାବରେ କାର୍ଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଆଶ୍ୱାସନା ଦେଇଛନ୍ତି ।
ସମୀକ୍ଷା ବୈଠକରେ ବାତ୍ୟା ‘ୟଶ୍‌’ ଦ୍ୱାରା ଉତ୍ପନ୍ନ ହୋଇଥିବା ଆହ୍ୱାନର ମୁକାବିଲା ଏବଂ ସମାଧାନ ପାଇଁ କେନ୍ଦ୍ରୀୟ ଏବଂ ରାଜ୍ୟ ସଂସ୍ଥାନର ସକ୍ରିୟ ଭୂମିକା ଏବଂ ଓଡ଼ିଶାବାସୀଙ୍କ ଦୃଢ଼ ମନୋବଳ ଏବଂ ସାହାସକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଛନ୍ତି । ବିଶେଷ ଭାବରେ ସବୁଠୁ ବିପଦ ସମୟରେ ସର୍ବଦା ଓଡ଼ିଶାର ଲୋକଙ୍କ ସହ ଦୃଢ଼ତାର ସହ ଠିଆ ହୋଇଛନ୍ତି । ଓଡ଼ିଶାର ବାତ୍ୟା ପ୍ରଭାବିତ ଅଂଚଳରେ ଜୀବନକୁ ସ୍ୱାଭାବିକ ସ୍ଥିତିକୁ ଫେରାଇ ଆଣିବା ପାଇଁ ଆମେ ସମସ୍ତେ ଉଦ୍ୟମ କରିବାକୁ ପ୍ରତିଶ୍ରୁତିବଦ୍ଧ ।
ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ଏବଂ ଅନୁଧ୍ୟାନ ପରେ ଓଡିଶାକୁ ୫୦୦ କୋଟିର ସହାୟତା ରାଶି ଘୋଷଣା କରାଯାଇଛି । ସେହିପରି ବାତ୍ୟା ‘ୟଶ୍‌’ ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଓ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ପ୍ରଭାବିତ ରାଜ୍ୟ ଗୁଡ଼ିକ ପାଇଁ ବାତ୍ୟାର କ୍ଷୟକ୍ଷତି ଆକଳନ ନିମନ୍ତେ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠନ ହୋଇଛି । ମୁଁ ଦୃଢ଼ ନିଶ୍ଚିତ ଯେ ବିସ୍ତୁତ କ୍ଷୟକ୍ଷତିର ତଥ୍ୟ ଆସିବା ପରେ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରକୁ ଭାରତ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ । ଓଡ଼ିଶାକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା କରିବା ପାଇଁ ସରକାରଙ୍କ ମିଳିତ ଉଦ୍ୟମରେ ଯୋଜନା କରାଯିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।
ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ବାତ୍ୟା ‘ୟଶ୍‌’ର ପ୍ରଭାବ ତଥା ପ୍ରଭାବିତ ଅଂଚଳରେ ରିଲିଫ୍‌, ପୁନରୁଦ୍ଧାର ଏବଂ ଜୀବନଜୀବିକାର ପୁନଃସ୍ଥାପନ କରିବା ପାଇଁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ପ୍ରଥମେ ସମୀକ୍ଷା କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ଭଦ୍ରକ ଏବଂ ବାଲେଶ୍ୱର ପରିଦର୍ଶନ କରିବା ସହ ସ୍ଥିତି ପରଖିଥିଲେ ।


Share It

Comments are closed.