ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ବାତ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କଲେ ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁ


ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବାରିପଦା ଠାରେ ବାତ୍ୟା ‘ୟାସ’ ପରବର୍ତ୍ତୀ ସ୍ଥିତି ସହିତ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଶ୍ରୀ ଭୀନିତ ଭରଦ୍ୱାଜଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିବା ସହ ସ୍ଥିତି ଖୁବଶୀଘ୍ର ସ୍ୱାଭାବିକ ହେବ ବୋଲି ଆଶା ପ୍ରକାଶ କରିଥିଲେ । ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟ ସନ୍ତୋଷଜନକ ବୋଲି ଶ୍ରୀ ସ୍ୱାଇଁ କହିବା ସହିତ ହିତାଧିକାରୀଙ୍କୁ ଦୁଇମାସର ପିଡିଏସ ରାସନ ସାମଗ୍ରୀ ସଦ୍ୟତମ ସ୍ଥିତି ସଂପର୍କରେ ମଧ୍ୟ ସମୀକ୍ଷା କରିଥିଲେ । ବୈଠକରେ ମୟୂରଭଞ୍ଜର ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ଅତିରିକ୍ତ ଜିଲ୍ଲାପାଳ , ଉପଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଏବଂ ଡିଆରସିଏସଙ୍କ ସମେତ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଓ ଶକ୍ତି ବିଭାଗର ନିର୍ବାହୀ ଯନ୍ତ୍ରୀ ଏବଂ ଅଧୀକ୍ଷଣ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।
ବାରିପଦା ଠାରେ ସମୀକ୍ଷା ବୈଠକ ପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳଗୁଡିକୁ ବୁଲି ଦେଖିବା ସହିତ ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜଳସଂପଦ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ନଦୀବନ୍ଧରେ କ୍ଷୟକ୍ଷତି ବୁଲି ଦେଖିଥିଲେ ।
ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭୋଗରାଇ ବ୍ଲକ ଅନ୍ତର୍ଗତ ତାଳସରୀ, ହୁଗୁଳି, ଶାହାବାଜିପୁର, ଉଦୟପୁର, ଚନ୍ଦ୍ରାବାଲି, ଖଡିବିଲ, ଏନଏମ ପଡିଆ, କିର୍ତ୍ତନିଆ, ବଡସାହି, ଭୂଷଣ୍ଡେଶ୍ୱର ଇତ୍ୟାଦି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ । ଏହି ଅବସରରେ ଭୋଗରାଇର ବିଧାୟକ ଶ୍ରୀ ଅନନ୍ତ ଦାସଙ୍କ ସମେତ ବ୍ଲକ ଅଧ୍ୟକ୍ଷ ଏବଂ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।


Share It

Comments are closed.