ପ୍ରାକୃତିକ ବିପର୍ଯ୍ୟୟ ‘ୟଶ୍‌’ ଓ କରୋନା ସମୟରେ ଓଡିଶାକୁ ମୋଦି ସରକାର ଦେଇଛନ୍ତି ୨ ହଜାର ୬୭୩.୪୦ କୋଟି ଟଙ୍କା-ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର – ପ୍ରାକୃତିକ ବିପର୍ଯ୍ୟୟ ‘ୟଶ୍‌’ ଏବଂ କରୋନା ଭଳି ଘଡ଼ିସନ୍ଧି ମୁହୂର୍ତରେ ମୋଦି ସରକାର ଓଡ଼ିଶାକୁ ମୋଟ ୨ ହଜାର ୬୭୩.୪୦ କୋଟି ଟଙ୍କା ପ୍ରଦାନ କରିବା ସହ ଗ୍ରାମୀଣ ଆବାସ ଯୋଜନାରେ ୮ ଲକ୍ଷ ୧୭ ହଜାର ୫୧୩ଟି ପକ୍କା ଘର ପାଇଁ ଅର୍ଥ ବ୍ୟୟବରାଦ କରିଛନ୍ତି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏ ସମ୍ପର୍କରେ ବିସ୍ତୁତ ବିବରଣୀ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେନ୍ଦ୍ର ସରକାର ଓଡ଼ିଶା ସହିତ ଅଛନ୍ତି । ବିଗତ ଦିନରେ ବିପର୍ଯ୍ୟୟର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ୧୧୯୮ କୋଟି ଟଙ୍କାର ଅନୁଦାନ ରାଶି ଓଡ଼ିଶାର ଏସଡ଼ିଆରଏଫ୍ ପାଣ୍ଠିରେ ମହଜୁଦ ରହିଛି । ଗତ ମଇ ୧ରେ କେନ୍ଦ୍ର ସରକାର ଏସଡ଼ିଆରଏଫ୍ ପାଣ୍ଠିକୁ ଅଗ୍ରୀମ ୬୪୧.୬୦ କୋଟି ଟଙ୍କା ପ୍ରଦାନ କରିଥିଲେ । ଏହି ରାଶି ଏସଡ଼ିଆରଏଫ୍ ପାଣ୍ଠିରେ ମିଶିବା ପରେ ରାଜ୍ୟ ସରକାରଙ୍କ ପାଖରେ ମୋଟ ୧୮୩୯.୬୦ କୋଟି ଟଙ୍କା ଉପଲବ୍ଧ ଅଛି ।
ସେହିପରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ପ୍ରଥମେ ବାତ୍ୟା ପରିସ୍ଥିତିର ସମୀକ୍ଷା କରିବା ସହ ଆକାଶ ମାର୍ଗରୁ ବାତ୍ୟାଂଚଳ ପରିଦର୍ଶନ କରିବା ପରେ ଓଡ଼ିଶାକୁ ତତ୍କଳୀନ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ବାତ୍ୟା ‘ୟଶ୍‌’ ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଓ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ପ୍ରଭାବିତ ରାଜ୍ୟ ଗୁଡ଼ିକ ପାଇଁ ବାତ୍ୟାର କ୍ଷୟକ୍ଷତି ଆକଳନ ନିମନ୍ତେ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠନ ହୋଇଛି ।
ମଇ ୯ ତାରିଖରେ କୋଭିଡ଼ -୧୯ର ମୁକାବିଲା ତଥା ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ଭିତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ପକ୍ଷରୁ ଓଡ଼ିଶାକୁ ୩୩୩.୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏଭଳି କରୋନା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଭଳି ଘଡ଼ିସନ୍ଧି ମୁହୂର୍ତରେ ମୋଦି ସରକାର ଓଡ଼ିଶାକୁ ମୋଟ ୨,୬୭୩.୪୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ।
ବାତ୍ୟାର ସ୍ଥାୟୀ ମୁକାବିଲା ପାଇଁ ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର ସବୁଠୁ ବଡ଼ ଭିତିଭୂମି । ଏହି ଆଧାରରେ ମଇ ୨୩ରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅନ୍ତର୍ଗତ ୨୦୨୧-୨୨ ବର୍ଷ ପାଇଁ ଓଡ଼ିଶାକୁ ୮ ଲକ୍ଷ ୧୭ ହଜାର ୫୧୩ଟି ପକ୍କା ଘର ଯୋଗାଇ ଦେବା ପାଇଁ ବ୍ୟୟବରାଦ କରାଯାଇଛି ।
ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ଦୁର୍ବିପାକ ମୁକାବିଲା ପାଇଁ ଦୀର୍ଘମିଆଦୀ ଯୋଜନା ଆଧାରରେ ଉତମ ଭିତିଭୂମି ହିଁ ସ୍ଥାୟୀ ସମାଧାନ ହୋଇପାରିବ । ଓଡିଶାର ଏହି ଦୀର୍ଘଦିନର ଆକାଂକ୍ଷାକୁ ପୂରଣ କରିବା ପାଇଁ ମୋଦି ସରକାର ସବୁପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ନିଶ୍ଚିତ ଭାବରେ ଉଦ୍ୟମ କରିବେ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।


Share It

Comments are closed.