ଓଡିଶାରେ କରୋନାର ଦ୍ୱିତୀୟ ଲହରୀ ! ୪ଦିନରେ ଦୁଇ ଜାଗାରେ ହେଲାଣି ‘କଣ୍ଟେନମେଣ୍ଟ୍‌ ଜୋନ୍‌’


କିଛି ମାସ ବ୍ୟବଧାନ ପରେ କଟକ ଜିଲ୍ଲାରେ କରୋନାକୁ ନେଇ ଆଶଙ୍କା ମୁଣ୍ଡ ଟେକିଛି । କଣ୍ଟାପଡ଼ା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ କରୋନା ଯୋଗୁଁ ମୃତ୍ୟୁ ହେବା ସହ ତାଙ୍କ ପରିବାରର ୧୩ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ଏଭଳି ସମ୍ବେଦନଶୀଳ ସ୍ଥିତିରେ କଣ୍ଟାପଡ଼ାର ଖଣ୍ଡସାଇଲୋ ଗ୍ରାମ ନୂଆସାହି ୧ ନମ୍ବର ୱର୍ଡକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ୨୨ ତାରିଖରେ ଆଠଗଡ଼ରେ ହୋଇଥିବା ଆଣ୍ଟିଜେନ୍‌ ଟେଷ୍ଟ୍‌ରୁ ୯ଜଣଙ୍କ ପଜିଟିଭ୍‌ ଆସିଥିଲା । ଯାହାଫଳରେ ଯୋରନ୍ଦା ପଞ୍ଚାୟତର ପାଇକେରାପୁର ଗ୍ରାମକୁ ୫ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା । ତେଣୁ ତିନି ଦିନ ମଧ୍ୟରେ କଟକ ଜିଲ୍ଲାରେ ଦୁଇଟି କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ହେବା ଚିନ୍ତା ସୃଷ୍ଟି କରିଛି ।

କରୋନାର ଦ୍ୱିତୀୟ ଲହରୀର ଏହା ପ୍ରାରମ୍ଭିକ ପର୍ଯ୍ୟାୟ କି ନା ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଆଶଙ୍କାମୂଳକ ସ୍ଥିତି ସୃଷ୍ଟି ହୋଇଛି । ଅବଶ୍ୟ ଜିଲ୍ଲାର ଅନ୍ୟ ଅଞ୍ଚଳ ତଥା କଟକ ସହରରେ ସଂକ୍ରମଣ ହ୍ରାସ ଧାରା ଜାରି ରହିଥିବାରୁ ଆଶ୍ୱସ୍ତି ପ୍ରକାଶ ପାଇଛି । କଟକ ସହରରେ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳକୁ ଖସିଛି । ହେଲେ ଗତ ୩ ଦିନ ଭିତରେ ଆଠଗଡ଼ ଏବଂ କଣ୍ଟାପଡ଼ା ବ୍ଲକ୍‌ରେ ଦୁଇ ଗାଁ କଣ୍ଟେନମେଣ୍ଟ୍‌ ଜୋନ୍‌ ଘୋଷଣା ହେବା ଭୟର ବାତାବରଣ ସୃଷ୍ଟି କରିଛି । ଆଗକୁ ସ୍ଥିତି ବିଗିଡ଼ିଯିବାର ଆଶଙ୍କାକୁ ଏଡାଇବା ପାଇଁ କରୋନା କଟକଣା କଡ଼ାକଡ଼ି ଭାବେ ଲାଗୁ ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି ।

ସୂଚନା ମୁତାବକ, ଜଗତପୁରରେ ଏକ ପଟ୍ରୋଲ୍‌ ଟାଙ୍କୀରେ କାର୍ଯ୍ୟ କରୁଥିବା କଣ୍ଟାପଡ଼ା ନୂଆସାହିର ଜଣେ ୪୫ ବର୍ଷୀୟ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ କଣ୍ଟାପଡ଼ା ବ୍ଲକ୍‌ ପ୍ରଶାସନ ତରଫରୁ ତାଙ୍କ ପରିବାର ସଦସ୍ୟଙ୍କର କରୋନା ପରୀକ୍ଷା କରାଯାଇଥିଲା । ଆଜି ରିପୋର୍ଟ ଆସିବାରୁ ପରିବାରର ୧୩ଜଣ ସଂକ୍ରମିତ ଥିବା ଜଣାପଡିଥିଲା । ଏହାକୁ ନେଇ ବ୍ଲକ୍‌ ପ୍ରଶାସନ ତରଫରୁ କଟକ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଥିଲା । ବିଳମ୍ବ ନକରି ପ୍ରାୟ ୩୦ ପରିବାର ବିଶିଷ୍ଟ ଏହି ୱାର୍ଡ଼କୁ କଣ୍ଟେନମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇଛି । ଆସନ୍ତାକାଲି ୨୬ତାରିଖ ସକାଳ ୬ଟାରୁ ୪ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ନିୟମ ବଳବତ୍ତର ରହିବ । ଏବାବଦରେ ଗ୍ରାମାଞ୍ଚଳ ଏସ୍‌ପି, ଗୋବିନ୍ଦପୁର ଥାନା, କଣ୍ଟାପଡ଼ା ତହସିଲଦାରଙ୍କୁ ପତ୍ର ମାଧ୍ୟମରେ ସୂଚନା ଦିଆଯାଇଛି ।

କଟକରେ କରୋନା ସ୍ଥିତି ସମ୍ଭାଳି ହୋଇଆସିଥିଲା । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ରହୁଥିଲା । ଏମିତିକି ଗତ ମାସେ ଧରି କଟକରୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରୁ ତଳେ ରହିଆସୁଛି । ଗୋଟିଏ ପଟରେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ଏବଂ ଚିକିତ୍ସାଧୀନ ସୁସ୍ଥ ହେବା ଯୋଗୁଁ କଟକ ସହରରେ ଆଜି ସୁଦ୍ଧା ଆକ୍ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳକୁ ଖସିଛି । ଏମିତିକି ଆଜି କଟକ ସହରରୁ ମାତ୍ର ୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୫ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ବେଳେ ୩ଜଣ ହୋମ୍‌ କ୍ୱାରେଣ୍ଟାଇନ୍‌ରୁ ପଜିଟିଭ୍‌ ବାହାରିଛନ୍ତି । ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ତ୍ରିଶୁଳିଆର ରହିଛନ୍ତି । ଲିଂକ୍‌ରୋଡ୍‌, ଶଙ୍କରପୁର, ସିଡିଏ ସେକ୍ଟର-୬ରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ଆଜିର ସଂଖ୍ୟାକୁ ମିଶାଇ କଟକ ସହରରେ ମୋଟ୍‌ ପଜିଟିଭ୍‌ ସଂଖ୍ୟା ୧୬ହଜାର ୧୬୭ରେ ପହଞ୍ଚିଛି। ଏଥିରୁ ୧୫ହଜାର ୯୮୪ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୯୮ଜଣ ଚିକିତ୍ସାଧୀନ ରହିଛନ୍ତି ।


Share It

Comments are closed.