ଫାଇନାଲରେ ଗୁଜରାଟ ଜିଆଂଟ୍ସକୁ ଭେଟିବ ଚେନ୍ନାଇ କ୍ୱିକ ଗନ୍ସ


କଟକ,୧୨ ଜାନୁଆରୀ ୨୦୨୪: ୩୨ଟି ମ୍ୟାଚ ଓ ୧୬ ଦିନର ଉତ୍ସାହଜନକ ଖୋ ଖୋ ପରେ ଅଲ୍ଟିମେଟ ଖୋ ଖୋ ସିଜନ ୨ର ଚାମ୍ପିଅନ ପଦ ପାଇଁ ଆସନ୍ତାକାଲି (ଶନିବାର) କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଚେନ୍ନାଇ କ୍ୱିକ ଗନ୍ସ ଓ ଗୁଜରାଟ ଜିଆଂଟ୍ସ ମଧ୍ୟରେ ମହାମୁକାବିଲା ହେବ । ଦର୍ଶକଙ୍କ ପସନ୍ଦର ଦଳ ଭାବେ ଚେନ୍ନାଇ କ୍ୱିକ ଗନ୍ସ ମଇଦାନକୁ ଓହ୍ଲାଇବ । ଏହି ଦଳ ଟୁର୍ଣ୍ଣାମେଂଟ୍ ସମୟରେ ସର୍ବୋତମ ଦଳ ଭାବେ ବିବେଚିତ ହୋଇଛି । ଏହି ଦଳ ନିକଟରେ ସର୍ବାଧିକ ପଏଂଟ୍, ସର୍ବାଧିକ ଆଟାକିଙ୍ଗ୍ ପଏଂଟ୍ ଓ ଡିଫେନ୍ସିଭ ପଏଂଟ ରହିଛି । ଏହାଛଡା ଚେନ୍ନାଇ କ୍ୱିକ ଗନ୍ସର ରାମଜୀ କଶ୍ୟପ ଚଳିତ ସିଜନର ସର୍ବୋତମ ଖେଳାଳି, ଲିଗ୍ର ସର୍ବୋତମ ଆଟାକର ଓ ସର୍ବୋତମ ଡିଫେଣ୍ଡର ଅଟନ୍ତି । ଚଳିତ ସିଜନରେ କେବଳ ଗୋଟିଏ ମ୍ୟାଚ ହାରିଥିବା ଏହି ଦଳ ଆତ୍ମବିଶ୍ୱାସ ସହ ପ୍ରତିଯୋଗିତା କରିବ କାରଣ ଗୁଜରାଟ ଜିଆଂଟ୍ସ ବିରୋଧରେ ଚେନ୍ନାଇର ଉଭୟ ବିଜୟ ଖୁବ୍ ସହଜ ଥିଲା ।

ଫାଇନାଲ ପାଇଁ ପ୍ରସ୍ତୁତି ସମ୍ପର୍କରେ ଚେନ୍ନାଇ କ୍ୱିକ ଗନ୍ସର କ୍ୟାପ୍ଟେନ ଅମିତ ପାଟିଲ କହିଛନ୍ତି, ‘ସେମି-ଫାଇନାଲରେ ତେଲୁଗୁ ୟୋଦ୍ଧାସ ବିରୋଧରେ ଜିତିବା ପରେ ଆମର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ବିଜୟ ସିନ୍ଦେ ଓ ରାମଜୀ କଶ୍ୟପ ଏହି ମ୍ୟାଚର ୨ୟ ଇନିଂସରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଏବେ ଆମେ ଗୁଜରାଟ ବିରୋଧରେ ଫାଇନାଲ ମ୍ୟାଚ୍ ପାଇଁ ଅପେକ୍ଷା କରିଛୁ । ଆମେ ଫଳାଫଳ ପାଇଁ ଚିନ୍ତା କରୁନାହୁଁ , ଆମର ଲକ୍ଷ୍ୟ ହେଉଛି ମ୍ୟାଟ୍‌ରେ ଆମର ସର୍ବୋତନ ଦକ୍ଷତା ପ୍ରଦର୍ଶିତ କରିବା ।’

ଅନ୍ୟପକ୍ଷରେ ସେମି-ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ ଓଡିଶା ଜଗରନଟ୍ସକୁ ପରାଜିତ କରିବା ପରେ ଗୁଜରାଟ ଜିଆଂଟସ ମଧ୍ୟ ଆତ୍ମବିଶ୍ୱାସର ସହ ଫାଇନାଲ ଖେଳିବ । ଗୁଜରାଟର ସୁୟାଶ ଗାରଗାଟେ ଓ ସଙ୍କେତ କଦମ ଭଲ ଫର୍ମରେ ଅଛନ୍ତି । ଗୁଜରାଟ ଜିଆଂଟ୍ସର କ୍ୟାପ୍ଟେନ ଅକ୍ଷୟ ଭଙ୍ଗାରେ କହିଛନ୍ତି, ‘ଆମ ଟିମ୍ ସକାରାତ୍ମକ ରହିଛି ଏବଂ ଫାଇନାଲରେ ଚେନ୍ନାଇ କ୍ୱିକ ଗନ୍ସର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି । ସେମିଫାଇନାଲରେ ଦର୍ଶକମାନେ ଆମକୁ ଖୁବ ଉତ୍ସାହିତ କରିଥିଲେ ଏବଂ ଏହା ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରିଛି । ଆମେ ସମାନ ଉତ୍ସାହ ସହିତ ଫାଇନାଲ ଖେଳିବୁ ।’ ସେହିପରି ଆସନ୍ତାକାଲି ଫାଇନାଲ ବ୍ୟତୀତ ତେଲୁଗୁ ୟୋଦ୍ଧାସ୍ ଓ ଓଡିଶା ଜଗରନଟ୍ସ ମଧ୍ୟରେ ୩ୟ ସ୍ଥାନ ପାଇଁ ପ୍ରତିଦ୍ୱନ୍ଦିତା ହେବ ।

ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍‌ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ୟୁକେ ସ୍ଥିତ ବିଏନ୍‌ପି ଗ୍ରୁପ୍ ସୌଜନ୍ୟରେ ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍‌ରେ ପରିଣତ ହୋଇଛି । ସେହିପରି ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚ୍ର ଲାଇଭ୍ କଭରେଜ ସହିତ ସିଜନ୍ ୨ର ଉତ୍ସାହଜନକ ଆକ୍ସନ ସୋନି ସ୍ପୋର୍ଟସ୍ ନେଟ୍‌ୱର୍କର ଚ୍ୟାନେଲ ଓ ସୋନି ଲିଭ୍‌ରେ ଟେଲିକାଷ୍ଟ ବା ପ୍ରସାରିତ ହେଉଛି ।


Share It

Comments are closed.