ହାତରୁ ଉପ ମୁଖ୍ୟମନ୍ତ୍ରୀ ପଦ ଚାଲିଯିବା ପରେ ଏପରି ଭାବେ ନିଜ ଦୁଃଖ ପ୍ରକାଶ କଲେ ସୁଶୀଲ


ଏନଡିଏର ବିଧାୟକ ଦଳ ବୈଠକ ପରେ ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇ ଯାଇଛି। ହେଲେ ଉପ ମୁଖ୍ୟମନ୍ତ୍ରୀ କିଏ ହେବ, ତାକୁ ନେଇ ସସପେନ୍ସ ଏବେ ମଧ୍ୟ ଜାରି ରହିଛି। ଏହାକୁ ନେଇ ଏନଡିଏର ନେତାମାନେ ନିରବ ରହିଛନ୍ତି। ମାତ୍ର ସୁଶୀଲ ମୋଦୀ ନିଜେ ସ୍ପଷ୍ଟ କରି ଦେଇଛନ୍ତି ଯେ, ସେ ଆଉ ବିହାରର ପରବର୍ତ୍ତୀ ଉପ ମଖ୍ୟମନ୍ତ୍ରୀ ହେଉ ନାହାନ୍ତି। ସୁଶୀଲ ମୋଦୀ ପ୍ରଥମେ ଏକ ଟ୍ଵିଟ୍ କରିଥିଲେ, ଯେଉଁଥିରେ ତାଙ୍କର ଦୁଃଖ  ସ୍ପଷ୍ଟ ବାରି ହୋଇ ପଡିଥିଲା।

ଏଥିସହ ସୁଶୀଲ ମୋଦୀ ନିଜର ଟ୍ଵିଟର ବାୟୋରୁ ଉପ ମୁଖ୍ୟମନ୍ତ୍ରୀ ବିହାର ପଦ ହଟାଇ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ସୁଶୀଲ ମୋଦୀ ରାଜ୍ୟର ପରବର୍ତ୍ତୀ ଉପ ମୁଖ୍ୟମନ୍ତ୍ରୀ ହେଉ ନାହାନ୍ତି। ଏହାର ସଙ୍କେତ ସେତେବେଳୁ ମିଳି ସାରିଥିଲା ଯେତେବେଳେ ସୁଶୀଲ ମୋଦୀ ଶନିବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହିତ ଇସ୍ତଫା ଦେବାକୁ ରାଜଭବନ ଯାଇନଥିଲେ। ଏପରିକି ପାଟନାରେ ଥାଇ ବି ସେ ବିଜେପି ବିଧାୟକ ଦଳ ବୈଠକରେ ଯୋଗ ଦେଇନଥିଲେ। ପାର୍ଟି ପକ୍ଷରୁ ସଙ୍କେତ ମିଳିବା ପରେ ସୁଶୀଲ ମୋଦୀ ଟ୍ଵିଟ୍ କରିଛନ୍ତି ଯେ, ବିଜେପି ଓ ସଂଘ ପରିବାର ମୋତେ ୪୦ ବର୍ଷ ଧରି ରାଜନୀତି ଜୀବନରେ ବହୁତ କିଛି ଦେଇଛନ୍ତି, ବୋଧହୁଏ ଅନ୍ୟଙ୍କୁ ଏତେ ମିଳିନଥିବ। ଆଗାମୀ ସମୟରେ ଯାହା ବି ଦାୟିତ୍ଵ ମିଳିବ ତାର ନିର୍ବାହ କରିବି। କର୍ମକର୍ତ୍ତା ପଦ ତ କେହି ଛଡାଇ ନେଇ ପାରିବେ ନାହିଁ। ସୁଶୀଲ ମୋଦୀଙ୍କ ଏହି ଟ୍ଵିଟ୍‌ରୁ ସ୍ପଷ୍ଟ ହୋଇଛି ଯେ, ସେ ଆଉ ଉପ ମୁଖ୍ୟମନ୍ତ୍ରୀ ହେବାକୁ ଯାଉ ନାହାନ୍ତି।

କିନ୍ତୁ ବିଜେପି ତରଫରୁ ଏହାକୁ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ। ପର୍ଯ୍ୟବେକ୍ଷକ ହୋଇ ପାଟନା ଆସିଥିବା ରାଜନାଥ ସିଂହ କହିଛନ୍ତି, ଉପ ମୁଖ୍ୟମନ୍ତ୍ରୀ ପଦ ନେଇ ଖୁବ୍ ଶୀଘ୍ର ସବୁ କିଛି ସ୍ପଷ୍ଟ ହୋଇଯିବ। ହେଲେ ସୁଶୀଲ ମୋଦୀଙ୍କ ଉପରେ ସେ ପଦୁଟିଏ ହେଲେ କହି ନାହାନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଏହା ଉପରେ କୌଣସି ଟିପ୍ପଣୀ ଦେଇ ନାହାନ୍ତି। ଏହା ମଧ୍ୟ ଚର୍ଚ୍ଚା କରାଯାଉଛି ଯେ, ସୁଶୀଲ ମୋଦୀଙ୍କୁ ଏବେ କେନ୍ଦ୍ର ରାଜନୀତିକୁ ସ୍ଥାନାନ୍ତର କରାଯିବ।


Share It

Comments are closed.