କଟକ ସହରରେ ଉପୁଜିଥିବା ଜଳମଗ୍ନ ପରିସ୍ଥିତି ପାଇଁ ବିଧାୟକଙ୍କ ଉପରେ ବର୍ଷିଲେ ବିଜେଡି ଯୁବ ନେତା ଅରିନ୍ଦମ ରୟ


କଟକ- ଗତ ୬ ତାରିଖ ଦିନ କଟକରେ ବର୍ଷା ଯୋଗୁଁ ସହରର ଅଧିକାଂଶ ଅଂଚଳରେ ଜଳମଗ୍ନ ପରିସ୍ଥିତି ଉପୁଜିଥିଲା । ଏହି ଜଳମଗ୍ନ ପରିସ୍ଥିତି ଯୋଗୁଁ ସହରର ଅଧିକାଂଶ ଜନସାଧାରଣ ଘଣ୍ଟା ଘଣ୍ଟା ଧରି ଜଳବନ୍ଧୀ ହୋଇ ରହିଥିଲେ । ତେବେ କଟକ ସହରରେ ଉପୁଜିଥିବା ଏହି ସମସ୍ୟା ଯୋଗୁଁ କଟକ-ବାରବାଟୀ ବିଧାୟକଙ୍କୁ ଏଥିପାଇଁ ଦାୟୀ କରିବା ସହ ତାଙ୍କ ଉପରେ ବର୍ଷିଛନ୍ତି ବିଜେଡି ଯୁବ ନେତା ଅରିନ୍ଦମ ରୟ ।

ଏ ସଂପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ରୟ କହିଛନ୍ତି ଯେ, “ଗତ ୬ ତାରିଖ ଦିନ ବର୍ଷା ଯୋଗୁଁ ଯେଉଁ ଜଳମଗ୍ନ ପରିସ୍ଥିତି ଉପୁଜିଥିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହି ସମସ୍ୟା କଟକ ସହରର ମୁଖ୍ୟ ସମସ୍ୟା ଅଟେ । ଯଦି ଏତିକି ବର୍ଷାରେ ଏଭଳି ପରିସ୍ଥିତି ଉପୁଜିଛି ତେବେ ଆଗକୁ ପରିସ୍ଥିତି ଆହୁରୀ ଭୟଙ୍କର ହୋଇପାରେ । ୨୦୧୯ ନିର୍ବାଚନ ପୂର୍ବରୁ ବିଧାୟକ ମହମ୍ମଦ ମୋକିମ ସହର ବାସୀଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପୂରଣ କରିବାରେ ସଂପୂର୍ଣ୍ଣ ଅସଫଳ ରହିଛନ୍ତି । ଖାଲି ଲୋକଦେଖାଣିଆ ପାଇଁ ନିଜ ସମର୍ଥକଙ୍କୁ ଧରି ଡ୍ରେନେଜ ସିଷ୍ଟମ ବିଷୟରେ କଥା ହୋଇ ଫେସବୁକରେ ଫଟୋ ଛାଡିଲେ କୌଣସି ଲାଭ ନାହିଁ । ବିଧାୟକ କଟକକୁ ଜଳମୁକ୍ତ କରିବା ପାଇଁ କ’ଣ ସ୍ଥାୟୀ ପ୍ରତିକାର ନେଇଛନ୍ତି ଏହା ଲୋକଲୋଚନକୁ ଆଣନ୍ତୁ । ଯଦି କରି ନାହାନ୍ତି ତେବେ ସ୍ୱୀକାର କରନ୍ତୁ ୨୦୧୯ ନିର୍ବାଚନରେ ସେ ସହରବାସୀଙ୍କୁ ମିଥ୍ୟା ପ୍ରତିଶୃତି ଦେଇଛନ୍ତି ଏବଂ ଠକିଛନ୍ତି । ”


Share It

Comments are closed.