ଆଜି ବିବାହ କରିପାରନ୍ତି ତିର୍ତ୍ତୋଲ ବିଧାୟକ


ଆଜି ଜଗତସିଂହପୁରରେ କୋର୍ଟ ମ୍ୟାରେଜ୍‌ କରିବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ଏଣେ ତିର୍ତ୍ତୋଲ ବିଧାୟକ ଶ୍ରୀ ଦାସଙ୍କ ବିବାହ ସଂପର୍କିତ କିଛି ଖବର ଆଧାରରେ ଦଳୀୟ କର୍ମୀ ଓ ସମର୍ଥକମାନେ ବେଶ୍‌ ଉତ୍ସାହିତ ହୋଇପଡ଼ିଛନ୍ତି । ତେବେ କେଉଁଠାରେ ଉଭୟ ବର ଓ କନ୍ୟା ଘର ମିଳିତ ହେବେ ତାହା ଜଣାପଡ଼ୁ ନଥିବାରୁ କର୍ମୀମାନେ ପରସ୍ପରଙ୍କ ସହଯୋଗରେ ତଥ୍ୟ ସନ୍ଧାନରେ ଲାଗି ପଡ଼ିଥିବା ଚର୍ଚ୍ଚାର ପରିଧିକୁ ଆସିଛି ।

ଅପରପକ୍ଷେ ଏହି ହାଇପ୍ରୋଫାଇଲ ମ୍ୟାରେଜ୍‌ ପାଇଁ ଉଭୟ ପୁଲିସ ଓ ଗୁଇନ୍ଦା ବିଭାଗ ସତର୍କ ହୋଇ ଉଠିଛନ୍ତି ।ଗତକାଲିଠୁ ଗୁଇନ୍ଦା ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଜଗତସିଂହପୁର ସହରରେ ପଇଁତରା ମାରୁଥିବା ସ୍ଥଳେ ଟାଉନ୍‌ ପୁଲିସ ମଧ୍ୟ ବିଧାୟକଙ୍କ ପ୍ରେମିକାଙ୍କ ଘରର ଆଖ ପାଖରେ ଟହଲ ମାରି ପରିସ୍ଥିତି ପ୍ରତି ତୀକ୍ଷ୍‌ଣ ନଜର ରଖିଥିବା ଗୁଞ୍ଜରିତ ହୋଇଚାଲିଛି ।

ଅନ୍ୟପଟେ ପ୍ରେମିକାଙ୍କ ଅଭିଯୋଗପତ୍ର ଧରି ପୁଲିସ ହଲାପଟାରେ ପଡ଼ିଯାଇଛନ୍ତି । କାରଣ ଗୋଟିଏ ପଟେ ବିବାହକୁ ନେଇ ତନାଘନା ଚାଲିଥିବାରୁ ପୁଲିସ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରିବ ନା ଅପେକ୍ଷା କରିବ ତାହାର ଆକଳନ କରିପାରୁ ନାହାନ୍ତି । ଅନ୍ୟପଟେ କୋର୍ଟରେ ମ୍ୟାରେଜ୍‌ ସରିଲା ପରେ ଏତଲା ପ୍ରତ୍ୟାହାର ହୋଇପାରେ ବୋଲି ଅନୁମାନ କରାଯାଉଛି । ହେଲେ ସେ ପର୍ଯ୍ୟନ୍ତ ପୁଲିସ ଅପେକ୍ଷା କରୁଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା । ଅଦ୍ୟାବଧି କିନ୍ତୁ ବିଧାୟକଙ୍କ ଆଡ଼ୁ ଏ ବାବଦରେ କୌଣସି ପ୍ରତିକ୍ରିୟା ମିଳିପାରିଲା ନାହିଁ ।


Share It

Comments are closed.