ଫେବୃଆରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବ ୩ ଦିନିଆ କୃଷି ଓଡିଶା ୨୦୨୩ ସମ୍ମିଳନୀ

. ବିଶେଷଜ୍ଞମାନେ ‘ଓଡିଶାରେ ବିକଶିତ ଟେକ୍ନୋଲୋଜି’ ବିଷୟବସ୍ତୁ ଉପରେ ନିଜର ବିଚାର ଉପସ୍ଥାପନ କରିବେ ।


ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଏଫ୍‌ଆଇସିସିଆଇ) ସହ ସହଭାଗିତାରେ ମିଳିତ ଭାବେ ଆସନ୍ତା ଫେବୃଆରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡିଆଠାରେ ତିନି ଦିନିଆ କୃଷି ଓଡିଶା ୨୦୨୩ ସମ୍ମିଳନୀର ଆୟୋଜନ କରାଯିବ । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ‘କୃଷି କ୍ଷେତ୍ରରେ ବିକଶିତ ଟେକ୍ନୋଲୋଜି’ । ଏହି କାର୍ଯ୍ୟକ୍ରମରେ କୃଷି ଓ ଏହାସହ ଜଡିତ କ୍ଷେତ୍ରଗୁଡିକର ବିଭିନ୍ନ ବର୍ଗ ଉପରେ ମୋଟ ୨୧୨ଟି ଷ୍ଟଲ୍ ସ୍ଥାପନ କରାଯିବ । ଏଥିରେ ବିଭିନ୍ନ ସରକାରୀ ସଂସ୍ଥା, ବ୍ୟାଙ୍କ ଓ କୃଷି ଉଦ୍ୟୋଗୀମାନେ ଅଂଶଗ୍ରହଣ କରିବେ । ଏଫ୍‌ପିଓ, ଏସ୍‌ଏଚ୍‌ଜି, ଏନ୍‌ଜିଓ ଓ ଇନ୍‌ପୁଟ୍ ଡିଲର୍‌ମାନେ ମଧ୍ୟ କୃଷି ଓଡିଶାରେ ଅଂଶଗ୍ରହଣ କରିବେ । ଏଠାରେ କୃଷକମାନେ ୧୦ଟି ଥିମାଟିକ୍ ସେମିନାର୍ ମାଧ୍ୟମରେ ସଦ୍ୟତମ ଟେକ୍ନୋଲୋଜିଗୁଡିକ ବିଷୟରେ ଜାଣିବାକୁ ପାଇବେ ।
ଏହି କାର୍ଯ୍ୟକ୍ରମ ଉତ୍ପାଦନ ଟେକ୍ନୋଲୋଜି, କୃଷି ଯାନ୍ତ୍ରିକୀକରଣ, କୃଷି କ୍ଷେତ୍ରରେ ଆଇସିଟିର ପ୍ରୟୋଗ, ଭିତିଭୂମି ବିକାଶ, ବଜାର ସଂଯୋଗ, ଋଣ ପାଇଁ ସହଜ ପହଂଚ, ଉନ୍ନତ କୃଷି ଉପକରଣଗୁଡିକର ବ୍ୟବହାର ଓ ସେଗୁଡିକର ବିତରଣ ଏବଂ କୃଷି ଉଦ୍ୟୋଗଗୁଡିକର ସ୍ଥାପନ ଭଳି ବିଷୟ ଉପରେ ଅଧିକ ଗୁରୁତ୍ୱ ଦେବ । କୃଷି ଓଡିଶା କୃଷକମାନଙ୍କୁ ଆଧୁନିକ କୃଷିକାର୍ଯ୍ୟ ସମ୍ପର୍କରେ ସମସ୍ତ ସୂଚନା ସହିତ ସକ୍ଷମ କରିବ ଏବଂ ଏହାର ଗ୍ରହଣୀୟତା ପାଇଁ ସେମାନଙ୍କଠାରେ ଆତ୍ମବିଶ୍ୱାସ ସୃଷ୍ଟି କରିବ । ଆଜି କୃଷି ଭବନର ଅଡିଟୋରିୟମ ହଲ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାନ ସ୍ୱାଇଁ କହିଥିଲେ, ‘ ଆମେ ସମ୍ବଲପୁର, ବାରିପଦା, ବ୍ରହ୍ମପୁର ଓ କୋରାପୁଟ୍ ଭଳି ୪ଟି ସ୍ଥାନରେ ଆଂଚଳିକ କୃଷି ମେଳାର ଆୟୋଜନ କରିଥିଲୁ । ଏଭଳି ମେଳାକୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଆୟୋଜିତ କରିବା ପାଇଁ ନିଷ୍ପତି ନିଆଯାଇଛି ଏବଂ ମୁଁ ଏହା ସୂଚିତ କରି ଆନନ୍ଦିତ ଯେ, ଏଭଳି ଅଧିକାଂଶ ମେଳାକୁ ସଫଳତାର ସହ ପରିଚାଳନା କରାଯାଇଛି ଏବଂ ଅବଶିଷ୍ଟ ମେଳାଗୁଡିକୁ ଖୁବ୍‌ଶୀଘ୍ର ଆୟୋଜନ କରାଯିବ । କୃଷକମାନେ ବହୁମାତ୍ରାରେ ଉପକୃତ ହୋଇଛନ୍ତି । ରାଜ୍ୟ ସରକାର କୃଷି ଯାନ୍ତ୍ରିକୀକରଣ ବୃଦ୍ଧି କରିବା ପାଇଁ ନିଷ୍ପତି ନେଇଛନ୍ତି । ଆମେ ଏହି ଉଦ୍ଦେଶ୍ୟ ପାଇଁ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିଛୁ । ଯଦି ଆବଶ୍ୟକ ପଡେ ତେବେ ଆବଂଟନ ବୃଦ୍ଧି କରିବା ପାଇଁ ମଧ୍ୟ ଆମେ ପ୍ରସ୍ତୁତ ରହିଛୁ । ଆମେ ବ୍ଲକ୍ ସ୍ତରରେ ମଧ୍ୟ କୃଷି ମେଳାର ଆୟୋଜନ କରିବା ପାଇଁ ଯୋଜନା ରଖିଛୁ ।’
ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମୁଖ୍ୟ ସଚିବ ଡଃ ଅରବିନ୍ଦ ପାଢୀ କହିଛନ୍ତି, ‘ଆମେ ମିଲେଟ୍ ବା ମାଣ୍ଡିଆ ଉପରେ ଏକ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରିବାକୁ ଯୋଜନା ରଖିଛୁ ଯେଉଁଥିରେ ଆନ୍ତର୍ଜାତୀୟ ଏଜେନ୍ସିଗୁଡିକର ବିଶେଷଜ୍ଞମାନେ ଅଂଶଗ୍ରହଣ କରିବେ । ଉଦ୍ୟାନ କୃଷି, ମାଛଚାଷ ଓ ପଶୁସମ୍ପଦ ଉପରେ ଏକ ସ୍ୱତନ୍ତ୍ର ଅଧିବେଶନର ମଧ୍ୟ ଆୟୋଜନ କରାଯିବ । ଆମେ ଏହି କାର୍ଯ୍ୟକ୍ରମରେ ରାଜ୍ୟବ୍ୟାପୀ ମହିଳା କୃଷକଙ୍କ ସମେତ ୧୫୦୦ରୁ ଅଧିକ କୃଷକଙ୍କ ଯୋଗଦାନ ପାଇଁ ଆଶା ରଖିଛୁ । କୃଷକମାନେ କୃଷି କ୍ଷେତ୍ରରେ ନୂତନ ଟେକ୍ନୋଲୋଜି ଗ୍ରହଣୀୟତା ସମ୍ପର୍କରେ ଜାଣିବାକୁ ପାଇବେ । ଶିଳ୍ପ ସହଯୋଗୀମାନେ ଏଠାରେ ନିଜର ନୂତନ ଉପକରଣ ଓ ପଦ୍ଧତିଗୁଡିକୁ ପ୍ରଦର୍ଶିତ କରିବେ ।’ ଏହି ଅବସରରେ ଓଡ଼ିଶା ସରକାରଙ୍କ କୃଷି ଏବଂ ଖାଦ୍ୟ ଉତ୍ପାଦନ ବିଭାଗ ନିର୍ଦେଶକ, ଆଇଏଏସ, ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୂରୀ ମଧ୍ୟ ଉପସ୍ଥିତ ଥିଲେ ।
ସେହିପରି ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ସଚିବ ଓ ଆୟୁକ୍ତ ସୁରେଶ କୁମାର ବଶିଷ୍ଟ କହିଛନ୍ତି, ‘ଆମେ ହୀରାକୁଦ ଜଳଭଣ୍ଡାରରେ ସଫଳତାର ସହ କେଜ୍ (ପଞ୍ଜୁରୀ) ସଂସ୍କୃତିର ଶୁଭାରମ୍ଭ କରିଥିଲୁ ଯାହାକୁ ଏକ ଗମ୍ଭୀର ଆକ୍ୱାକଲ୍‌ଚର ଭାବେ ବିବେଚନା କରାଯାଉଛି । ବାୟୋଫ୍ଲକ୍ ମାଛ ଚାଷ ହେଉଛି ଆମ ବିଭାଗର ସବୁଠାରୁ ଲୋକପ୍ରିୟ ଯୋଜନା । କୌଶଲ୍ୟାଗଙ୍ଗାଠାରେ ଆନୁବଂଶିକ ଭାବେ ଉନ୍ନତ ମାଛଗୁଡିକୁ ବିକଶିତ କରାଯାଉଛି । ରାଜ୍ୟ ସରକାର ମାଛ ଚାଷ ପାଇଁ ରାଜ୍ୟର ମହିଳା ଏସ୍‌ଏଚ୍‌ଜିଗୁଡିକୁ ସରକାରୀ ସହାୟତା ବୃଦ୍ଧି କରିବା ପାଇଁ ମଧ୍ୟ ପ୍ରସ୍ତୁତ ରହିଛନ୍ତି ।’
ଏହି କାର୍ଯ୍ୟକ୍ରମର ପ୍ରତ୍ୟେକ ସନ୍ଧ୍ୟାରେ ସଫଳ କୃଷି ମଡ୍ୟୁଲ୍ ହାସଲ କରିବା କ୍ଷେତ୍ରରେ ନିଜର ଉତ୍କର୍ଷତାର ପ୍ରଦର୍ଶନ କରିଥିବା ଓଡିଶାର ୩୦ଟି ଜିଲ୍ଲାର କୃଷକ, କୃଷି ଉଦ୍ୟୋଗୀ , ଏସ୍‌ଏଚ୍‌ଜି / ଏଫ୍‌ପିଓକୁ ସମ୍ମାନିତ କରାଯିବ । କୃଷି ଓଡିଶା ୟୁଟ୍ୟୁବ୍ ଓ ଫେସ୍‌ବୁକ୍ ମାଧ୍ୟମରେ ମଧ୍ୟ ଲାଇଭ୍ ଷ୍ଟ୍ରିମ୍ ହେବ ।


Share It

Comments are closed.