ଆସନ୍ତା କାଲି ସାରା ଦେଶର ୮ କୋଟି ବ୍ୟବସାୟୀ ଦେବେ ଧାରଣା


ଜିଏସଟି ବ୍ୟବସ୍ଥାକୁ ସରଳ କରିବା ଦାବିରେ ବ୍ୟବସାୟୀ ସଙ୍ଗଠନ ଦି କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ ବା କ୍ୟାଟ୍ ଫେବ୍ରୁଆରୀ ୨୬ରେ ଭାରତ ବନ୍ଦ ଡକରା ଦେଇଛି । ଏହାସହ ସଡକ ପରିବହନ କ୍ଷେତ୍ରର ସର୍ବୋଚ୍ଚ ସଂସ୍ଥା ଅଲ ଇଣ୍ଡିଆ ଟ୍ରାନ୍ସପୋର୍ଟ ଓ୍ୱେଲଫେୟାର ଆସୋସିଏନ ମଧ୍ୟ ଭାରତ ବନ୍ଦକୁ ସମର୍ଥନ କରିଛି । ଏହାସହ ଚକାଜାମ ଘୋଷଣା କରିଛି । ଏହାରି ପ୍ରଭାବରେ ଶୁକ୍ରବାର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ ।

କ୍ୟାଟ୍‌ର ମହାସଚିବ ପ୍ରବୀଣ ଖଣ୍ଡେଲଓ୍ୱାଲ କହିଛନ୍ତି ଯେ, ରାଜ୍ୟ ସରକାର ଓ ଜିଏସଟି ପରିଷଦ ଜିଏସଟିର କଠୋର ପ୍ରାବଧାନକୁ ସମାପ୍ତ କରାଯାଉ । ଜିଏସଟି ପ୍ରକ୍ରିୟା ସରଳ କରିବା ଦାବିରେ ଦେଶର ୧୫୦୦ଟି ସ୍ଥାନରେ ଧାରଣା ଦିଆଯିବ । ଦେଶର ସବୁ ବଜାର ବନ୍ଦ ରହିବ । ରାଜ୍ୟର ବିଭିନ୍ନ ସହରରେ ବ୍ୟବସାୟୀମାନେ ଧାରଣା ଦେବେ । ପ୍ରାୟ ୮ କୋଟି ବ୍ୟବସାୟୀ ଏଥିରେ ସାମିଲ ହେବେ ।

ସମସ୍ତ ରାଜ୍ୟସ୍ତରୀୟ ପରିବହନ ସଙ୍ଘ ଭାରତ ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ଇ-ଓ୍ୱେ ବିଲକୁ ବିରୋଧ କରି କ୍ୟାଟ୍‌ର ସମର୍ଥନ କରିଛି । ବିଭିନ୍ନ ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟକୁ ଏହି ସମୟରେ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ । କୌଣସି ପ୍ରକାର ମାଲ୍ ବୁକିଂ, ଡେଲିଭରୀ, ପରବିହନ ହେବ ନାହିଁ । ସମସ୍ତ ପରିବହନ କମ୍ପାନୀ ବିରୋଧ ପାଇଁ ସକାଳ ୬ଟାରୁ ସନ୍ଧ୍ୟା ୮ଟା ଯାଏଁ ନିଜ ବାହାନକୁ ପାର୍କିଂ କରିବେ ।

ଜାନୁଆରୀ ୧ରୁ ଲାଗୁ ହୋଇଥିବା ଏହି ଇ-ଓ୍ୱେ ନିୟମକୁ ନେଇ ପରିବହନ ଓ ବ୍ୟବସାୟୀ ବର୍ଗ ଚିନ୍ତିତ ଅଛନ୍ତି । ବର୍ତ୍ତମାନ ପ୍ରତି ୧୦୦ କିମି ଯାଏଁ ବାହାନରେ ଲୋଡ୍ ହୋଇଥିବା ମାଲ୍ ପାଇଁ ୨ ଦିନ ପାଇଁ ଇ-ଓ୍ୱେ ବିଲ୍ ରହିଛି । ନୂଆ ବିଲରେ ଏହାକୁ ମାତ୍ର ୧ ଦିନ କରାଯାଇଛି । ଏପରିକି ଦେଶର ପରିବହନ ସେକ୍ଟର ବ୍ୟତୀତ ଅନେକ ରାଷ୍ଟ୍ରୀୟ ବ୍ୟବସାୟୀ ସଙ୍ଗଠନ ଶୁକ୍ରବାର ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।


Share It

Comments are closed.